ଦେଶରେ ୧ କୋଟି ୨ ଲକ୍ଷ ୨୮ ହଜାର ୭୫୩ ଜଣ କୋଭିଡରୁ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ କରୋନା ଆରୋଗ୍ୟ ହାର ୯୬.୬୬%କୁ ବୃଦ୍ଧି ପାଇଛି। ଗତ କାଲି ଗୋଟିଏ ଦିନରେ ୧୭ ହଜାର ୪୧୧ ଜଣ ସୁସ୍ଥ ହୋଇଛନ୍ତି। ଦୈନିକ ସଂକ୍ରମିତମାନଙ୍କ ସଂଖ୍ୟା ଆହୁରି ହ୍ରାସ ପାଇବା ସହ ସେହି ସମୟ ମଧ୍ୟରେ ୧୦ ହଜାର ୬୪ ଜଣ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ମୋଟ ସଙ୍କ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୫ ଲକ୍ଷ ୮୧ ହଜାର ୮୩୭କୁ ବୃଦ୍ଧି ପାଇଛି।
ଆରୋଗ୍ୟ ଲୋକଙ୍କ ସଂଖ୍ୟା ଓ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ମଧ୍ୟରେ ତାରତମ୍ୟ ଆହୁରି ବୃଦ୍ଧି ପାଇ
ଆରୋଗ୍ୟ ଲୋକଙ୍କ ସଂଖ୍ୟା ଚିକିତ୍ସିତମାନଙ୍କ ସଂଖ୍ୟାର ୫୦ଗୁଣରୁ ଅଧିକ ରହିଛି। ଦେଶରେ ବର୍ତ୍ତମାନ ୨ ଲକ୍ଷ ୫୨୮ ଜଣ
ଲୋକ ଚିକିତ୍ସାଧୀନ ଅଛନ୍ତି, ଏହା ମୋଟ୍ ସଂକ୍ରମଣର ଶତକଡା ୧ ଦଶମିକ ୯ ଭାଗ। ସେମାନଙ୍କ ମଧ୍ୟରୁ ୬୦% ନିଜ ନିଜର ଘରେ ରହି ଚିକିତ୍ସିତ ହେଉଛନ୍ତି ଓ ସେମାନଙ୍କ ଶରୀରରେ ସଂକ୍ରମଣର ସାମାନ୍ୟ ଲକ୍ଷଣ ରହିଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଦେଶବ୍ୟାପୀ ଚିକିତ୍ସା ମୌଳିକ ଢ଼ାଞ୍ଚାରେ ଅଣାଯାଇଥିବା ଉନ୍ନତି, କେନ୍ଦ୍ର ସରକାରଙ୍କ ନୀତିର କଡାକଡି ପାଳନ ଓ ଡାକ୍ତର, ଚିକିତ୍ସା ସହାୟକ କର୍ମୀ ଏବଂ ସ୍ୱେଚ୍ଛାସେବୀମାନଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ମୃତ୍ୟୁହାର ହ୍ରାସ ପାଇ ୧.୪୪% ରହିଛି। ସେହିପରି ଗୋଟିଏ ଦିନରେ ୧୩୭ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଦେଶର ୨୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୩ ହଜାର ୮୦୦ଟି ସେସନରେ ଟିକା ଦିଆଯାଇଛି। ଆଜି ସୁଦ୍ଧା ୬ ଲକ୍ଷ ୩୧ ହଜାର ୪୧୭ଟି ଟୀକା ଦିଆଯାଇଛି।
ଗତ ୧୬ ତାରିଖରୁ ଦେଶରେ ଟିକାକରଣ ଅଭିଯାନ ଆରମ୍ଭ କରାଯାଇଥିଲା। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ ଅତିରିକ୍ତ ସ୍ୱାସ୍ଥ୍ୟସଚିବ ଡକ୍ଟର ମନୋହର ଅଗ୍ନାନି କହିଛନ୍ତି ୫୮୦ ଜଣଙ୍କ ଶରୀରରେ ପ୍ରତିଷେଧକର ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ କହିଛନ୍ତି ଦିଲ୍ଲୀରେ ୩ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ନିଜ ନିଜର ଘରକୁ ଫେରିଛନ୍ତି। ଜଣେ ବ୍ୟକ୍ତିଙ୍କୁ ଏକ ବେସରକାରୀ ହସ୍ପିଟାଲରେ ଚିକିତ୍ସା କରାଯାଉଛି ଓ ତାଙ୍କ ଉପରେ ଡାକ୍ତରମାନେ ନଜର ରଖିଛନ୍ତି। ଉତ୍ତରାଖଣ୍ଡରେ ଋଷିକେଶରେ ଜଣେ ବ୍ୟକ୍ତି ଚିକିତ୍ସିତ ହେଉଥିବାର ଖବର ମିଳିଛି ଓ ତାଙ୍କର ଅବସ୍ଥା ସ୍ଥିର ରହିଛି।
କର୍ଣ୍ଣାଟକରେ ୨ ଜଣ ଲୋକଙ୍କ ଶରୀରରେ ପ୍ରତିଷେଧକ ଟିକାର ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଛତିଶଗଡରେ ମଧ୍ୟ ଜଣେ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡକ୍ଟର ଅଗ୍ନାନି କହିଛନ୍ତି ୨ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବାର ଖବର ମିଳିଛି। ସେମାନଙ୍କ ମଧ୍ୟରୁ ଜଣେ ଉତ୍ତରପ୍ରଦେଶରୁ ଥିବା ବେଳେ ଆଉ ଜଣେ କର୍ଣ୍ଣାଟକରୁ ଥିଲେ; କିନ୍ତୁ ସେମାନଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ଉତ୍ତରପ୍ରଦେଶରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଜଣଙ୍କର ଟୀକାକରଣ ଯୋଗୁଁ ମୃତ୍ୟୁ ଘଟିଥିବା ଜଣାପଡିଛି। ଦ୍ୱିତୀୟ ବ୍ୟକ୍ତିଜଣଙ୍କର ମୃତ୍ୟୁର କାରଣ ଜାଣିବା ପାଇଁ ତାଙ୍କର ଶବ ବ୍ୟବଚ୍ଛେଦ କରାଯିବାକୁ ଯୋଜନା ଚାଲିଛି।



