ରୁଟ୍‌ ୨ୟ ସ୍ଥାନରେ ; ରାହୁଲ, ସିରାଜ୍‌ଙ୍କ ଉନ୍ନତି

ଆଇସିସି ଟେଷ୍ଟ ମାନ୍ୟତା

ଦୁବାଇ : ଘରୋଇ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନ ଯୋଗୁଁ ଭାରତୀୟ ଓପ୍‌ନର କେ.ଏଲ୍‌. ରାହୁଲ ଓ ପେସ୍ ବୋଲର ମହମ୍ମଦ ସିରାଜ୍‌ଙ୍କ ମାନ୍ୟତାରେ ବେଶ୍‌ ଉନ୍ନତି ଘଟିଛି। ଲର୍ଡସ ଟେଷ୍ଟର ପ୍ରଥମ ଇନିଂସରେ ରାହୁଲ ଶତକ (୧୨୯) ହାସଲ କରିବାରୁ ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତାରେ ସେ ୧୯ଟି ସ୍ଥାନର ଉନ୍ନତି ଘଟାଇ ୩୭ତମ ସ୍ଥାନରେ ପହଞ୍ଚିଛନ୍ତି। ତେବେ ଅନ୍ୟ ୩ ଭାରତୀୟ ବ୍ୟାଟ୍‌ସମ୍ୟାନ୍- ଅଧିନାୟକ ବିରାଟ କୋହଲି, ରୋହିତ ଶର୍ମା ଓ ଋଷଭ ପନ୍ତ୍ ଯଥାକ୍ରମେ ୫ମ, ୬ଷ୍ଠ ଓ ୭ମ ସ୍ଥାନରେ ରହିଛନ୍ତି।
ସିରିଜ୍ ଆରମ୍ଭରେ ବ୍ୟାଟିଂ ମାନ୍ୟତାର ୫ମ ସ୍ଥାନରେ ଥିବା ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ପ୍ରଥମ ଟେଷ୍ଟରେ ଶତକ ହାସଲ କରିବା ପରେ କୋହଲିଙ୍କୁ ଟପି ୪ର୍ଥ ସ୍ଥାନରେ ଥିଲେ। ହେଲେ ୨ୟ ଟେଷ୍ଟରେ ପୁଣି ଏକ ଶତକ ମାରିବା ଯୋଗୁଁ ରୁଟ୍‌ ଆଉ ୨ଟି ସ୍ଥାନର ଉନ୍ନତି ଘଟାଇ ୨ୟ ସ୍ଥାନରେ ପହଞ୍ଚିଛନ୍ତି। ଚମତ୍କାର ଫର୍ମରେ ଥିବା ଜୋ ରୁଟ୍‌ ଏହି ୨ଟି ମ୍ୟାଚ୍‌ରେ ୬୪, ୧୦୯, ଅପରାଜିତ ୧୮୦ ଓ ୩୩ ରନ୍‌ କରିଛନ୍ତି। ମୋଟ ୩୮୬ ରନ୍‌ ସହ ରୁଟ୍‌ ସିରିଜ୍‌ରେ ସର୍ବାଧିକ ସ୍କୋରର୍ ରହିଛନ୍ତି। ଫଳରେ ଅଷ୍ଟ୍ରେଲିଆର ୨ ବ୍ୟାଟ୍‌ସମ୍ୟାନ୍ ଷ୍ଟିଭେନ୍ ସ୍ମିଥ୍ ଓ ମାର୍ନସ ଲାବୁସେନ୍‌ଙ୍କୁ ପଛରେ ପକାଇ ରୁଟ୍‌ ୨ୟ ସ୍ଥାନରେ ରହିଛନ୍ତି। ସ୍ମିଥ୍ ୩ୟ ଓ ଲାବୁସେନ୍ ୪ର୍ଥ ସ୍ଥାନରେ ରହିଛନ୍ତି। ପାକିସ୍ତାନ ଅଧିନାୟକ ବାବର ଆଜମ୍‌ ୨ଟି ସ୍ଥାନ ଉପରକୁ ଉଠି ୮ମ ସ୍ଥାନରେ ରହିଛନ୍ତି। ଟେଷ୍ଟ ଅଲ୍‌ରାଉଣ୍ଡର ମାନ୍ୟତାରେ ଭାରତର ରବୀନ୍ଦ୍ର ଜାଡ଼େଜା ଗୋଟିଏ ସ୍ଥାନ ତଳକୁ ଖସି ୩ୟ‌ରେ ଥିବା ବେଳେ ରବିଚନ୍ଦ୍ରନ୍ ଅଶ୍ବିନ ୪ର୍ଥ ସ୍ଥାନ​‌େ​‌ର ରହିଛନ୍ତି। ଟେଷ୍ଟ ବୋଲର ମାନ୍ୟତାରେ ସବୁଠାରୁ ଅଧିକ ଉନ୍ନତି କରିଛନ୍ତି ହାଇଦରାବାଦର ପେସ୍ ବୋଲର ମହମ୍ମଦ ସିରାଜ୍। ଇଂଲଣ୍ଡ ବିପକ୍ଷ ୨ୟ ଟେଷ୍ଟରେ ସିରାଜ୍‌ ଉଭୟ ଇନିଂସରେ ୪ଟି ଲେଖାଏଁ ୱିକେଟ ନେବାରୁ ୧୮ଟି ସ୍ଥାନର ଉନ୍ନତି ଘଟାଇ ୩୮ତମ ସ୍ଥାନରେ ରହିଛନ୍ତି। ଯଶପ୍ରୀତ ବୁମ୍‌ରା ଗୋଟିଏ ସ୍ଥାନ ତଳକୁ ଖସି ୧୦ମ ସ୍ଥାନରେ ରହିଛନ୍ତି। ଭାରତୀୟ ପ୍ରଥମ ଇନିଂସରେ ୫ଟି ୱିକେଟ ନେଇଥିବା ୩୯ ବର୍ଷ ବୟସ୍କ ଇଂଲଣ୍ଡର ପେସ୍ ବୋଲର ଜେମ୍‌ସ ଆଣ୍ଡରସନ୍ ଗୋଟିଏ ସ୍ଥାନର ଉନ୍ନତି ଘଟାଇ ୬ଷ୍ଠ ସ୍ଥାନରେ ଅଛନ୍ତି। ୱେଷ୍ଟଇଣ୍ଡିଜ୍‌ର ଜେସନ୍ ହୋଲ୍‌ଡର ୨ଟି ସ୍ଥାନର ଉନ୍ନତି ଘଟାଇ ୯ମ ସ୍ଥାନରେ ରହିଛନ୍ତି। ସାଥୀ ବୋଲର କିମାର ରୋଚ୍ ୧୧ଶ ସ୍ଥାନରେ ଥିବା ବେଳେ ପାକିସ୍ତାନର ସାହିନ୍ ଶାହା ଆଫ୍ରିଦି ୪ଟି ସ୍ଥାନ ଉପରକୁ ଉଠି ୧୮ଶ ସ୍ଥାନରେ ରହିଛନ୍ତି। ବୋଲରଙ୍କ ମାନ୍ୟତାରେ ପ୍ରଥମ ୫ଟି ସ୍ଥାନରେ ଅଛନ୍ତି ଅଷ୍ଟ୍ରେଲିଆର ପ୍ୟାଟ୍‌ କମିନ୍‌ସ, ଭାରତର ଆର୍. ଅଶ୍ବିନ, ନ୍ୟୁଜିଲାଣ୍ଡର ଟିମ୍ ସାଉଦି, ଅଷ୍ଟ୍ରେଲିଆର ଜୋସ୍ ହାଜେଲଉଡ୍‌ ଓ ନ୍ୟୁଜିଲାଣ୍ଡର ନିଲ୍‌ ୱାଗ୍‌ନର।

Comments are closed.