www.samajalive.in
Saturday, December 13, 2025
21.1 C
Bhubaneswar

ଅଗଷ୍ଟ ପୂର୍ବରୁ ଟି-୨୦ ବିଶ୍ୱକପ୍‍ ନେଇ ନିଷ୍ପତ୍ତି ନେବନାହିଁ ଆଇସିସି

ମୁମ୍ବଇ : ପୂର୍ବରୁ କ୍ରୀଡ଼ାଜଗତ ଏପରି ଦୁର୍ଦ୍ଦିନର ସମ୍ମୁଖୀନ ହୋଇନଥିଲା। ଚଳିତବର୍ଷ ପ୍ରାରମ୍ଭରୁ ବିଶ୍ୱରେ କରୋନା ଭୂତାଣୁ ସଂକ୍ରମଣ ମହାମାରୀ ରୂପ ଧାରଣ କରିଥିବା ବେଳେ ଦିନକୁ ଦିନ ଏହା କାୟା ବିସ୍ତାର କରିବାରେ ଲାଗିଛି। ଅଦ୍ୟାବଧି ବିଶ୍ୱରେ ଦେଢ଼ଲକ୍ଷରୁ ଅଧିକ ଲୋକ ଏହି ମହାମାରୀର ଶିକାର ହୋଇ ସାରିଲେଣି। ତେଣୁ ଚଳିତବର୍ଷ ବର୍ଷର ପ୍ରଥମାର୍ଦ୍ଧରେ ଆୟୋଜନ ହେବାର ଥିବା ପ୍ରାୟ ସମସ୍ତ କ୍ରୀଡ଼ା ପ୍ରତିଯୋଗିତା ବାତିଲ ହୋଇଯାଇଛି କିମ୍ବା ସ୍ଥଗିତ ରଖାଯାଇଛି। କ୍ରିକେଟ୍‍ ମଧ୍ୟ ଏଥିରୁ ବାଦ୍‍ ପଡ଼ିନାହିଁ। ଚଳିତବର୍ଷ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ଖେଳାଯିବ। ଅଷ୍ଟ୍ରେଲିଆ ମଧ୍ୟ କରୋନା ସଂକ୍ରମଣରେ ଘାଇଲା। ଫଳରେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଏହା ତା’ର ସୀମାକୁ ସିଲ୍‍ କରିଦେଇଛି। ଏହି ପରିପ୍ରେକ୍ଷୀରେ ଅଷ୍ଟ୍ରେଲିଆରେ ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ନିର୍ଦ୍ଧାରିତ ସମୟରେ ଖେଳାଯିବାକୁ ନେଇ ସନ୍ଦେହ ସୃଷ୍ଟିହୋଇଛି।
କ୍ରିକେଟ୍‍ ଦୁନିଆରେ ଏହି ଆଲୋଚନା ମଧ୍ୟ ଆରମ୍ଭ ହୋଇଯାଇଛି ଯେ ଅକ୍ଟୋବର-ନଭେମ୍ବରରେ ଏହି ବିଶ୍ୱକପ୍‍ ଅଷ୍ଟ୍ରେଲିଆରେ ଆୟୋଜନ ଅସମ୍ଭବ ମନେହେଉଛି। ବୋଧହୁଏ ଏହାକୁ ଆସନ୍ତାବର୍ଷକୁ ଘୁଞ୍ଚାଇ ଦିଆ ଯାଇପାେରେ। ତେବେ ପରିସ୍ଥିତି ଉପରେ ତୀକ୍ଷ୍‍ଣ ନଜର ରଖିଥିବା ଉକ୍ତ ବିଶ୍ୱକପ୍‍ ଆୟୋଜନ କମିଟିର ଜଣେ ଅଧିକାରୀ କହିଛନ୍ତି ଯେ ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ଅାୟୋଜନ ନେଇ କୌଣସି ନିଷ୍ପତ୍ତି ଅଗଷ୍ଟ ପୂର୍ବରୁ ନିଆଯିବ ନାହିଁ। ତାଙ୍କ ଭାଷାରେ, ବର୍ତ୍ତମାନ ପରିସ୍ଥିତି ଗମ୍ଭୀର ରହିଛି ଏବଂ ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ଆୟୋଜନ ସମ୍ଭାବନା କ୍ଷୀଣ ଲାଗୁଛି। କାରଣ କ୍ରିକେଟର ହୁଅନ୍ତୁ ବା ସାଧାରଣ ଜନତା; ସେମାନଙ୍କ ସ୍ୱାସ୍ଥ୍ୟ ସବୁଠାରୁ ବଡ଼ ପ୍ରାଥମିକତା। ତେବେ ୨/୩ ମାସରେ ପରିସ୍ଥିତିରେ ଉନ୍ନତି ଘଟିପାରେ ବୋଲି ଆଶା ମଧ୍ୟ ରହିଛି। ତେଣୁ ଟ୍ୱେଣ୍ଟି୨୦ ବିଶ୍ୱକପ୍‍କୁ ନେଇ କୌଣସି ନିଷ୍ପତ୍ତି ମେ’ ମାସରେ ନେବା ପରିବର୍ତ୍ତେ ଅଗଷ୍ଟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଆମେ ଠିକ୍‍ କରିଛୁ। ତେଣୁ ଆଇସିସି ତରବରିଆ ଭାବେ କୌଣସି ନିଷ୍ପତ୍ତି ନେବନାହିଁ। କାରଣ ବିଶ୍ୱକପ୍‍ ପରି ବଡ଼ ଇଭେଣ୍ଟକୁ ବର୍ଷେ ଘୁଞ୍ଚାଇଲେ ଆଇସିସିର ଆନ୍ତର୍ଜାତିକ କ୍ରିକେଟ କ୍ୟାଲେଣ୍ଡର ଗଣ୍ଡଗୋଳିଆ ହୋଇଯିବ। ତେଣୁ ଅଗଷ୍ଟ ପୂର୍ବରୁ କୌଣସି ଘୋଷଣାର ଆଶା ରଖନ୍ତୁ ନାହିଁ। ଟୁର୍ଣ୍ଣାମେଣ୍ଟ ନିର୍ଦ୍ଧାରିତ ତାରିଖରେ ଖେଳାଯିବ; ଏହି ଆଶାରେ ବର୍ତ୍ତମାନ ପାଇଁ ସବୁକିଛି ଯୋଜନା ମୁତାବକ ଚାଲିଛି। ଆଇସିସି ଓ ଅଷ୍ଟ୍ରେଲିଆର ସ୍ଥାନୀୟ ଆୟୋଜନ କମିଟି ଟ୍ୱେଣ୍ଟି୨୦ ବିଶ୍ୱକପ୍‍ର ସୁଆୟୋଜନ ପାଇଁ ପୂରାଦମ୍‍ରେ ଲାଗିଛନ୍ତି। ଖାଲି ଷ୍ଟାଡିୟମ୍‍ରେ ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ଆୟୋଜନ ପାଇଁ କେତେକ ମତ ଦେଇଛନ୍ତି। ଆଇସିସିର ମୁଖପାତ୍ର ସ୍ପଷ୍ଟଭାବେ କହିଛନ୍ତି- ବର୍ତ୍ତମାନ ପରିସ୍ଥିତିରେ ଆଇସିସିର ମୁଖ୍ୟ ଦାୟିତ୍ୱ ହେଲା ଖେଳାଳି, ପ୍ରଶିକ୍ଷକ, ଅଫିସିଆଲ୍‍, ପ୍ରଶଂସକ ଏବଂ ପୂରା କ୍ରିକେଟ ସମୁଦାୟର ନିରାପତ୍ତା। ସୂଚନାଯୋଗ୍ୟ; ଗୁରୁବାର ଆଇସିସି ତା’ର ସଦସ୍ୟ ରାଷ୍ଟ୍ରଙ୍କର ଏକ ବୈଠକ ଡାକିଛି। ଭିଡିଓ କନ୍‍ଫରେନ୍‍ସିଂ ଜରିଆରେ ଏହି ବୈଠକ ଅନୁଷ୍ଟିତ ହେବ। ବିସିସିଆଇର ସମ୍ପାଦକ ଜୟ ଶାହା ଏହି ବୈଠକରେ ଭାଗନେବେ। ଭବିଷ୍ୟତ ଗସ୍ତ ଓ ଖେଳସୂଚୀରେ ପୁନର୍ବିନ୍ୟାସ ଏହି ବୈଠକର ପ୍ରମୁଖ ପ୍ରସଙ୍ଗ ରହିବ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories