ନୂଆଦିଲ୍ଲୀ : ପାକିସ୍ତାନର ବାଲାକୋଟ ତଥା ଅନ୍ୟ କେତେକ ସ୍ଥାନରେ ଭାରତୀୟ ବାୟୁସେନାର ବିମାନ ଆକ୍ରମଣକୁ ଭାରତୀୟ ବୈଦେଶିକ ସଚିବ ବିଜୟ ଗୋଖଲେ ‘ନନ-ମିଲିଟାରୀ ପ୍ରିଏମ୍ପଟିଭ ଆକ୍ସନ’ ବୋଲି ଦର୍ଶାଇଛନ୍ତି। ଯେତେବେଳେ କୌଣସି ଆକ୍ରମଣ ବେଳେ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଏ ନାହିଁ ଏବଂ ଉକ୍ତ ଆକ୍ରମଣରେ ସାଧାରଣ ଜନତାଙ୍କ ଜୀବନ ହାନି ହୁଏ ନାହିଁ ସେଭଳି ଆକ୍ରମଣକୁ ‘ନନ୍-ମିଲିଟାରୀ ପ୍ରିଏମ୍ପଟିଭ ଷ୍ଟ୍ରାଇକ’ କୁହାଯାଏ ବୋଲି ବାୟୁସେନା ସୂତ୍ରରୁ ପ୍ରକାଶ। ତେବେ ବାଲାକୋଟ ଆକ୍ରମଣ ନେଇ ବିଶ୍ବସମୁଦାୟ ପକ୍ଷରୁ ବିରୋଧର ସମ୍ମୁଖୀନ ହେବା ଆଶଙ୍କା ଥିବାରୁ ଗୋଖଲେ ବାୟୁସେନା କାର୍ଯ୍ୟାନୁଷ୍ଠାନ ସମ୍ବନ୍ଧରେ ସ୍ପଷ୍ଟ କରିବାକୁ ଯାଇ କହିଛନ୍ତି, ଜୈଶ-ଇ-ମହମ୍ମଦ ପୁଲୱାମା ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା। ଏଣୁ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଭାରତ ପାକିସ୍ତାନକୁ ବାରମ୍ବାର କହିଥିଲା। ମାତ୍ର ପାକିସ୍ତାନ ନିଜ ମାଟିରେ ଜୈଶର ଉପସ୍ଥିତି ଅସ୍ବୀକାର କରିବା ସହିତ ଆତଙ୍କବାଦ ଦମନ ବିରୋଧରେ କାଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନା କରିଥିଲା। ଜୈଶ ଆଗାମୀ ଦିନରେ ଭାରତର ବିଭିନ୍ନ ସ୍ଥାନରେ ଅଧିକ ଆତ୍ମଘାତୀ ଆକ୍ରମଣ ଯୋଜନା କରିଥିବାରୁ ଭାରତ ପ୍ରତି ବିପଦ ରହିଥିବା ଗୁଇନ୍ଦା ବିଭାଗ ସୂତ୍ରରୁ ସୂଚନା ମିଳିଥିଲା। ଦେଶ ପ୍ରତି ତତ୍କାଳ ବିପଦ ଏଡାଇବା ଲାଗି ଏଭଳି ପ୍ରିଏମ୍ପଟିଭ କାର୍ଯ୍ୟାନୁଷ୍ଠାନ ଆବଶ୍ୟକତା ରହିଥିଲା ବୋଲି ଗୋଖଲେ ପ୍ରକାଶ କରିଛନ୍ତି। ସୀମା ସେପଟେ ଆକ୍ରମଣ ପାଇଁ ବିମାନ ପଠାଇବା ଦୁଇଟି ପରମାଣୁ କ୍ଷମତା ସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ଅତ୍ୟନ୍ତ ବିପଦପୂର୍ଣ୍ଣ କାର୍ଯ୍ୟ। ତେବେ ଏହି କାର୍ଯ୍ୟାନୁଷ୍ଠାନ ପାକିସ୍ତାନ ବିରୋଧରେ ନୁହେଁ ବରଂ ସମ୍ପୂର୍ଣ୍ଣ ଭାବେ ଜୈଶ-ଇ-ମହମ୍ମଦ ବିରୋଧରେ ଉଦ୍ଦିଷ୍ଟ। ଭାରତର ଆଭିମୁଖ୍ୟ ଆଦୌ କଠୋର ନୁହେଁ ବରଂ ଆତ୍ମରକ୍ଷା ଉଦ୍ଦେଶ୍ୟରେ ଏହି ଆକ୍ରମଣ କରାଯାଇଛି ବୋଲି ଗୋଖଲେ ସ୍ପଷ୍ଟ କରିଛନ୍ତି। ପାକିସ୍ତାନ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ବିଫଳ ହୋଇଥିବାରୁ ଏହି ଆକ୍ରମଣ ଆବଶ୍ୟକ ହୋଇପଡିଥିଲା ବୋଲି ସେ ଦର୍ଶାଇଛନ୍ତି। ଅନ୍ୟପଟେ ଏହି ଆକ୍ରମଣ ବେଳେ ଯେଭଳି କୌଣସି ସାଧାରଣ ଲୋକ ପ୍ରାଣ ନ ହରାନ୍ତି ସେଥିନେଇ ମଧ୍ୟ ଧ୍ୟାନ ଦିଆଯାଇଥିଲା। ଏଥିକ୍ରମେ ବାଲାକୋଟସ୍ଥିତ ଶିବିର ଧ୍ବଂସ ପାଇଁ ନିଷ୍ପତ୍ତି ହୋଇଥିଲା ବୋଲି ଗୋଖଲେ ପ୍ରକାଶ କରିଛନ୍ତି।
Popular Categories



