ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା: ଚାହିଦାର ଶୀର୍ଷରେ ମିଲେଟ, ତାଳଗୁଡ, କନ୍ଧମାଳ ହଳଦୀ ଏବଂ ଉତ୍କଳୀୟ ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର:ନୂଆଦିଲ୍ଲୀସ୍ଥିତ ପ୍ରଗତି ମଇଦାନରେ ଆୟୋଜିତ ହେଉଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଆଜି ହେଉଛି ଦ୍ଵାଦଶ ଦିବସ । ଆଉ ମାତ୍ର ଦୁଇଦିନପରେ ସମାପ୍ତ ହେବ ଚଳିତ ବର୍ଷର ୪୨ ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା । ଏହାକୁ ଦୃଷ୍ଟିରେ ରଖି ଓଡିଶା ପାଭିଲିୟନରେ କ୍ରମଶଃ ଜନଗହଳି ବଢିବାରେ ଲାଗିଛି ।

କୃଷି ଓ କୃଶକ ସଶକ୍ତିକରଣ ବିଭାଗ ତରଫରୁ ଖୋଲାଯାଇଥିବା ଷ୍ଟଲରେ ଓଡିଶାରୁ ଉତ୍ପନ୍ନ ମିଲେଟରୁ ପ୍ରସ୍ତୁତ ବିସ୍କୁଟ, ମିକ୍ସଚର, ଆରିସା, କାକରା, ନୁଡୁଲ୍ସ, ମାଣ୍ଡିଆ ଓ ଅନ୍ୟାନ୍ୟ କ୍ଷୁଦ୍ରଶସ୍ୟର ଗୁଣ୍ଡ ଆଦି ସାମଗ୍ରୀକୁ ଦର୍ଶକ ଆଗ୍ରହର ସହିତ ବହୁ ପରିମାଣରେ କ୍ରୟ କରୁଛନ୍ତି । ସେହିପରି, କନ୍ଧମାଳ ଜିଲ୍ଲାର ଜୈବିକ କୃଷିଜାତ ସାମଗ୍ରୀ ଯଥା:- ହଳଦୀ, ଅଦା, ସୋରିଷ, ପାଳୁଅ ଆଦିକୁ ମଧ୍ୟ ଗ୍ରାହକ କିଣୁଛନ୍ତି । ଗତକାଲି ସୁଦ୍ଧା କୃଷି ଓ କୃଶକ ସଶକ୍ତିକରଣ ବିଭାଗର ଏହି ଷ୍ଟଲରେ ପାଖାପାଖି ୧ ଲକ୍ଷ ଟଙ୍କାର କାରବାର ହୋଇଛି ।

ଖଜୁରୀ ରସରୁ ପ୍ରସ୍ତୁତ ଗୁଡ ଓ ଚିନି ଏବଂ ତାଳ ଗଛର ବିଭିନ୍ନ ଅଂଶରୁ ପ୍ରସ୍ତୁତ ଅନ୍ୟାନ୍ୟ ସୁନ୍ଦର ସୁନ୍ଦର ଘରକରଣା ସାମଗ୍ରୀକୁ ନେଇ ରାଜ୍ୟ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ତରଫରୁ ଚଳିତ ବର୍ଷ ପ୍ରଥମଥର ପାଇଁ ବାଣିଜ୍ୟ ମେଳାରେ ଓଡିଶା ରାଜ୍ୟ ତାଳଗୁଡ ସମବାୟ ସମିତି ଅଂଶ ଗ୍ରହଣ କରିଛି । ଏହି ଷ୍ଟଲରୁ ଦର୍ଶକ ଓ ଗ୍ରାହକମାନେ ଖଜୁରୀ ଗୁଡ ଓ ଚିନି ଖରିଦ କରୁଛନ୍ତି । ଗତକାଲି ସୁଦ୍ଧା ଏହି ଷ୍ଟଲ ମଧ୍ୟ ପାଖାପାଖି ୧ ଲକ୍ଷ ଟଙ୍କାର ବ୍ୟବସାୟ କରିଛି ।

prayash

ଓଡିଶା ପାଭିଲିୟନକୁ ଆସୁଥିବା ସମସ୍ତ ଦର୍ଶକଙ୍କ ପ୍ରଥମ ପସନ୍ଦ ପାଲଟିଛି ଓଡିଶାର ବୁଣାକାରମାନଙ୍କ ଦ୍ଵାରା ପ୍ରସ୍ତୁତ ପାରମ୍ପରିକ ଓ ଆଧୁନିକ ଡିଜାଇନର ହସ୍ତତନ୍ତ ବସ୍ତ୍ର । ବୟନିକା ଷ୍ଟଲରେ ମିଳୁଥିବା ଏହିସବୁ ହସ୍ତତନ୍ତ ସାମଗ୍ରୀ ସହିତ କଟକର ସୁପ୍ରସିଦ୍ଧ ରୂପା ତାରକସୀ ସାମଗ୍ରୀ, ଓଡିଶାର ଭାସ୍କର୍ଯ୍ୟ ଶିଳ୍ପୀମାନଙ୍କ ଦ୍ଵାରା ନିର୍ମିତ କାଷ୍ଠ ଓ ପ୍ରସ୍ତର କାରୁକାର୍ଯ୍ୟ, ରଘୁରାଜପୁର ପଟ୍ଟଚିତ୍ର, ପିପିଲି ଚାନ୍ଦୁଆ ଆଦି ହସ୍ତଶିଳ୍ପ ସାମଗ୍ରୀ ମିଳୁଥିବା ଉତ୍କଳିକା ଷ୍ଟଲରେ ମଧ୍ୟ ପ୍ରବଳ ଜନଗହଳି ଦେଖିବାକୁ ମିଳୁଛି । ଗତକାଲି ସୁଦ୍ଧା ବୟନିକା ଷ୍ଟଲରେ ୮ ଲକ୍ଷ ୨୭ ହଜାର ୪୪୬ ଟଙ୍କା ଏବଂ ଉତ୍କଳିକା ଷ୍ଟଲରେ ୫ ଲକ୍ଷ ୭୬ ହଜାର ଟଙ୍କାର ସାମଗ୍ରୀ ବିକ୍ରୟ ହୋଇଛି ।

ପାଭିଲିୟନର ମଧ୍ୟଭାଗରେ ଥିବା ବୋଇତ ଉପରେ ତନ୍ତରେ ବସ୍ତ୍ର ପ୍ରସ୍ତୁତି କଳାକୁ ଦର୍ଶକମାନେ ବହୁ ସଂଖ୍ୟାରେ ଉପଭୋଗ କରିବା ସହିତ ଚାନ୍ଦୁଆ, ପଟ୍ଟଚିତ୍ର ଓ ପ୍ରସ୍ତର ମୂର୍ତ୍ତୀ ନିର୍ମାଣ ଶୈଳୀ, ଏହାର ଉପଲବ୍ଧତା ଆଦି ସମ୍ପର୍କରେ ଶିଳ୍ପୀମାନଙ୍କଠାରୁ ପଚାରି ବୁଝୁଛନ୍ତି ।

୧୪ ତାରିଖରୁ ୨୪ ତାରିଖ ଅର୍ଥାତ ବିଗତ ୧୧ ଦିନ ମଧ୍ୟରେ ଓଡିଶା ପାଭିଲିୟନର ବ୍ୟବସାୟ ୫୦ ଲକ୍ଷ ଛୁଇଁଥିବା ବେଳେ ଦେଶବିଦେଶର ଅଢେଇ ଲକ୍ଷରୁ ଅଧିକ ଲୋକଙ୍କ ସହିତ ସୁସମ୍ପର୍କ ସ୍ଥାପନ କରିବାରେ ଓଡିଶା ପାଭିଲିୟନ ସଫଳ ହୋଇଛି ବୋଲି ପାଭିଲିୟନ ନିର୍ଦ୍ଦେଶକ ଶ୍ରୀ ସୂର୍ଯ୍ୟ ରଞ୍ଜନ ମହାନ୍ତି ପ୍ରକାଶ କରିଛନ୍ତି ।

Comments are closed.