ମହଙ୍ଗାର ଅଣ୍ଟା ଭାଙ୍ଗି ଦେଇଛନ୍ତି ମୋଦୀ ସରକାର
ନୂଆଦିଲ୍ଳୀ: ଆସନ୍ତା ଆର୍ଥିକ ବର୍ଷର ପ୍ରଥମ ଚାରିମାସ ପାଇଁ ଆୟବ୍ୟୟର ପ୍ରସ୍ତାବ ରଖିବା ପୂର୍ବରୁ ପୀୟୂଷ ଗୋଏଲ୍ ମୋଦୀ ସରକାରଙ୍କ ସାମାଜିକ, ଅର୍ଥନୈତିକ ସଫଳତାର ରିପୋର୍ଟ କାର୍ଡ ଉପସ୍ଥାପନ କରିଥିଲେ। ଏହା ମଧ୍ୟରେ ସ୍ୱଚ୍ଛ ଭାରତ ଅଭିଯାନ, ଆୟୁଷ୍ମାନ ଭାରତ ଯୋଜନା, ଆବାସ ଯୋଜନା, ସାଧାରଣ ବର୍ଗ ପାଇଁ ସଂରକ୍ଷଣ, ତିନି ତଲାକ, ମୁଦ୍ରାସ୍ଫୀତି ନିୟନ୍ତ୍ରଣ, ଭିତ୍ତିଭୂମି ବିକାଶ, ଅଭିବୃଦ୍ଧି, ଦେବାଳିଆ ଆଇନ ଆଦି ସାମିଲ୍ ଅଛି। ମୋଦୀ ସରକାରଙ୍କ ଅମଳରେ ଚାଲୁ ଖାତା ନିଅଣ୍ଟ ଜିଡିପିର ୨.୫% ମଧ୍ୟରେ ଥିବା ବେଳେ ରାଜ୍ୟମାନଙ୍କୁ କେନ୍ଦ୍ରୀୟ ଟିକସ ଭାଗ ବୃଦ୍ଧି ସତ୍ତେ୍ୱ ବିତ୍ତୀୟ ନିଅଣ୍ଟ ନିର୍ଦ୍ଧାରିତ ସୀମା ୩.୪% ମଧ୍ୟରେ ରହିଥିବା ଶ୍ରୀ ଗୋଏଲ ଉଲ୍ଲେଖ କରିଥିଲେ।
ଶ୍ରୀ ଗୋଏଲ କହିଥିଲେ ଯେ ଗରିବଙ୍କ ଅଣ୍ଟା ଭାଙ୍ଗି ଦେଇଥିବା ମୁଦ୍ରାସ୍ଫୀତି(ମେହେଙ୍ଗାଇ)ର ଅଣ୍ଟା ଭାଙ୍ଗି ଦେଇଛନ୍ତି ମୋଦୀ ସରକାର। ମୁଦ୍ରାସ୍ଫୀତି ହାର ୨୦୦୯-୧୪ରେ ୧୦.୧% ରୁ ୨୦୧୮ରେ ୨.୧%ରେ ପହଞ୍ଚିପାରିଛି। ବିତ୍ତୀୟ ନିଅଣ୍ଟ ଜିଡିପିର ୩.୪% ଓ ଚାଲୁ ଖାତା ନିଅଣ୍ଟ ୨.୫%ରେ ସୀମିତ ରହିଛି। ଏତଦ୍ବ୍ୟତୀତ ଟିକସ ବ୍ୟବସ୍ଥାରେ ସୁଧାର ଆସିଛି। ପୁଞ୍ଜି ନିବେଶରେ ବୃଦ୍ଧି ଘଟିଛି। ଗ୍ରାମାଞ୍ଚଳରେ ସବୁ ଘରକୁ ବିଦ୍ୟୁତ ସଂଯୋଗ ଲକ୍ଷ୍ୟ ପୂରଣ ହେବାକୁ ଯାଉଛି। ୨୦୧୪ ପରେ ୧୪ଟି ଏମ୍ସ ଖୋଲିଛି। ଆଉ କିଛି ଦିନ ମଧ୍ୟରେ ଦେଶର ୨୨ତମ ଏମ୍ସ ଖୋଲିବାକୁ ଯାଉଛି। ଗତ ୪ ବର୍ଷରେ ୧.୫୩ କୋଟି ଗୃହ ନିର୍ମାଣ ହୋଇଛି। ଗ୍ରାମାଞ୍ଚଳ ସଡ଼କ ନିର୍ମାଣ ପାଇଁ ୧୯୦୦ କୋଟି ଟଙ୍କା ବ୍ୟୟ କରାଯାଇଛି। ୫ ଲକ୍ଷ ଗ୍ରାମକୁ ଖୋଲା ମଳମୁକ୍ତ ଘୋଷଣା କରାଯାଇଛି। ଗତ ୫ ବର୍ଷ ମଧ୍ୟରେ ଦେଶରେ ବିମାନ ବନ୍ଦର ୧୦୦କୁ ବୃଦ୍ଧି ପାଇଛି। ଅକ୍ଷୟ ଶକ୍ତି ପ୍ରକଳ୍ପରେ ୧୦ ଗୁଣା ବୃଦ୍ଧି ଘଟିଛି। ୩୪ କୋଟି ଜନଧନ ଆକାଉଣ୍ଟ ଖୋଲାଯାଇପାରିଛି। ବିମୁଦ୍ରାକରଣ ସମୟ ରେ ୩.୩୮ ଲକ୍ଷ ସେଲ୍ କମ୍ପାନୀକୁ ଧରାଯାଇଛି। ୧ ଲକ୍ଷ ୩୬ ହଜାର କୋଟି ଟଙ୍କାର ଟିକସ ମିଳିଛି। ଆୟୁଷ୍ମାନ ଯୋଜନାରେ ୧୦ ଲକ୍ଷ ଲୋକ ଉପକୃତ ହୋଇଛନ୍ତି, ୩୦୦୦ କୋଟି ଟଙ୍କାର ସଞ୍ଚୟ କରିପାରିଛନ୍ତି। ଏମନରେଗା ପାଇଁ ୬୦ ହଜାର କୋଟି ଟଙ୍କା ଦିଆଯାଇଛି। ଭାରତର ଡାଟା ଓ ଭଏସ୍ କଲ ଦର ବିଶ୍ୱର ସବୁଠାରୁ କମ୍। ଏହାର କାରଣ ମୋବାଇଲ୍ ସେବା ପ୍ରଦାନକାରୀ ସଂସ୍ଥା ଓ ମୋବାଇଲ ହ୍ୟାଣ୍ଡ ସେଟ୍ ନିର୍ମାଣକାରୀସଂସ୍ଥାଙ୍କ ବୃଦ୍ଧି। ଇତିମଧ୍ୟରେ ମୋବାଇଲ ହ୍ୟାଣ୍ଡସେଟ୍ ନିର୍ମାତାଙ୍କ ସଂଖ୍ୟା ୨ ରୁ ୨୬୮କୁ ବୃଦ୍ଧି ପାଇଛି।