ନୂଆଦିଲ୍ଲୀ: ହିନ୍ଦ ମହାସାଗରରେ ଚୀନର ଯୁଦ୍ଧ ଜାହାଜ ଭ୍ରମଣ କରୁଛି। ଭାରତୀୟ ନୌସେନାର ଏକ ପାଟ୍ରୋଲିଂ ବିମାନ ପି-୮-ଆଇ ଏହାର ପତ୍ତା ଲାଗିଛି। ବିମାନଟି ଉକ୍ତ ଯୁଦ୍ଧ ଜାହାଜ ଜିୟାନ-୩୨ର କେତେକ ଫଟୋ ଉତ୍ତୋଳନ କରିଛି। ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଏହି ଫଟୋ ନିଆଯାଇଛି। ଏହି ସମୟରେ ଯୁଦ୍ଧ ଜାହାଜଟି ଶ୍ରୀଲଙ୍କା ଜଳସୀମାରେ ପ୍ରବେଶ କରୁଥିବା ଫଟୋରୁ ଜଣାପଡ଼ିଛି। ପି-୮-ଆଇ ପାଟ୍ରୋଲିଂ ବିମାନ ଚୀନର ଆଉ ଏକ କ୍ଷୁଦ୍ର ଦ୍ରୁତଗାମୀ ଜାହାଜକୁ ମଧ୍ୟ ଠାବ କରିଛି। ଉକ୍ତ ଜାହାଜ ସୋମାଲି ଜଳଦସ୍ୟୁଙ୍କଠାରୁ ଚୀନର ବାଣିଜ୍ୟିକ ଜାହାଜଗୁଡ଼ିକୁ ସୁରକ୍ଷା ପ୍ରଦାନ କରିବା ଲାଗି ମୁତୟନ ହୋଇଥିବା କୁହାଯାଇଛି।
ଉଲ୍ଲେଖଯୋଗ୍ୟ, ହିନ୍ଦ ମହାସାଗରରେ ଚୀନର ଗତିବିଧି ବୃଦ୍ଧି ପାଇବାରେ ଲାଗିଛି। ଏହା ଉପରେ ଲଗାମ ଲଗାଇବା ପାଇଁ ଭାରତ ଆମେରିକା ସହିତ ମିଶି ପି-୮-ଆଇ ସାମୁଦ୍ରିକ ସର୍ବେକ୍ଷଣ ବିମାନ କିଣିବାକୁ ଯୋଜନା କରୁଛି। ଏହା ଫଳରେ ସମୁଦ୍ର କ୍ଷେତ୍ରରେ ନୌସେନାର ତଦାରଖ କ୍ଷମତା ବୃଦ୍ଧି ପାଇବ।



