ଲକ୍ଷ୍ନୌ: ଆଲ୍ଲାହାବାଦ ଓ ଫୈଜାବାଦ ପରେ ଅଲିଗଡ଼ ସହରର ନାମ ପରିବର୍ତ୍ତନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଅଲିଗଡ଼ ପୌର ନିଗମ ପକ୍ଷରୁ ଏ ସମ୍ପର୍କିତ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି। ଅଲିଗଡ଼ ମେୟର ପ୍ରଶାନ୍ତ ସିଂହଲଙ୍କ ଦ୍ବାରା ଆଗତ ପ୍ରସ୍ତାବକୁ ସମସ୍ତ କର୍ପୋରେଟର ସମର୍ଥନ କରିଛନ୍ତି। ୨୦୨୧ରେ ଅଲିଗଡ଼ ଜିଲା ପରିଷଦ ମଧ୍ୟ ସମାନ ପ୍ରସ୍ତାବ ଗ୍ରହଣ କରି ରାଜ୍ୟ ସରକାରଙ୍କ ନିକଟକୁ ପଠାଇଥିଲା। ଉତ୍ତର ପ୍ରଦେଶ ସରକାର ଏହାକୁ ଗ୍ରହଣ କଲେ ଅଲିଗଡ଼ର ନାମ ହେବ ‘ହରିଗଡ଼’। ରାଜ୍ୟ ସରକାରଙ୍କର ଏହି ପ୍ରମୁଖ ଓ ପୁରାତନ ସହରର ନାମ ପରିବର୍ତ୍ତନ ପ୍ରତି ସବୁଜ ସଙ୍କେତ ରହିଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କର କୌଣସି ସ୍ଥାନର ନାମ ପରିବର୍ତ୍ତନ ବା ନୂଆ ନାମକରଣର କ୍ଷମତା ରହିଛି। ଏହା କେବଳ କେନ୍ଦ୍ରର ସ୍ବୀକୃତି ଲାଭ କରିବା ଆବଶ୍ୟକ। ଯୋଗୀ ଆଦିତ୍ୟନାଥ ୨୦୨୭ରେ ମୁଖ୍ୟମନ୍ତ୍ରୀ ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନର ନାମ ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୨୦୧୯ ଜାନୁଆରୀରେ ଆଲ୍ଲାହାବାଦର ନାମ ପ୍ରୟାଗରାଜକୁ ପରିବର୍ତ୍ତିତ ହୋଇଥିଲା। ପରେ ଫୈଜାବାଦ ଜିଲାର ନାମ ଅଯୋଧ୍ୟା, ମୁଗଲ ସରାଇର ନାମ ଦୀନ ଦୟାଲ ଉପାଧ୍ୟାୟ ନଗର ରଖାଯାଇଥିଲା। ପୂର୍ବ ସରକାର ଅମଳର କେତେକ ପ୍ରକଳ୍ପର ନାମ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏଥିସହିତ ଆଗ୍ରାର ନାମ ଆଗ୍ରାଭାନ୍ କିମ୍ବା ଅଗ୍ରୱାଲ ଓ ମୁଜାଫର ନଗରର ନାମ ଲକ୍ଷ୍ମୀ ନଗର ରଖିବା ପାଇଁ ବିଜେପି ପକ୍ଷରୁ ଦାବି ହେଉଛି।
Popular Categories



