www.samajalive.in
Saturday, December 13, 2025
26.1 C
Bhubaneswar

ଦଳଗତ ପ୍ରଦର୍ଶନରେ ରୋହିତ ଓ ଦ୍ରାବିଡ଼ ଖୁସି

କଲକାତା : ରୋହିତ ଶର୍ମା ଭାରତୀୟ ଟ୍ବେଣ୍ଟି-୨୦ ଦଳର ନୂତନ ସ୍ଥାୟୀ ଅଧିନାୟକ ନିଯୁକ୍ତ ହେବା ପରେ ତାଙ୍କର ପ୍ରଥମ ଶୃଙ୍ଖଳାକୁ ୩-୦ରେ ପୋଛିନେଇଛି ଭାରତ। ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ୍‌ର ଟ୍ବେଣ୍ଟି୨୦ ଶୃଙ୍ଖଳାକୁ ଘରୋଇ ଭାରତ ୩-୦ରେ ଜିତିଛି। ଏପରି ବିଜୟ ପରେ ଉଲ୍ଲସିତ ଅଧିନାୟକ ରୋହିତ ଦଳଗତ ପ୍ରଦର୍ଶନ ଯୋଗୁଁ ଏହି ବିଜୟ ସମ୍ଭବ ହେଲା ବୋଲି କହିଛନ୍ତି। ଦଳରେ ବହୁତ ପ୍ରତିଭା ରହିଛି ଏବଂ ଆଗକୁ ଏହା ଆହୁରି ଭଲ ପ୍ରଦର୍ଶନ କରିବ ବୋଲି ଖେଳାଳିଙ୍କୁ ପ୍ରଶଂସା କରି ରୋହିତ କହିଛନ୍ତି। ଶୃଙ୍ଖଳାର ୩ଟି ମ୍ୟାଚ୍‌ରେ ୨ଟି ଅର୍ଦ୍ଧଶତକ ଓ ଗୋଟିଏ ୪୮ ରନ୍‌ର ଇନିଂସ ଖେଳିଥିବା ଓପ୍‌ନର ରୋହିତ ଶର୍ମା କହିଛନ୍ତି, ଯେତେବେଳେ ବ୍ୟାଟିଂ କରିଛି; ଇନିଂସକୁ ସଠିକ୍ ଭାବେ ପ୍ରାରମ୍ଭ କରିବାର ପ୍ରୟାସ କରିଛି । ତୁମେ ବାତାବରଣ ଓ ପିଚ୍‌ ଦେଖିବା ପରେ ବ୍ୟାଟ୍‌ସମ୍ୟାନ ଭାବେ କ’ଣ କରିବାକୁ ହେବ; ତାହା ଜାଣି ନେଇଥାଅ।
ରୋହିତ ଆହୁରି କହିଛନ୍ତି, ପାୱରପ୍ଲେରେ ବଲ୍‌ ବ୍ୟାଟ୍‌ ଉପରକୁ ଚମତ୍କାର ଭାବେ ଆସୁଥିଲା। ତେଣୁ ଆମେ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିବାକୁ ଯୋଜନା କରିଥିଲୁ। ମଝି ଓଭରରେ ଆମେ ଭଲ ପ୍ରଦର୍ଶନ କରି ପାରିଥାଆନ୍ତୁ। ତଥାପି ଆମ ତଳ ଅର୍ଡରର ବ୍ୟାଟ୍‌ସମ୍ୟାନ୍ ଭଲ ପ୍ରଦର୍ଶନ କରି ଆମକୁ ବଡ଼ ସ୍କୋର୍‌ରେ ପହଞ୍ଚାଇ ପାରିଥିଲେ। ବୋଲିଂରେ ଗତ ୨ଟିଯାକ ମ୍ୟାଚ୍‌ରେ ହର୍ଷଲ ପଟେଲ ଭଲ ବୋଲିଂ କରିଛନ୍ତି। ପୂରା ସିରିଜ୍‌ରେ ଆମ ସ୍ପିନର ଭଲ ବୋଲିଂ କରିଛନ୍ତି। ଅଶ୍ବିନ ଓ ଅକ୍ଷର ଭଲ ବୋଲିଂ କରିଥିବା ବେଳେ ବହୁତ ଦିନ ପରେ ମ୍ୟାଚ୍‌ ଖେଳିଥିବା ୟୁଜବେନ୍ଦ୍ର ଚହଲ ମଧ୍ୟ ଏହି ମ୍ୟାଚ୍‌ରେ ଚମତ୍କାର ବୋଲିଂ କରିଥିଲେ। ଭେଙ୍କଟେଶ ମଧ୍ୟ ବୁଦ୍ଧିମାନଭରା ବୋଲିଂ କରିଥିଲେ। ଭବିଷ୍ୟତରେ ଭେଙ୍କଟେଶ ଭଲ ଅଲ୍‌ରାଉଣ୍ଡର ହୋଇପାରିବେ। ଅନ୍ୟ ଦଳର ୮ ଓ ୯ନଂ ବ୍ୟାଟ୍‌ସମ୍ୟାନ ଦଳ ପାଇଁ ଉପଯୋଗୀ ଯୋଗଦାନ କରି ଆସୁଛନ୍ତି। ଆଜି ହର୍ଷଲ ଓ ଦୀପକ ତାହା କରିଥିଲେ। ହର୍ଷଲ ତାଙ୍କ ରାଜ୍ୟ ହରିୟାଣା ପାଇଁ ଇନିଂସ ଓପନ୍‌ କରିଛନ୍ତି। ପୁଣି ଶ୍ରୀଲଙ୍କାରେ ଦୀପକ ଚହର ଭଲ ବ୍ୟାଟିଂ କରିଥିଲେ। ଏହା ଆମର ଦଳଗତ ବିଜୟ। ପୂରା ସିରିଜ୍‌ରେ ସମସ୍ତେ ଯୋଗଦାନ କରିଥିଲେ। ନିଜ ବ୍ୟାଟିଂ ଉପରେ ରୋହିତ କହିଥିଲେ, ସର୍ଟ ପିଚ୍‌ ବୋଲିଂକୁ ଖେଳିବା ମୋର ପସନ୍ଦ। ପିଲାଦିନୁ ସିମେଣ୍ଟ ୱିକେଟରେ ଖେଳି ବଡ଼ ହୋଇଛି। ତେଣୁ ସର୍ଟ ପିଚ୍‌ ବଲ୍‌କୁ ଖେଳିବାରେ କୌଣସି ଅସୁବିଧା ଅନୁଭବ କରିନାହିଁ।
ଭାରତର ନୂଆ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ କହିଥିଲେ, ଏହା ଏକ ଚମତ୍କାର ଶୃଙ୍ଖଳା ବିଜୟ। ସମସ୍ତେ ପୂରା ଶୃଙ୍ଖଳାରେ ଭଲ ପ୍ରଦର୍ଶନ କରିଛନ୍ତି। ପ୍ରଶିକ୍ଷକ ଭାବେ ପ୍ରାରମ୍ଭ ଚମତ୍କାର ଭାବେ ହୋଇଛି। ତେବେ ଆମକୁ ଏହି ଖୁସିରେ ହଜି ନଯାଇ ଭବିଷ୍ୟତ ପାଇଁ ଚିନ୍ତାକରିବା ଉଚିତ। ଏହା ସତ ଯେ ନ୍ୟୁଜିଲାଣ୍ଡ ପାଇଁ ଏହି ଶୃଙ୍ଖଳା ଖେଳିବା ସହଜ ନଥିଲା। ବିଶ୍ବକପ୍‌ ଫାଇନାଲ ଖେଳିବାର ୨ ଦିନ ପରେ ଏହି ଶୃଙ୍ଖଳାରେ ୫ ଦିନରେ ୩ଟି ମ୍ୟାଚ୍‌ ଖେଳିବା ବହୁତ କଷ୍ଟକର। ଯାହାହେଉ; ଆମକୁ ପାଦ ତଳେ ଥାପି ଭବିଷ୍ୟତ ପାଇଁ ଯୋଜନା କରିବାକୁ ପଡ଼ିବ। ମୋତେ ସବୁଠାରୁ ବେଶି ଆନନ୍ଦ ଦେଇଛି ଯେପରି ଯୁବ ଖେଳାଳିମାନେ ଏହି ଶୃଙ୍ଖଳାରେ ପ୍ରଦର୍ଶନ କରିଛନ୍ତି। ଆମର କିଛି ଅଭିଜ୍ଞ ଖେଳାଳି ବିଶ୍ରାମ ନେଇଥିବା ‌ବେଳେ କିଛି ଯୁବ ଖେଳାଳିଙ୍କୁ ଏହି ଶୃଙ୍ଖଳାରେ ସୁଯୋଗ ଦେଇଥିଲୁ। ଏହି ଖେଳାଳିଙ୍କୁ ବହୁତ ଶିକ୍ଷା ମିଳିଛି; ଯାହା ସେମାନଙ୍କ ପାଇଁ ଭବିଷ୍ୟତରେ କାମଦେବ। ଏବେଠାରୁ ଆସନ୍ତାବର୍ଷର ଟ୍ବେଣ୍ଟି-୨୦ ବିଶ୍ବକପ୍‌ କଥା ଚିନ୍ତାକରିବା ନିରର୍ଥକ। ଆମକୁ ଶୃଙ୍ଖଳା ପରେ ଶୃଙ୍ଖଳା ଯିବାକୁ ପଡ଼ିବ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories