ଭୁବନେଶ୍ବର: ଖୁବ୍ଶୀଘ୍ର ଓଡ଼ିଆ ଭାଷାରେ ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ (ଆଇଆଇଟି) ଇଞ୍ଜିନିୟରିଂ ପାଠ ପଢ଼ିବେ ଛାତ୍ରଛାତ୍ରୀ। ଆଇଆଇଟି ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ଯୋଡ଼ିବା ପାଇଁ ଦେଶର ସମସ୍ତ ଆଇଆଇଟି ନିର୍ଦେଶକଙ୍କୁ ପରାମର୍ଶ ଦିଆଯାଇଛି। ଦୀର୍ଘ ୩୪ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ପ୍ରଣୟନ ହୋଇଥିବା ନୂଆ ଜାତୀୟ ଶିକ୍ଷା ନୀତିରେ ବହୁ ଭାଷାଭାଷୀ ବିଷୟକୁ ଗୁରୁତ୍ବ ଦିଆଯାଇଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଆଇଆଇଟି ଭୁବନେଶ୍ବରର ପୁଷ୍ପଗିରି ଅଧ୍ୟୟନ ଶ୍ରେଣୀଗୃହ ଏବଂ ଋଷିକୁଲ୍ୟା ଛାତ୍ରାବାସକୁ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ ଆଇଆଇଟି ଭୁବନେଶ୍ବର ନିର୍ଦେଶକ ପ୍ରଫେସର ଆର.ଭି.ରାଜ କୁମାର ଓ ଦକ୍ଷତା ବିକାଶ ପ୍ରତିଷ୍ଠାନ ଅଧ୍ୟକ୍ଷ ରଞ୍ଜନ କୁମାର ମହାପାତ୍ରଙ୍କ ଉପସ୍ଥିତିରେ ଲୋକାର୍ପଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଥିଲେ, ଶିଳ୍ପ ବିପ୍ଳବ ୪.୦ ବିଶ୍ବର ବିକାଶ ପାଇଁ ବ୍ୟବସାୟର ନୂଆ ବ୍ୟବସାୟର ନୂଆ ମଡେଲ ଆବଶ୍ୟକତା କରୁଥିବାବେଳେ ଆଇଆଇଟି ଭୁବନେଶ୍ବର ଏଥିପାଇଁ ନୂଆ ବ୍ୟବସାୟ ଓ ଆର୍ଥିକ ମଡେଲ ପ୍ରସ୍ତୁତ କରି ନିଯୁକ୍ତି ସୃଷ୍ଟି କରିବା ସହ ନୂଆ ବୈଷୟିକ ସମସ୍ୟାର ସମାଧାନ କରିବା ଦରକାର। ନିର୍ଦେଶକ ରାଜ କୁମାର କହିଥିଲେ, ଆଇଆଇଟି ଓ ଦକ୍ଷତା ବିକାଶ ମଧ୍ୟରେ ଚୁକ୍ତିନାମା ଆଗାମୀ ଦିନରେ ନୂଆ ଅଧ୍ୟାୟ ସୃଷ୍ଟି କରିବ।
ସମ୍ମାନିତ ଅତିଥି ଆଇଆଇଟି ଭୁବନେଶ୍ୱରର ଅଧ୍ୟକ୍ଷ ଡ. ରାଜେନ୍ଦ୍ର ପ୍ରସାଦ ସିଂ କହିଛନ୍ତି, ଏହି ପ୍ରତିଷ୍ଠାନ ଏକ ଆଧୁନିକ ଏବଂ ନିର୍ଣ୍ଣାୟକ ଭାରତ ପାଇଁ ରାସ୍ତା ନିର୍ମାଣ ଦିଗରେ ସଫଳ ହେବ। କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଓଡ଼ିଆ ପିଲାଙ୍କ ଦକ୍ଷତା ବୃଦ୍ଧି କରି ସେମାନଙ୍କୁ ରୋଜଗାର ଦେବା ପାଇଁ ଆଇଆଇଟି ଭୁବନେଶ୍ବର ଏବଂ ଦକ୍ଷତା ବିକାଶ ପ୍ରତିଷ୍ଠାନ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। କାର୍ଯ୍ୟକ୍ରମରେ ଛାତ୍ର ବ୍ୟାପାର ଡିନ୍ ପ୍ରଫେସର ଭି.ଆର ପେଡିରେଡ୍ଡୀ, ଡିନ୍ ସୁଜିତ ରୟ, ଅଧ୍ୟାପିକା ଯୋଜନା ଡିନ୍ ପ୍ରଫେସର ସରୋଜ ନାୟକ, ବିଦ୍ୟାପୀଠ (ଏକାଡେମୀ) ଡିନ୍ ଡ. ପ୍ରଭାସ ସାହୁ, କୁଳସଚିବ ଦେବରାଜ ରଥ, ପ୍ରଫେସର ଡ. ପି.ଭି ସତ୍ୟମ୍ ଓ ଡ ସୁମନ୍ତ ହାଲଦାର ପ୍ରମୁଖ ଉପସ୍ଥିତ ଥିଲେ।



