ଆଇସିସି ଟେଷ୍ଟ ମାନ୍ୟତା : ଶୀର୍ଷ ୫ରେ ବୁମ୍‌ରା, ଖସିଲେ କୋହଲି ଓ ଜାଡେଜା

ଦୁବାଇ:  ଅନ୍ତର୍ଜାତୀୟ କ୍ରିକେଟ ପରିଚାଳନା ପରିଷଦ(ଆଇସିସି) ପକ୍ଷରୁ ସଦ୍ୟ ପ୍ରକାଶିତ ବ୍ୟାଟିଂ ମାନ୍ୟତାରେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ତଳକୁ ଖସି ଆସିଥିବା ବେଳେ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଉପରକୁ ଉଠିଛନ୍ତି। ବୋଲର ମାନ୍ୟତାର ବୁମ୍‌ରା ଶୀର୍ଷ-୫ରେ ପହଞ୍ଚିଛନ୍ତି।
ବ୍ୟାଟିଂ ମାନ୍ୟତାର ୫ମ ସ୍ଥାନରେ ଥିବା ବିରାଟ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ ବିଫଳତା ପାଇଁ ୪ଟି ସ୍ଥାନ ତଳକୁ ଖସି ୯ମ ସ୍ଥାନରେ ପହଞ୍ଚିଛନ୍ତି। କୋହଲି ମୋହାଲି ଟେଷ୍ଟର ପ୍ରଥମ ଇନିଂସରେ ୪୫ରନ କରିଥିବା ବେଳେ ୨ୟ ଟେଷ୍ଟରେ ୨୩ ଓ ୧୩ରନ କରିଥିଲେ। ୨୦୧୯ ନଭେମ୍ବର ପରେ କୋହଲି ଟେଷ୍ଟ କ୍ରିକେଟରେ ଶତକ ଅର୍ଜନ କରିନାହାନ୍ତି। ସେହିପରି ବ୍ୟାଟିଂ ମାନ୍ୟତାର ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟ​‌େ​‌ର ଅନ୍ୟତମ ଭାରତୀୟ ୱିକେଟରକ୍ଷକ ଋଷଭ ପନ୍ତ୍‌ ସ୍ଥାନ ପାଇଛନ୍ତି। ପନ୍ତ୍‌ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ ୨ଟି ଅର୍ଦ୍ଧଶତକ ହାସଲ କରିବା ସହ ମାନ୍ୟତାରେ ଉପରକୁ ଉଠି ୧୦ମ ସ୍ଥାନରେ ରହିଛନ୍ତି। ଭାରତୀୟ ଅଧିନାୟକ ରୋହିତ ଶର୍ମା ୬ଷ୍ଠ ସ୍ଥାନ ବଜାୟ ରଖିଛନ୍ତି। ବାଙ୍ଗାଲୋରରେ ଶ୍ରୀଲଙ୍କା ବିପକ୍ଷ ଦିବାରାତ୍ର ଟେଷ୍ଟରେ ୯୨ ଓ ୬ ୭ରନ କରିଥିବ​‌ା ଶ୍ରେୟାସ ଆୟର ବ୍ୟାଟିଂ ମାନ୍ୟତାରେ ଉନ୍ନତି ସହ ୩୭ତମ ସ୍ଥାନରେ ପହଞ୍ଚିଛନ୍ତି। ଭାରତ ବିପକ୍ଷ ଟେଷ୍ଟରେ ଶତକ ଅର୍ଜନ କରିଥିବା ଶ୍ରୀଲଙ୍କା ଅଧିନାୟକ ଦିମୁଥ କରୁଣାରତ୍ନେ ୩ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ଜୀବନର ଶ୍ରେଷ୍ଠ ମାନ୍ୟତା ୫ମ ସ୍ଥାନରେ ରହିଛନ୍ତି। ସେହିପରି ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ ଚମତ୍କାର ପ୍ରଦର୍ଶନ ସହ ଏକ ଇନିଂସରେ ୫ ୱିକେଟ ନେଇଥିବା ଯଶପ୍ରୀତ ବୁମ୍‌ରା ୬ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୪ର୍ଥ ସ୍ଥାନରେ ପହଞ୍ଚିଛନ୍ତି। ବୁମ୍‌ରା ବାଙ୍ଗାଲୋରରେ ଶ୍ରୀଲଙ୍କା ବିପକ୍ଷ ଦିବାରାତ୍ର ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ୫ଟି ଓ ଦ୍ବିତୀୟ ଇନିଂସରେ ୱିକେଟ ନେବା ସହ ସେହେନ୍‌ସାହା ଆଫ୍ରିଦ୍, କାଏଲ ଜେମିସନ, ଟିମ୍‌ ସାଉଥି, ଜେମ୍ସ ଆଣ୍ଡରସନ, ନିଲ୍‌ ୱାଗନର ଓ ଜୋସ ହାଜେଲଉଡ୍‌କୁ ପଛରେ ପକାଇ ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ବୋଲିଂ ମାନ୍ୟତାରେ ଅଷ୍ଟ୍ରେଲିଆର ପ୍ୟାଟ କମିନ୍ସ ୧ ନମ୍ବର ସ୍ଥାନରେ ରହିଥିବାବେଳେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ୨ୟ ଓ ଦକ୍ଷିଣ ଆଫ୍ରିକାର କାଗିସୋ ରାବଡା ୩ୟ ସ୍ଥାନରେ ରହିଛନ୍ତି। ରବୀନ୍ଦ୍ର ଜାଡେଜା ଅଲ୍‌ରାଉଣ୍ଡର ମାନ୍ୟତାରେ ଗୋଟିଏ ସ୍ଥାନ ତଳକୁ ଖସି ଆସିଛନ୍ତି । ଜାଡେଜା ୧ ନମ୍ବର ସ୍ଥାନରୁ ୨ୟ ସ୍ଥାନକୁ ଖସି ଆସିଛନ୍ତି। ଜାଡେଜାଙ୍କୁ ପଛରେ ପକାଇ ୱେଷ୍ଟଇଣ୍ଡିଜ୍‌ ଜାସନ ହୋଲଡର ୧ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ସେହିପରି ରବିଚନ୍ଦ୍ରନ ଅଶ୍ବିନ, ସାକିବ୍‌ ଉଲ୍‌ ହାସନ ଓ ବେନ୍ ଷ୍ଟୋକ୍‌ସ ନିଜନିଜର ସ୍ଥାନ ବଜାୟ ରଖିଛନ୍ତି। ଭାରତୀୟ ବୋଲର ମହମ୍ମଦ ସାମି ୭ତମ ସ୍ଥାନକୁ ଉଠିଛନ୍ତି।

Comments are closed.