ତେଲ୍ ଆବିଭ୍: ଇସ୍ରାଏଲ-ହମାସ୍ ଯୁଦ୍ଧ ଗୋଟିଏ ମାସ ଅତିକ୍ରମ କରିଥିବା ବେଳେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ‘କୌଶଳାତ୍ମକ ସାମୟିକ ଯୁଦ୍ଧ ବିରାମ’ ପାଇଁ ସମ୍ମତ ଥିବା ସୂଚନା ଦେଇଛନ୍ତି। ବିଶେଷ କରି ମାନବୀୟ ଦୃଷ୍ଟିକୋଣରୁ ଏବଂ ପରଣବନ୍ଦୀଙ୍କ ମୁକ୍ତି ଉଦ୍ଦେଶ୍ୟରେ ସାମୟିକ ଯୁଦ୍ଧ ବିରାମ ପାଇଁ ଇସ୍ରାଏଲ ଉପରେ ଜାତିସଂଘ ସମେତ ବିଭିନ୍ନ ମହଲରୁ ଚାପ ପଡ଼ୁଥିବାରୁ ନେତାନ୍ୟାହୁ ଏହା ଉପରେ ବିଚାର କରୁଥିବା ଜଣାପଡ଼ିଛି। ମଙ୍ଗଳବାର ଆମେରିକା ରାଷ୍ଟ୍ରପତ ଜୋ ବାଇଡେନ୍ଙ୍କ ସହ କଥାବାର୍ତ୍ତା ବେଳେ ଗାଜାରେ ମାନବୀୟ ସହାୟତା ପହଞ୍ଚାଇବା ଓ ସାଧାରଣ ଜନତାଙ୍କୁ ଉଦ୍ଧାର ପାଇଁ ଆବଶ୍ୟକ ସମୟ ଯୁଦ୍ଧ ବିରାମ କରିବ ଏବଂ ଶେଷ ହୋଇଗଲେ ପୁନଃ ଆକ୍ରମଣ ଆରମ୍ଭ କରିବ ବୋଲି ନେତାନ୍ୟାହୁ କହିଛନ୍ତି।
ଯୁଦ୍ଧ ବିରାମ ସମୟରେ ଇସ୍ରାଏଲ ଓ ଆମେରିକା ପାରସ୍ପରିକ ଯୋଗାଯୋଗରେ ରହିବେ ଏବଂ ସମସ୍ତ ପଣବନ୍ଦୀଙ୍କୁ ମୁକ୍ତ କରାଯିବା ପରେ ହିଁ ବିଧିବଦ୍ଧ ଯୁଦ୍ଧ ବିରତି ସମ୍ପର୍କରେ ଆଲୋଚନା କରାଯିବ ବୋଲି ନେତାନ୍ୟାହୁ କହିଛନ୍ତି। ଗାଜାକୁ ମାନବୀୟ ସହାୟତା ପ୍ରେରଣ ବୃଦ୍ଧି ପାଇଁ ନେତାନ୍ୟାହୁଙ୍କୁ ବାଇଡେନ୍ ଧନ୍ୟବାଦ ଜଣାଇଛନ୍ତି। ଅପରପକ୍ଷରେ ନେତାନ୍ୟାହୁ ଯୁଦ୍ଧ ପରେ ଗାଜାର ସୁରକ୍ଷା ଓ ଆଇନଶୃଙ୍ଖଳା ଦାୟିତ୍ବ ଗ୍ରହଣ କରିବେ ବୋଲି ଘୋଷଣା କରିଛନ୍ତି। ଇସ୍ରାଏଲ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ଦାୟିତ୍ବ ଗ୍ରହଣ କରିବ ବୋଲି ସେ ଦାବି କରିଛନ୍ତି। ଗତ ଦୁଇ ଦିନ ମଧ୍ୟରେ ଇସ୍ରାଏଲ ସେନା ଏଭଳି ସାମୟିକ ଯୁଦ୍ଧ ବିରାମ ଲାଗୁ କରିଥିଲେ। ରବିବାରଠାରୁ ସମଗ୍ର ଗାଜା ସହରକୁ ଘେରି ରହିଥିବା ଇସ୍ରାଏଲ ସେନା ସମ୍ପ୍ରତି ହମାସ୍ ଦୁର୍ଗ ଉତ୍ତର ଗାଜା ଉପରେ ଜୋର୍ଦାର ଆକ୍ରମଣ କରୁଛି। ଲୋକଙ୍କୁ ଦକ୍ଷିଣକୁ ପଳାଇବା ପାଇଁ ନିର୍ଦେଶ ଦେଇଛି। ଏଥିମଧ୍ୟରେ ଗାଜାରେ ମୃତକଙ୍କ ସଂଖ୍ୟା ୧୦ହଜାର ଅତିକ୍ରମ କରିଛି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ଗାଜା ଏବେ ଶିଶୁଙ୍କ କବରସ୍ଥାନ ପାଲଟିଥିବାରୁ ଯୁଦ୍ଧ ବିରତି ପାଇଁ ପୁନର୍ବାର ନିବେଦନ କରିଛନ୍ତି। ଦକ୍ଷିଣ ଆଫ୍ରିକା ମଙ୍ଗଳବାର ଇସ୍ରାଏଲରୁ ଏହାର କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରିଆଣିଛି। ଏଥିନେଇ ଇସ୍ରାଏଲ କ୍ଷୋଭ ପ୍ରକାଶ କରିଛି। ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନୀ ବ୍ଲିଙ୍କେନ ମଙ୍ଗଳବାର ଜି-୭ ରାଷ୍ଟ୍ର ସମୂହ ନେତାଙ୍କୁ ସାକ୍ଷାତ୍ ଅବସରରେ ଜାପାନ ପ୍ରତିପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଇସ୍ରାଏଲ ସେନା ସୋମବାର ରାତିରେ ୱେଷ୍ଟବ୍ୟାଙ୍କରୁ ୧୧ ହମାସ୍ ଆତଙ୍କବାଦୀଙ୍କୁ ଗିରଫ କରିଛି। ଆମେରିକାର ଲସ୍ଆଞ୍ଜେଲ୍ସଠାରେ ପାଲେଷ୍ଟାଇନ ସମର୍ଥକଙ୍କ ବିକ୍ଷୋଭବେଳେ ଜଣେ ଇହୁଦିଙ୍କର ମୃତ୍ୟୁ ଘଟିଛି। ପାଶ୍ଚାତ୍ୟ ରାଷ୍ଟ୍ରରେ ଏହା ପ୍ରଥମ ଘଟଣା।



