ନୂଆଦିଲ୍ଲୀ: ବିଶ୍ବରେ ସ୍ୱାସ୍ଥ୍ୟସେବା ବୃତ୍ତିଗତଙ୍କ ଅଭାବ ଏବଂ ଉତ୍ତମ ଦରମା ପାଇଁ ଭାରତୀୟ ନର୍ସ ବିଦେଶରେ ଚାକିରି ଖୋଜୁଛନ୍ତି। ଜର୍ମାନୀ, ଆୟରଲାଣ୍ଡ, ମାଲଟା, ସଞ୍ଜୁକ୍ତ ଆରବ ଅମିରାତ ଏବଂ ବେଲ୍ଜିୟମ ପ୍ରଭୃତି ଦେଶ ଆକର୍ଷଣୀୟ ଦରମା ଓ ଅତିରିକ୍ତ ସୁବିଧା ପ୍ରଦାନ କରି ଭାରତୀୟ ନର୍ସଙ୍କୁ ନିଯୁକ୍ତି ଦେଉଛନ୍ତି।
ଜର୍ମାନୀରେ ଚାକିରି କରୁଥିବା ଜଣେ ନର୍ସଙ୍କ ପ୍ରାରମ୍ଭିକ ମାସିକ ଦରମା ପ୍ରାୟ ୨.୬ ଲକ୍ଷ ଟଙ୍କା ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ୩.୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଢ଼ିପାରେ। ଅନ୍ୟପକ୍ଷରେ ଭାରତର ଘରୋଇ ଡାକ୍ତରଖାନାରେ ନର୍ସ ସାଧାରଣତଃ ୨୦,୦୦୦ରୁ ୪୦,୦୦୦ ଟଙ୍କା ପର୍ଯ୍ୟନ୍ତ ଦରମା ପାଉଛନ୍ତି। ଭାରତୀୟ ନର୍ସଙ୍କ ଚାହିଦା ବିଶେଷ ଭାବରେ ଜଟିଳ ଚିକିତ୍ସା, ଜେରିଆଟ୍ରିକ୍ସ ଏବଂ ପ୍ରସବ ପୂର୍ବ ସେବା ଭଳି କ୍ଷେତ୍ରରେ ଅଧିକ ରହିଛି। ଅଧିକ ନର୍ସଙ୍କୁ ଆକର୍ଷିତ କରିବା ପାଇଁ ଅନେକ ଦେଶ ଭାଷା ଦକ୍ଷତା ଏବଂ ଲାଇସେନ୍ସିଂ ପରୀକ୍ଷା ଆଦି ଆବଶ୍ୟକତାକୁ ସହଜ କରିଛନ୍ତି। ଏହା ଫଳରେ ଭାରତରେ ସ୍ବାସ୍ଥ୍ୟସେବା ଉପରେ ପ୍ରଭାବ ପଡ଼ିବ।
ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ସୁପାରିଶ ଅନୁଯାୟୀ ପ୍ରତି ୧ ହଜାର ଜନସଂଖ୍ୟା ପାଇଁ ୩ଜଣ ନର୍ସ ରହିବା ଆବଶ୍ୟକ। ତେବେ ଭାରତରେ ପ୍ରତି ୧ ହଜାର ଜନସଂଖ୍ୟାରେ ମାତ୍ର ୧.୯୬ ଜଣ ନର୍ସ ଅଛନ୍ତି। ତେଣୁ ଭାରତରେ ଥିବା ନର୍ସ ଅଧିକ ଦରମା ଆଶାରେ ବିଦେଶ ଗଲେ ଏହି ଅଭାବ ଆହୁରି ବଢ଼ିବ। ବିଶେଷକରି ଗ୍ରାମାଞ୍ଚଳ ଏବଂ ଅନୁନ୍ନତ ଅଞ୍ଚଳରେ ଏହି ପ୍ରଭାବ ଗୁରୁତର ହେବ। ତେଣୁ ଘରୋଇ କାର୍ଯ୍ୟ ପରିସ୍ଥିତିରେ ଉନ୍ନତି ଆଣିବା, ପ୍ରତିଯୋଗିତାମୂଳକ ଦରମା ପ୍ରଦାନ କରିବା ଏବଂ ତାଲିମ ସୁବିଧା ବଢ଼ାଇବା ସହ ଦେଶ ଭିତରେ ନର୍ସିଂ ପ୍ରତିଭାକୁ ବଜାୟ ରଖିବା ପାଇଁ ଜରୁରୀ ପଦକ୍ଷେପ ନେବା ନିମନ୍ତେ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ଦେଶରେ ୩୩ ଲକ୍ଷରୁ ଅଧିକ ନର୍ସିଂ କର୍ମଚାରୀ ପଞ୍ଜୀକୃତ ହୋଇଛନ୍ତି, କିନ୍ତୁ ଭାରତର ୧୪୦ କୋଟି ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଏହି ସଂଖ୍ୟା ଅତ୍ୟନ୍ତ ନୈରାଶ୍ୟଜନକ। ଭାରତୀୟ ନର୍ସଙ୍କର ଦୃଢ଼ ସ୍ବାସ୍ଥ୍ୟସେବା ଦକ୍ଷତା, ଇଂରାଜୀ ଦକ୍ଷତା ଏବଂ ସ୍ଥାନାନ୍ତର ପାଇଁ ଇଚ୍ଛା ଯୋଗୁଁ ବିଦେଶରେ ସେମାନଙ୍କର ଚାହିଦା ରହିଛି। ଅନେକ ଏଜେନ୍ସି ଚାକିରି, ଭିସା ଏବଂ ଭାଷା ତାଲିମ ବ୍ୟବସ୍ଥା କରି ସେମାନଙ୍କୁ ସୁଗମ ଭାବରେ ବିଦେଶ ଯିବାରେ ସାହାଯ୍ୟ କରନ୍ତି। ଜର୍ମାନୀରେ ନର୍ସଙ୍କୁ ପ୍ରାରମ୍ଭରେ ମାସିକ ୨.୬ ଲକ୍ଷ ଟଙ୍କା ମିଳୁଥିବାବେଳେ ଲାଇସେନ୍ସ ପାଇବା ପରେ ସେମାନଙ୍କୁ ୩.୨ ଲକ୍ଷ ଟଙ୍କା ଦରମା ଦିଆଯାଉଛି। ସେହିପରି ଆୟରଲାଣ୍ଡ, ମାଲଟା ଓ ବେଲଜିୟମ୍ରେ ମାସିକ ୧.୭ରୁ ୨.୫ ଲକ୍ଷ ଟଙ୍କା, ସଞ୍ଜୁକ୍ତ ଆରବ ଅମିରାତରେ ମାସିକ ଟିକସ ମୁକ୍ତ ୭୫ ହଜାରରୁ ୧.୫ ଲକ୍ଷ ଟଙ୍କା, ଦୁବାଇରେ ୮୦ ହଜାରରୁ ୧ ଲକ୍ଷ ଟଙ୍କା ଦରମା ଓ ଅନ୍ୟ ସୁବିଧା ସୁଯୋଗ ମିଳୁଛି। ତୁଳନାତ୍ମକ ଭାବେ ଭାରତୀୟ ଘରୋଇ ଡାକ୍ତରଖାନାରେ ମାସିକ ମାତ୍ର ୨୦,୦୦୦ରୁ ୩୦,୦୦୦ ଟଙ୍କା ଦରମା ମିଳୁଛି। ଏକ ଆକଳନ ଅନୁଯାୟୀ ୨୦୨୫ରେ ଜର୍ମାନୀରେ ୧୫୦,୦୦୦ ଅତିରିକ୍ତ ନର୍ସ ଆବଶ୍ୟକ। ବଢ଼ୁଥିବା ଚାହିଦାକୁ ଦେଇ ଜର୍ମାନୀ ୨୦୩୦ ସୁଦ୍ଧା ୫୦୦,୦୦୦ ନର୍ସ ନିଯୁକ୍ତ କରିବାକୁ ଲକ୍ଷ୍ୟ ରଖିଛି।



