ନୂଆଦିଲ୍ଲୀ : ଚଳିତ ଆଇପିଏଲ୍-୧୨ର ଫାଇନାଲ ମ୍ୟାଚ୍ ଚେନ୍ନଇ ପରିବର୍ତ୍ତେ ହାଇଦରାବାଦରେ ଖେଳାଯିବ। ସୋମବାର ବିସିସିଆଇ ପକ୍ଷରୁ ଏହି ଘୋଷଣା କରାଯାଇଛି। ଫାଇନାଲ ମ୍ୟାଚ୍ ପୂର୍ବ ନିର୍ଦ୍ଧାରିତ ତାରିଖ ମେ’ ୧୨ରେ ହାଇଦରାବାଦରେ ଖେଳାଯିବ ବୋଲି ଘୋଷଣା କରାଯାଇଛି। ଗତବର୍ଷ ଚେନ୍ନଇ ସୁପର କିଙ୍ଗ୍ସ (ସିଏସ୍କେ) ଚମ୍ପିଆନ୍ ହୋଇଥିବାରୁ ଚଳିତ ଆଇପିଏଲ୍ର ଫାଇନାଲ ମ୍ୟାଚ୍ ଏହାର ଘରୋଇ ଗ୍ରାଉଣ୍ଡ ଚେନ୍ନଇକୁ ଦିଆ ଯାଇଥିଲା। ତେବେ ଚେନ୍ନଇ ଷ୍ଟାଡିୟମ୍ର ୩ଟି ଗ୍ୟାଲେରୀ ତାଲା ପଡ଼ି ରହୁଥିବାରୁ ଏପରି ସ୍ଥିତିରେ ଏହି ଷ୍ଟାଡିୟମ୍ରେ ଆଇପିଏଲ୍ ଫାଇନାଲ ପରି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ଆୟୋଜନ ପାଇଁ ବିସିସିଆଇ ଅରାଜି ଥିଲା। ତଥାପି ଉକ୍ତ ୩ଟି ଗ୍ୟାଲେରୀ ପାଇଁ ସବୁଜ ସଙ୍କେତ ହାସଲ ଲାଗି ତାମିଲନାଡ଼ୁ କ୍ରିକେଟ ଆସୋସିଏସନ୍ (ଟିଏନ୍ସିଏ)କୁ ଏକ ସପ୍ତାହ ସମୟ ଦେଇଥିଲା ବିସିସିଆଇ। ହେଲେ ଏହି ସମୟରେ ଟିଏନ୍ସିଏ ବନ୍ଦ ଗ୍ୟାଲେରୀ ଖୋଲିବାକୁ ଅନୁମତି ହାସଲ କରିବାରେ ବିଫଳ ହେବାରୁ ଫାଇନାଲ ମ୍ୟାଚ୍ ଚେନ୍ନଇରୁ ହାଇଦରାବାଦ ସ୍ଥାନାନ୍ତର କରାଯାଇଛି ବୋଲି ପ୍ରଶାସକ କମିଟି (ସିଓଏ) ମୁଖ୍ୟ ବିନୋଦ ରାୟ କହିଛନ୍ତି।
୨୦୧୨ରୁ ଚେନ୍ନଇ ଷ୍ଟାଡିୟମ୍ର ୩ଟି ଗ୍ୟାଲେରୀକୁ ବନ୍ଦ କରାଯାଇଛି। ଏହି ୩ଟି ଗ୍ୟାଲେରୀକୁ ଚେନ୍ନଇ ମ୍ୟୁନିସିପାଲ କର୍ପୋରେସନ୍ ଫିଟ୍ ପ୍ରମାଣପତ୍ର ପ୍ରଦାନ କରିନାହିଁ। ତେଣୁ ୨୦୧୨ରୁ ଅଦ୍ୟାବଧି ଚେନ୍ନଇର ଟିଏନ୍ସିଏ ଷ୍ଟାଡିୟମ୍ରେ ଆନ୍ତର୍ଜାତିକ ଏବଂ ଆଇପିଏଲ୍ ମ୍ୟାଚ୍ ସମୟରେ ଫିଟ୍ ପ୍ରମାଣପତ୍ର ମିଳିନଥିବା ୩ଟି ଗ୍ୟାଲେରୀ ଖାଲି ରଖାଯାଉଛି। ଏହାକୁ ନେଇ ବିସିସିଆଇର ବୈଠକ ବସିଥିଲା। ମତପ୍ରକାଶ ପାଇଥିଲା ଯେ ଷ୍ଟାଡିୟମ୍ର ୩ଟି ଗ୍ୟାଲେରୀ ଖାଲି ରଖା ଯାଉଥିବାରୁ ୧୨୦୦୦ ଦର୍ଶକ ମ୍ୟାଚ୍ ଦେଖିବାରୁ ବଞ୍ଚିତ ହେଉଛନ୍ତି। ପୁଣି ଟିଭିରେ ମଧ୍ୟ ଉକ୍ତ ଷ୍ଟାଡିୟମ୍ର ମ୍ୟାଚ୍ର ସିଧା ପ୍ରସାରଣ ବେଳେ ୩ଟି ଖାଲି ଗ୍ୟାଲେରୀ ଯୋଗୁଁ ଟୁର୍ଣ୍ଣାମେଣ୍ଟର ଗୁରୁତ୍ବ ହ୍ରାସହେଉଛି। ତେଣୁ ୩ଟି ଖାଲି ଗ୍ୟାଲେରୀରେ ଆଇପିଏଲ୍ର ଫାଇନାଲ ମ୍ୟାଚ୍ ଆୟୋଜନ ଠିକ୍ ହେବନାହିଁ। ତେବେ ଟିଏନ୍ସିଏ ଆବଶ୍ୟକ ଅନୁମତି ହାସଲ ନ କରିବାରୁ ଚେନ୍ନଇ ଫାଇନାଲ ମ୍ୟାଚ୍ ଆୟୋଜନ ଅଧିକାର ହରାଇଛି। ଏହାସହ ବିନୋଦ ରାୟ ଘୋଷଣା କରିଛନ୍ତି ଯେ ମେ’ ୬ରେ ହେବାକୁ ଥିବା କ୍ବାଲିଫାୟର-୨ ମ୍ୟାଚ୍ କିନ୍ତୁ ଚେନ୍ନଇରେ ଖେଳାଯିବ। ତେବେ ମେ’ ୮ରେ ହେବାକୁ ଥିବା ଏଲିମିନେଟର ମ୍ୟାଚ୍ ଏବଂ ମେ’ ୧୦ରେ ହେବାକୁ ଥିବା କ୍ବାଲିଫାୟର-୨ ମ୍ୟାଚ୍ ବିଶାଖାପାଟଣାରେ ଖେଳାଯିବ। ୨ଟି କ୍ବାଲିଫାୟର ଓ ଏଲିମିନେଟର ମ୍ୟାଚ୍ ହାଇଦରାବାଦରେ ଆୟୋଜନ ପାଇଁ ବିସିସିଆଇ ବିଚାର କରୁଥିଲେ ହେଁ ହାଇଦରାବାଦରେ ଏହି ସମୟରେ ସାଧାରଣ ନିର୍ବାଚନ ଥିବାରୁ ଏହାକୁ ବିଶାଖାପାଟଣାକୁ ମିଳିଛି। ଏହାସହ ବିନୋଦ ରାୟ ଘୋଷଣା କରିଛନ୍ତି ଯେ ମହିଳାଙ୍କୁ ନେଇ ମିନି ମହିଳା ଆଇପିଏଲ୍ ମେ’ ୬ରୁ ୧୦ ପର୍ଯ୍ୟନ୍ତ ଜୟପୁରରେ ଖେଳାଯିବ। ଏହାର ୩ଟି ଦଳଙ୍କ ନାମ ରଖାଯାଇଛି ଭେଲୋସିଟି, ଟ୍ରେଲ୍ବ୍ଲେଜର୍ସ ଓ ସୁପରନୋଭାସ୍।
ହାଇଦରାବାଦରେ ଆଇପିଏଲ୍ ଫାଇନାଲ
Popular Categories


