www.samajalive.in
Saturday, December 13, 2025
26.1 C
Bhubaneswar

କୋହଲିଙ୍କ ରନ୍‌ଆଉଟ ପରେ ଅଷ୍ଟ୍ରେଲିଆ ମ୍ୟାଚ୍‌କୁ ଫେରିଲା

ଆଡିଲେଡ୍‌ : ବହୁ ପ୍ରତୀକ୍ଷିତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ୍‌ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏହି ଦିବାରାତ୍ର ଓ ଗୋଲାପି ବଲ୍‌ ମ୍ୟାଚ୍‌ର ପ୍ରଥମ ଦିନରେ ଉଭୟ ଦଳଙ୍କ ଭାଗ୍ୟ ପେଣ୍ଡୁଲମ୍‌ ପରି ଏପଟ ସେପଟ ହୋଇଥିଲା। ପ୍ରଥମ ନୂଆବଲ୍‌ରେ ଅଷ୍ଟ୍ରେଲିଆ ୨ଟି ୱିକେଟ ନେଇଥିବା ବେଳେ ୨ୟ ନୂଆବଲ୍‌ରେ ଆଉ ୨ଟି ୱିକେଟ ନେଇଥିଲା। ହେଲେ ମଝି ସମୟରେ ଭାରତ ଲଢ଼ୁଆ ବ୍ୟାଟିଂ କରିଥିଲା। ଅଧିନାୟକ ବିରାଟ କୋହଲିଙ୍କ ସହ ଉପଅଧିନାୟକ ଅଜିଙ୍କ୍ୟ ରାହାଣେ ଓ ଚେତେଶ୍ବର ପୂଜାରା ଭଲ ଇନିଂସ ଖେଳିଥିଲେ। ତେବେ ୭୭ତମ ଓଭରରେ ବିରାଟ କୋହଲି ରନ୍‌ଆଉଟ ହେବା ପ୍ରଥମଦିନର ନିର୍ଣ୍ଣାୟକ ମୋଡ଼ ଥିଲା। ୩ ୱିକେଟରେ ୧୮୮ ରନ୍ କରିଥିବା ଭାରତ ଏହି ୱିକେଟ ସହ ୪୫ ରନ୍‌ରେ ୩ଟି ୱିକେଟ ହରାଇଥିଲା। ଶେଷ ୧୨ ଓଭରରେ ଅଷ୍ଟ୍ରେଲିଆ ୩ଟି ୱିକେଟ ନେଇ ମ୍ୟାଚ୍‌କୁ ଫେରି ପାରିଥିଲା। କୋହଲିଙ୍କ ଦର୍ଶନୀୟ ୭୪ ରନ୍ ସତ୍ତ୍ବେ ପ୍ରଥମଦିନ ଶେଷରେ ଭାରତ ପ୍ରଥମ ଇନିଂସରେ ୬ ୱିକେଟ ହରାଇ ୨୩୩ ରନ୍‌ କରିଛି। ଫଳରେ ସ୍ବୀକାର କରିବାକୁ ପଡ଼ିବ ଯେ ଉଭୟ ଦଳ ପ୍ରଥମଦିନର ସମ୍ମାନ ଭାଗ କରିଛନ୍ତି।
ଟସ୍ ଜିତି ଭାରତ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ମ୍ୟାଚ୍‌ର ୨ୟ ବଲ୍‌ରେ ପୃଥ୍ବୀ ସ’ ବେପରୁଆ ସଟ୍‌ ଖେଳି ୱିକେଟ ଦେବା ଘରୋଇ ଅଷ୍ଟ୍ରେଲିଆ ପାଇଁ ଟନିକ୍‌ ପରି ଥିଲା। ଅଷ୍ଟ୍ରେଲିଆର ୩ ଫାଷ୍ଟବୋଲର ଚମତ୍କାର ବୋଲିଂ କରିଥିଲେ। ମୟଙ୍କ ଅଗ୍ରୱାଲ ବେଶ୍‌ କିଛି ସମୟ ଖେଳି ସେଟ୍‌ ହୋଇ ଯାଇଥିଲେ ହେଁ ପୃଥ୍ବୀ ସ’ଙ୍କ ପରି ସେ ମଧ୍ୟ ପ୍ୟାଡ୍‌ ଓ ବ୍ୟାଟ୍‌ ମଧ୍ୟରେ ଦୂରତା ରଖି ବୋଲ୍‌ଡ ହୋଇ ଯାଇଥିଲେ। ଅଗ୍ରୱାଲ ୪୦ ବଲ୍‌ରୁ ୧୭ ରନ୍ କରି ପାରିଥିଲେ। ଭୋଜନ ବିରତି ପୂର୍ବରୁ ଭାରତ ୨୫ ଓଭର ଖେଳି ୨ ୱିକେଟରେ ୪୨ ରନ୍ କରିଥିଲେ। ଭୋଜନ ବିରତି ପରେ ଗତ ସିରିଜ୍‌ରେ ଭାରତର ଦୁଇ ବ୍ୟାଟିଂ ହିରୋ ଚେତେଶ୍ବର ପୂଜାରା ଓ ବିରାଟ କୋହଲି ଲଢ଼ିଥିଲେ ଏବଂ ୩୧ ଓଭର କ୍ରିଜ୍‌ରେ ରହି ୬୮ ରନ୍ ଯୋଡ଼ିଥିଲେ। ଅଫ୍‌ସ୍ପିନର ନାଥାନ୍ ଲାୟନ୍‌ଙ୍କ ବଲ୍‌ରେ ଆଉଟ ହେବା ପୂର୍ବରୁ ପୂଜାରା ୧୬୦ ବଲ୍‌ ଖେଳି ୨ଟି ଚୌକା ସହ ୪୩ ରନ୍‌ କରିଥିଲେ। ଚା’ପାନ ବିରତି ସୁଦ୍ଧା ମଧ୍ୟ ଭାରତ ଓଭର ପିଛା ୨ ରନ୍‌ରେ ପହଞ୍ଚି ପାରିନଥିଲା। ଶେଷ ଅଧିବେଶନରେ ବୋଲରଙ୍କୁ ଅଧିକ ସହାୟତା ମିଳିବ ବୋଲି ଆଶା କରା ଯାଉଥିବା ବେଳେ କୋହଲି ଓ ଅଜିଙ୍କ୍ୟ ରାହାଣେ ଚମତ୍କାର ବ୍ୟାଟିଂକରି ଦର୍ଶନୀୟ ସଟ୍‌ ଖେଳିଥିଲେ। ଫଳରେ ୪ର୍ଥ ୱିକେଟ ପାଇଁ କୋହଲି ଓ ରାହାଣେ ୨୭ ଓଭରରୁ ୮୮ ରନ୍ ଯୋଡ଼ିଥିଲେ। ଚଳିତବର୍ଷ ତାଙ୍କର ପ୍ରଥମ ଆନ୍ତର୍ଜାତିକ ଶତକ ଆଡ଼କୁ କୋହଲି ଅଗ୍ରସର ହେଉଥିବା ବେଳେ ରାହାଣେଙ୍କ ଭୁଲ୍‌ରୁ ସେ ରନ୍‌ଆଉଟ ହୋଇ ଯାଇଥିଲେ। କୋହଲି ୧୮୦ ବଲ୍‌ରୁ ୮ଟି ଚୌକା ସହ ୭୪ ରନ୍ କରିଥିଲେ। ଏହାସହ ୧୮ ରନ୍‌ରେ ଭାରତ ୩ଟି ୱିକେଟ ହରାଇଥିଲା। ୨ୟ ନୂଆବଲ୍‌ରେ ଅ‌େଷ୍ଟ୍ରଲିଆକୁ ୨ଟି ସଫଳତା ମିଳିଥିଲା। ମିଚେଲ ଷ୍ଟାର୍କଙ୍କ ବଲ୍‌ରେ ରାହାଣେ ଓ ଜୋସ୍ ହାଜେଲଉଡ୍‌ଙ୍କ ବଲ୍‌ରେ ହନୁମା ବିହାରୀ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ରାହାଣେ ୯୨ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୪୨ ରନ୍ କରିଥିଲେ। ବିହାରୀ ୨୫ ବଲ୍‌ରୁ ୧୬ ରନ୍‌ କରିଥିଲେ। ୨୦୬ ରନ୍‌ରେ ୬ଟି ୱିକେଟ ପଡ଼ିଯିବା ପରେ ଋଦ୍ଧିମାନ ଶାହା ଓ ରବିଚନ୍ଦ୍ରନ ଅଶ୍ବିନ ଆଉଟ ୱିକେଟ ପଡ଼ିବାକୁ ଦେଇନଥିଲେ। ଶାହା ୯ ଓ ଅଶ୍ବିନ ୧୫ ରନ୍‌କରି ଅପରାଜିତ ରହିଛନ୍ତି। ଷ୍ଟାର୍କ ୨ଟି ୱିକେଟ ନେଇଥିଲେ। ମ୍ୟାଚ୍‌ରେ ଭଲ ସ୍ଥିତିରେ ରହିବା ଲାଗି ଭାରତକୁ ୩ ଶହରୁ ଅଧିକ ରନ୍‌ କରିବାକୁ ପଡ଼ିବ। ଏହି ସନ୍ଦର୍ଭରେ ଶୁକ୍ରବାର ୨ୟ ଦିନର ପ୍ରଥମ ଅଧିବେଶନ ଗୁରୁତ୍ବପୂର୍ଣ୍ଣ ହେବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories