ଭାରତ-ଆମେରିକା ଟୁ ପ୍ଲସ ଟୁ ଶିଖର ବୈଠକରେ ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା ସମେତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଫଳପ୍ରଦ ଆଲୋଚନା ହୋଇଛି। ବୈଠକ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଉଭୟ ଦେଶ ମଧ୍ୟରେ ସାମରିକ ସହଯୋଗ ବୃଦ୍ଧି ନେଇ ସନ୍ତୋଷଜନକ ଆଲୋଚନା ହୋଇଛି। ସେ କହିଛନ୍ତି, ଦୁଇ ଦିନିଆ ବୈଠକରେ ଆମେ ଆମର ପଡ଼ୋଶୀ ତଥା ତୃତୀୟ ଦେଶରେ ସମ୍ଭାବ୍ୟ ଦକ୍ଷତା ବୃଦ୍ଧି ଏବଂ ଅନ୍ୟାନ୍ୟ ମିଳିତ ସହଯୋଗ କାର୍ଯ୍ୟକଳାପ ବିଷୟରେ ଆଲୋଚନା କରିଛୁ।
ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଆସପର କହିଛନ୍ତି ଯେ ଯେତେବେଳେ ବିଶ୍ୱ କରୋନା ମହାମାରୀ ଏବଂ ବୃଦ୍ଧି ପାଉଥିବା ସୁରକ୍ଷା ଆହ୍ୱାନର ସମ୍ମୁଖୀନ ହେଉଛି, ସେହି ସମୟରେ ଭାରତ-ଆମେରିକା ପାଇଁ ବିଶ୍ୱରେ ସୁରକ୍ଷା, ସ୍ଥିରତା ଏବଂ ସମୃଦ୍ଧି ସୁନିଶ୍ଚିତ କରିବା ପୂର୍ବାପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି।

ଆଜି ନୂଆଦିଲ୍ଲୀରେ ଭାରତ ଏବଂ ଆମେରିକା ମଧ୍ୟରେ ଦୁଇ ଦିନିଆ ବୈଠକରେ ଉଭୟ ଦେଶ BECA ଚୁକ୍ତି (ବେଶିକ ଏକ୍ସଚେଞ୍ଜ ଆଣ୍ଡ କୋଅପରେସନ ଏଗ୍ରିମେଣ୍ଟ)ରେ ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତିନାମା ଫଳରେ ଦୁଇ ଦେଶ ମଧ୍ୟରେ ସୂଚନା ଆଦାନପ୍ରଦାନ ସହଜ ହେବ। ଏହି ବୈଠକରେ ଯୋଗଦେବା ପାଇଁ ଆମେରିକାର ପ୍ରତିରକ୍ଷା ଏବଂ ବୈଦେଶିକ ମନ୍ତ୍ରୀ ସୋମବାର ଭାରତରେ ପହଞ୍ଚିଥିଲେ। ପୂର୍ବ ଲଦାଖରେ ପ୍ରକୃତ ସୀମାରେଖାରେ ଭାରତ ଏବଂ ଚୀନ୍ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଏହି ବୈଠକ ଅନୁଷ୍ଠିତ ହୋଇଛି। ଏଭଳି ପରିସ୍ଥିତିରେ ଚୀନ୍ ମଧ୍ୟ ଏହି ବୈଠକ ଉପରେ ନଜର ରଖିଛି। ଆଜି ସକାଳେ ଆମେରିକାର ପ୍ରତିରକ୍ଷା ଏବଂ ବୈଦେଶିକ ମନ୍ତ୍ରୀ ଜାତୀୟ ଯୁଦ୍ଧ ସ୍ମାରକକୁ ଯାଇ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଆଜି ଉଭୟ ଦେଶ ମୌଳିକ ବିନିମୟ ଏବଂ ସହଯୋଗ ଚୁକ୍ତି (ବେକା) ସ୍ୱାକ୍ଷର କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଜିବେଶ ନନ୍ଦନ ଭାରତ ପକ୍ଷରୁ ଏହି ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତି ସ୍ୱାକ୍ଷରିତ ହେବ ଫଳରେ ଭାରତ କ୍ଷେପଣାସ୍ତ୍ର ଆକ୍ରମଣ ପାଇଁ ଆମେରିକାର ସ୍ୱତନ୍ତ୍ର ତଥ୍ୟ ବ୍ୟବହାର କରିବାରେ ସକ୍ଷମ ହେବ। ଏଥିରେ ଯେକୌଣସି ଅଞ୍ଚଳର ସଠିକ୍ ଭୌଗଳିକ ଅବସ୍ଥାନ ମିଳିପାରିବ। ଅନ୍ୟପକ୍ଷରେ ଆଜି ସାଉଥ ବ୍ଲକରେ ଆମେରିକାର ବୈଦେଶିକ ସଚିବ ମାଇକ ପମ୍ପିଓ ଏବଂ ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଆସପରଙ୍କ ସହ ଏନଏସଏ ଅଜିତ ଡୋଭାଲ ମଧ୍ୟ ଏକ ବୈଠକ କରିଥିଲେ। ସୂଚନାନୁସାରେ, ଏହି ବୈଠକ ଅତ୍ୟନ୍ତ ଗଠନମୂଳକ ଥିଲା ଏବଂ ଏଥିରେ ରଣନୀତି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ଆହ୍ୱାନ ଉପରେ ଆଲୋଚନା କରାଯାଇଥିଲା। ଉଭୟ ପକ୍ଷ ସାଧାରଣ ଲକ୍ଷ୍ୟ ହାସଲ କରିବା ଏବଂ ଦକ୍ଷତା ଗଠନ କରିବା ସହ ଏକ ନିରାପଦ, ସ୍ଥିର ଏବଂ ନିୟମ କିମ୍ବା ଆଇନ ଆଧାରିତ ଆଞ୍ଚଳିକ ଏବଂ ବିଶ୍ୱ ସୁରକ୍ଷା ପରିବେଶ ନିଶ୍ଚିତ କରିବା ଉପରେ ଆଲୋଚନା କରିଥିଲେ।

ଏହି ଆଲୋଚନାରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଆସପର୍ କହିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ଆମେ ଆମର ପ୍ରତିରକ୍ଷା ଏବଂ ସୁରକ୍ଷା ସହଭାଗିତାକୁ ବିଶେଷ ଭାବେ ମଜବୁତ କରିଛୁ, ଯେଉଁଥିରେ ଆମେ ଆଞ୍ଚଳିକ ସୁରକ୍ଷା ଏବଂ ସୂଚନା ଆଦାନପ୍ରଦାନ ପ୍ରକ୍ରିୟାକୁ ଆଗକୁ ନେଇଛୁ। କଥାବାର୍ତ୍ତା ସମୟରେ ଆମେରିକାର ବୈଦେଶିକ ସଚିବ ମାଇକ ପମ୍ପିଓ କହିଛନ୍ତି ଯେ ଆଜି ଦୁଇଟି ମହାନ ଗଣତାନ୍ତ୍ରିକ ରାଷ୍ଟ୍ରର ନିକଟତର ହେବା ପାଇଁ ଏକ ବଡ଼ ସୁଯୋଗ ଆସିଛି। ସେ କହିଛନ୍ତି, ଉଭୟ ଦେଶକୁ ଅନେକ ପ୍ରସଙ୍ଗ ଆଲୋଚନା କରିବାକୁ ପଡିବ ଯାହା ଏହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତାକୁ ପ୍ରୋତ୍ସାହିତ କରିବା ସହ ସୁରକ୍ଷା ତଥା ସ୍ୱାଧୀନତା ପ୍ରତି ବିପଦ ସୃଷ୍ଟି କରୁଥିବା ଅହ୍ୱାନଗୁଡିକର ଦୃଢ ମୁକାବିଲା କରାଯାଇ ପାରିବ। ଆଲୋଚନାରେ ଭାଗ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ବେକା ଚୁକ୍ତି ସୂଚନା ଆଦାନପ୍ରଦାନ ପାଇଁ ନୂଆ ରାସ୍ତା ଖୋଲିବ।

ଏହି ବୈଠକର ପ୍ରଥମାର୍ଦ୍ଧରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଛନ୍ତି ଯେ ଗତ ଦୁଇ ଦଶନ୍ଧି ମଧ୍ୟରେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ କ୍ରମାଗତ ଭାବେ ବୃଦ୍ଧି ପାଇଛି। ତେଣୁ ଏବେ ଆଞ୍ଚଳିକ ଏବଂ ବିଶ୍ଵସ୍ଥରୀୟ ଆହ୍ୱାନର ମୁକାବିଲା ଦିଗରେ ଉଭୟ ଭାରତ ଓ ଆମେରିକା ସଠିକ ପଦକ୍ଷେପ ନେଇପାରିବେ। ଅନ୍ୟପକ୍ଷରେ ରାଜନାଥ ସିଂ କହିଛନ୍ତି, ‘ଆମର ଅର୍ଥନୀତି କ୍ଷତିଗ୍ରସ୍ତ ହୋଇଛି। ଆମେ ଶିଳ୍ପ ଏବଂ ସେବା କ୍ଷେତ୍ରକୁ ପୁନର୍ଜୀବିତ କରିବାକୁ ଚେଷ୍ଟା କରୁଛୁ। ଆମେ ଉଭୟ ନିୟମ ଆଧାରିତ କ୍ରମ ଏବଂ ଗଣତନ୍ତ୍ରରେ ବିଶ୍ୱାସ କରୁ।



