ହାଇଦରାବାଦ: ଚଳିତ ଆଇପିଏଲ୍ରେ ମଙ୍ଗଳବାର ବିଜୟୀ ହୋଇଛି ମୁମ୍ବଇ ଇଣ୍ଡିଆନ୍ସ। କାମେରନ୍ ଗ୍ରୀନ୍ଙ୍କ ଅଲ୍ରାଉଣ୍ଡ ସଫଳତା ବଳରେ ସନ୍ରାଇଜର୍ସ ହାଇଦରାବାଦକୁ ୧୪ ରନ୍ରେ ମୁମ୍ବଇ ପରାସ୍ତ କରିଛି। ଗ୍ରୀନ୍ଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ୫ ଥର ଚମ୍ପିଆନ୍ ମୁମ୍ବଇ ଇଣ୍ଡିଆନ୍ସ ୫ ୱିକେଟ୍ରେ ୧୯୨ ରନ୍ କରିଥିଲା। ପରେ ସନ୍ରାଇଜର୍ସ ଗୋଟିଏ ବଲ୍ ବାକିଥାଇ ୧୭୮ ରନ୍ରେ ଅଲ୍ଆଉଟ୍ ହୋଇଥିଲା। ୫ମ ମ୍ୟାଚ୍ରେ ଏହା ମୁମ୍ବଇର ୩ୟ ବିଜୟ। ସନ୍ରାଇଜର୍ସ ୫ମ ମ୍ୟାଚ୍ରେ ୩ୟ ପରାଜୟ ଭୋଗିଛି।
୧୯୩ ରନ୍ର ପିଛା କରୁଥିବା ସନ୍ରାଇଜର୍ସ ହାଇଦରାବାଦ ମାତ୍ର ୨୫ ରନ୍ ସ୍କୋର୍ରେ ୨ଟି ୱିକେଟ ହରାଇଥିଲା। ଚଳିତ ସଂସ୍କରଣର ପ୍ରଥମ ଶତକ ହାସଲକାରୀ ହ୍ୟାରି ବ୍ରୁକ୍ ୯ ଓ ରାହୁଲ ତ୍ରିପାଠୀ ୭ ରନ୍କରି ବିଦାୟ ନେଇଥିଲେ। ପରେ ଓପ୍ନର ମୟଙ୍କ ଅଗ୍ରୱାଲ ଓ ଅଧିନାୟକ ଐଡେନ୍ ମାର୍କରାମ ୫ ଓଭରରେ ୪୫ ରନ୍ ଯୋଡ଼ିଥିଲେ। ମାର୍କରାମ୍ ୧୭ ବଲ୍ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୨ ରନ୍ କରିଥିଲେ। ଅଭିଷେକ ଶର୍ମା ମାତ୍ର ୧ ରନ୍ କରି ପାରିଥିଲେ। ୭୨ ରନ୍ରେ ସନ୍ରାଇଜର୍ସର ୪ଟି ୱିକେଟ ପଡ଼ିବା ପରେ ମୟଙ୍କ ଓ ହେନ୍ରିଚ୍ କ୍ଲାସେନ୍ ସ୍କୋର୍କୁ ୧୨୭ ରନ୍ରେ ପହଞ୍ଚାଇଥିଲେ। କ୍ଲାସେନ୍ ବିସ୍ଫୋରକ ବ୍ୟାଟିଂକରି ମାତ୍ର ୧୬ ବଲ୍ରୁ ୨ଟି ଛକା ଓ ୪ଟି ଚୌକା ସହ ୩୬ ରନ୍ କରିଥିଲେ। ୧୫ଶ ଓଭର ପର୍ଯ୍ୟନ୍ତ କ୍ରିଜ୍ରେ ଥିବା ମୟଙ୍କ ଅଗ୍ରୱାଲ ୪୧ ବଲ୍ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୪୮ ରନ୍ କରିଥିଲେ। ମାର୍କୋ ୟାନ୍ସେନ୍ ୬ ବଲ୍ରୁ ୩ଟି ଚୌକା ସହ ୧୩ ରନ୍ କରିଥିଲେ। ୱାଶିଂଟନ ସୁନ୍ଦର ୧୦ ରନ୍ କରିଥିଲେ।
ସନ୍ରାଇଜର୍ସ ହାଇଦରାବାଦ ଟସ୍ ଜିତି ଫିଲ୍ଡିଂ ନେଇଥିଲା। ମୁମ୍ବଇର ଦୁଇ ଓପ୍ନର ରୋହିତ ଶର୍ମା ଓ ଈଶାନ୍ କିଷନ୍ ୪୧ ରନ୍ର ଭାଗିଦାରୀ କରିଥିଲେ। ଅଧିନାୟକ ରୋହିତ ଶର୍ମା ୧୮ ବଲ୍ରୁ ୬ଟି ଚୌକା ସହ ୨୮ ରନ୍କରି ଆଉଟ୍ ହୋଇଥିଲେ। କିଷନ୍ ଓ କାମେରନ୍ ଗ୍ରୀନ୍ ୪୬ ରନ୍ ଯୋଡ଼ିଥିଲେ। ଧିମା ବ୍ୟାଟିଂ କରିଥିବା ଈଶାନ୍ କିଷନ୍ ୩୧ ବଲ୍ରୁ ୨ଟି ଛକା ଓ ୩ଟି ଚୌକା ସହ ୩୮ ରନ୍ କରିଥିଲେ। ସୂର୍ଯ୍ୟକୁମାର ଯାଦବ ୭ ରନ୍କରି ବିଦାୟ ନେଇଥିଲେ। ପରେ କାମେରନ୍ ଗ୍ରୀନ୍ ଓ ତିଳକ ବର୍ମା ଆକ୍ରମଣ କରି ୨୮ ବଲ୍ରୁ ୫୬ ରନ୍ ଯୋଡ଼ିଥିଲେ। ତିଳକ ବର୍ମା ବିସ୍ଫୋରକ ବ୍ୟାଟିଂକରି ୧୭ ବଲ୍ରୁ ୪ଟି ଛକା ଓ ୨ଟି ଚୌକା ସହ ୩୭ ରନ୍ କରିଥିଲେ। ପରେ ଟିମ୍ ଡେଭିଡ୍ଙ୍କ ସହ ଗ୍ରୀନ୍ ୨୧ ବଲ୍ରୁ ୪୧ ରନ୍ ଯୋଡ଼ିଥିଲେ। ଇନିଂସର ଅନ୍ତିମ ବଲ୍ରେ ଆଉଟ୍ ହୋଇଥିବା ଟିମ୍ ଡେଭିଡ୍ ୧୧ ବଲ୍ରୁ ୨ଟି ଚୌକା ସହ ୧୬ ରନ୍ କରିଥିଲେ। କାମେରନ୍ ଗ୍ରୀନ୍ ୧୫ରୁ ଅଧିକ ଓଭର କ୍ରିଜ୍ରେ ରହି ୪୦ ବଲ୍ରୁ ୨ଟି ଛକା ଓ ୬ଟି ଚୌକା ସହ ୬୪ ରନ୍କରି ଅପରାଜିତ ଥିଲେ। ମାର୍କୋ ୟାନ୍ସେନ୍ ୨ଟି ୱିକେଟ ନେଇଥିଲେ।



