www.samajalive.in
Monday, December 8, 2025
14.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଟୋକିଓ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ସମୀକ୍ଷା ବୈଠକ

-କ୍ରୀଡ଼ା ଆମ ଜାତୀୟ ଚରିତ୍ରର କେନ୍ଦ୍ରରେ ରହିଛି ଏବଂ ଆମର ଯୁବପିଢ଼ି ଏକ ଦୃଢ଼ ଓ ଉଜ୍ଜ୍ବଳ କ୍ରୀଡ଼ା ସଂସ୍କୃତି ବିକଶିତ କରୁଛନ୍ତି : ପ୍ରଧାନମନ୍ତ୍ରୀ
-ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ଆମର ଯୁବତାରକାଙ୍କ ସହିତ ୧୩୫ କୋଟି ଭାରତୀୟଙ୍କ ଶୁଭକାମନା ରହିବ : ମୋଦୀ

ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକ୍ସକୁ ଆଉ ୫୦ ଦିନ ବାକି ରହିଛି। ଏହି ଅବସରରେ ଭାରତର ଅଲିମ୍ପିକ୍ସ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଗାମୀ ଟୋକିଓ ଅଲିମ୍ପିକ୍ସ ପାଇଁ କାର୍ୟ୍ୟକାରୀ ପ୍ରସ୍ତୁତିର ବିଭିନ୍ନ ଦିଗ ଉପରେ ଅଧିକାରୀମାନେ ଏକ ଉପସ୍ଥାପନା ରଖିଥିଲେ। ସମୀକ୍ଷା ସମୟରେ, ପ୍ରଧାନମନ୍ତ୍ରୀଙ୍କୁ ମହାମାରୀ ସମୟରେ କ୍ରୀଡ଼ାବିତମାନଙ୍କ ବାଧାମୁକ୍ତ ପ୍ରଶିକ୍ଷଣ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ, ଅଲିମ୍ପିକ୍ସ କୋଟା ଜିତିବା ପାଇଁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ, କ୍ରୀଡ଼ାବିତମାନଙ୍କ ଟିକାକରଣ ଏବଂ ସେମାନଙ୍କୁ ଯୋଗାଇ ଦିଆଯାଇଥିବା ଇଚ୍ଛାମୁତାବକ ସହାୟତା ସମ୍ପର୍କରେ ଅବଗତ କରାଯାଇଥିଲା।
ଅଧିକାରୀମାନେ କ୍ରୀଡ଼ାବିତ୍ ଓ ସହାୟକ କର୍ମଚାରୀଙ୍କ ଟିକାକରଣ ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ। ଟୋକିଓ ଅଲିମ୍ପିକ୍ସକୁ ଯାଉଥିବା ପ୍ରତ୍ୟେକ ଯୋଗ୍ୟତା ଅର୍ଜନକାରୀ/ସମ୍ଭାବ୍ୟ କ୍ରୀଡ଼ାବିତ, ସହାୟକ କର୍ମଚାରୀ ଓ ଅଧିକାରୀଙ୍କୁ ଯଥାଶୀଘ୍ର ଟିକାକରଣ କରାଇବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜୁଲାଇରେ ଭିଡିଓ କନଫରେନ୍ସ ଜରିଆରେ ଆମର ଅଲିମ୍ପିକ୍ସ ଦଳ ସହିତ ସେ ଯୋଡ଼ି ହୋଇ ସେମାନଙ୍କୁ ଉତ୍ସାହିତ କରିବେ ଓ ସମସ୍ତ ଦେଶବାସୀଙ୍କ ପକ୍ଷରୁ ସେମାନଙ୍କୁ ଶୁଭକାମନା ଜଣାଇବେ। କ୍ରୀଡ଼ା ଆମ ଜାତୀୟ ଚରିତ୍ରର କେନ୍ଦ୍ରରେ ରହିଛି ଏବଂ ଆମର ଯୁବପିଢ଼ି ଏକ ଦୃଢ଼ ଓ ଉଜ୍ଜ୍ବଳ କ୍ରୀଡ଼ା ସଂସ୍କୃତି ବିକଶିତ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ଆମର ଯୁବତାରକାଙ୍କ ସହିତ ୧୩୫ କୋଟି ଭାରତୀୟଙ୍କ ଶୁଭକାମନା ରହିବ । ବିଶ୍ଵସ୍ତରରେ ଚମକୁ ଥିବା ପ୍ରତ୍ୟେକ ଯୁବ କ୍ରୀଡ଼ାବିତଙ୍କ ଦ୍ୱାରା ଆହୁରି ହଜାରରୁ ଅଧିକ କ୍ରୀଡ଼ାବିତ୍ ଅନୁପ୍ରାଣିତ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
କ୍ରୀଡ଼ାବିତ୍ ମାନଙ୍କୁ ଅନୁପ୍ରାଣିତ କରିବା ଏବଂ ଅଲିମ୍ପିକ୍ସରେ ଅଂଶଗ୍ରହଣ ଲାଗି ସେମାନଙ୍କର ମନୋବଳ ବଢ଼ାଇବା ପ୍ରତି ବିଶେଷ ଧ୍ୟାନ ଦିଆଯିବ। ତେଣୁ, ପ୍ରତିଯୋଗିତା ଚାଲିଥିବା ସମୟରେ ଭାରତରେ ରହିଥିବା ସେମାନଙ୍କର ମାତାପିତା ଓ ପରିବାର ସଦସ୍ୟଙ୍କ ପାଇଁ ନିୟମିତ ଭିଡିଓ କନଫରେନ୍ସ ଆୟୋଜନ କରାଯିବ ବୋଲି ଅଧିକାରୀମାନେ କହିଥିଲେ ।
ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇ କୁହାଯାଇଥିଲା ଯେ ୧୧ଟି କ୍ରୀଡ଼ା ବର୍ଗରେ ୧୦୦ ଜଣ କ୍ରୀଡ଼ାବିତ୍ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ଏବଂ ଆହୁରି ୨୫ ଜଣ କ୍ରୀଡ଼ାବିତ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବେ ବୋଲି ଆଶା କରାଯାଉଛି ଯାହାର ବିବରଣୀ ଜୁନ ୨୦୨୧ ଶେଷ ସୁଦ୍ଧା ପ୍ରକାଶ ପାଇବ। ୨୦୧୬ରେ ରିଓ ଡି ଜେନେରିଓରେ ଅନୁଷ୍ଠିତ ପୂର୍ବ ବର୍ଷର ପାରା ଅଲିମ୍ପିକ୍ସରେ ମୋଟ୍ ୧୯ ଜଣ ଭାରତୀୟ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିଥିଲେ। ଟୋକିଓ ଅଲିମ୍ପିକ୍ସ ପାଇଁ ୨୬ ଜଣ ପାରା ଆଥଲେଟ୍ ଯୋଗ୍ୟତା ହାସଲ କରିଥିବା ବେଳେ ଆହୁରି ୧୬ ଜଣ ଏଥିପାଇଁ ଯୋଗ୍ୟତା ଅର୍ଜନ କରିବେ ବୋଲି ଆଶା କରାଯାଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories