www.samajalive.in
Monday, December 8, 2025
13.1 C
Bhubaneswar

ମାନଚିତ୍ରରୁ ହଜିବ ଇବ୍ ନଦୀ: ଅସ୍ତିତ୍ବ ରକ୍ଷା ଲାଗି କରୁଛି ସଂଗ୍ରାମ

ବ୍ରଜରାଜନଗର(ସଂଗ୍ରାମ ସାଏ): ବ୍ରଜରାଜନଗର ଅଞ୍ଚଳର ଜୀବନ ପ୍ରଦାୟିନୀ ନଦୀ ଭାବେ ‘ଇବ୍‌’ ପରିଚିତ। କେବେ ଏହି ନଦୀ ଚିରସ୍ରୋତା ଥିଲା। ଏବେ ନିଜ ଅସ୍ତିତ୍ବ ରକ୍ଷା ପାଇଁ ସଂଗ୍ରାମ କରୁଛି। ବର୍ଷାଋତୁକୁ ଛାଡ଼ି ଦେଲେ ବର୍ଷର ଅବଶିଷ୍ଟ ଦିନ ଏହାର ଶଯ୍ୟା ଜଳଶୂନ୍ୟ ହୋଇ ମରୁଭୂମିର ଭ୍ରମ ସୃଷ୍ଟି କରୁଛି।

ପଡ଼ୋଶୀ ଛତିଶଗଡ଼ ରାଜ୍ୟର ଯଶପୁର ଜିଲା ଅନ୍ତର୍ଗତ ବଗିଚା ତହସିଲରୁ ବାହାରି ଥିବା ଇବ୍‌ ରାୟଗଡ଼, ଯଶପୁର ଦେଇ ଓଡ଼ିଶାର ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଦେଇ ମହାନଦୀରେ (ହୀରାକୁଦ ଜଳଭଣ୍ଡାର ପୂର୍ବରୁ) ମିଶିଛି। ଏକଦା ଓଡ଼ିଶାର ଅନ୍ୟତମ ପ୍ରମୁଖ ଶିଳ୍ପ ସହର ଥିବା ଝାରସୁଗୁଡ଼ା ଓ ବ୍ରଜରାଜନଗର ପାଇଁ ଏହା ଥିଲା ପ୍ରଧାନ ଜଳସ୍ରୋତ। ଏହାର ଅବବାହିକାରେ ବସବାସ କରୁଥିବା ଜନସାଧାରଣ ସମ୍ପୂର୍ଣ୍ଣ ରୂପେ ଏହା ଉପରେ ନିର୍ଭର କରୁଥିଲେ। ସେ ମଧ୍ୟ ସେମାନଙ୍କ ସବୁ ପ୍ରକାର ଜଳ ଆବଶ୍ୟକତା ପୂରଣ କରୁଥିଲା। ସେହିପରି ଏହି ନଦୀ ଶିଳ୍ପାନୁଷ୍ଠାନଗୁଡ଼ିକୁ ମଧ୍ୟ ପାଣି ଯୋଗାଉଥିଲା। ବର୍ତ୍ତମାନ ଏହାର ଅବବାହିକାରେ ଏକାଧିକ ଶିଳ୍ପାନୁଷ୍ଠାନ ଗଢ଼ି ଉଠିଥିବା ବେଳେ ଏହାର ଉପରମୁଣ୍ଡରେ ଛତିଶଗଡ଼ ସରକାର ବ୍ୟାରେଜ ଓ ଆନିକଟ ନିର୍ମାଣ କରି ଏହାର ସ୍ବାଭାବିକ ସ୍ରୋତର ଗତିରୋଧ କରିଛନ୍ତି। ଫଳରେ ଇବ୍‌ ନଦୀର ଅସ୍ତିତ୍ବ ପ୍ରତି ବିପଦ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଏଥିରେ ମିଶୁଥିବା ଏକାଧିକ ଶିଳ୍ପାନୁଷ୍ଠାନର ବର୍ଜ୍ୟ ଏହାକୁ ବିଷାକ୍ତ କରୁଛି।

- Advertisement -

ପୂର୍ବେ ଖରାଦିନରେ ମଧ୍ୟ ଇବ୍‌ ନଦୀର ପାଣି ଶୁଖୁ ନଥିଲା, ମାତ୍ର ଏବେ ଶୁଖିଲା ରହୁଥିବାରୁ ଏହା ଉପରେ ନିର୍ଭର କରୁଥିବା ଲୋକେ ପାଣି ଟୋପାଏ ପାଇଁ ହନ୍ତସନ୍ତ ହେଉଛନ୍ତି। ଏହାର ସମାଧାନ ପାଇଁ ବର୍ଷାଋତୁ ପୂର୍ବରୁ ବାଲିବନ୍ଧ ନିର୍ମାଣ କରାଯିବାକୁ ଦାବି ହେଉଛି। ମାତ୍ର କେହି ଶୁଣୁ ନାହାନ୍ତି। ଗତବର୍ଷ ଏହା ଉପରେ ନିର୍ଭର କରୁଥିବା ରାଜପୁର, ଠରକସପୁର, ସର୍ଗିମାଲ, ଗଣ୍ଡଘୋରା, ଲୋଇିସିଂହ, ରେମଜା ପ୍ରଭୃତି ଗ୍ରାମାଞ୍ଚଳବାସୀଙ୍କୁ ନାହିଁ ନଥିବା ଜଳକଷ୍ଟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଆଉ ଏକ ସମସ୍ୟ​‌ା ହେଲା ପ୍ରତିବର୍ଷ ଉପର ମୁଣ୍ଡରୁ ଆସୁଥିବା ବିପୁଳ ପରିମାଣର ବାଲିରେ ଏହାର ଶଯ୍ୟା କ୍ରମଶଃ ପୋତିହୋଇ ଯାଉଛି, ଯଦ୍ବାରା ଇବ୍‌ର ଜଳଧାରଣ କ୍ଷମତା ହ୍ରାସ ପାଉଛି। ଅପରପକ୍ଷେ କୋଇଲା ଉତ୍ପାଦନ ପରେ ଖଣିରେ ବାଲି ଭର୍ତ୍ତି ସକାଶେ ଏମସିଏଲ ନେଇଥିବା ୨୬୯.୫୮ ଏକର ଲିଜ ଅଞ୍ଚଳକୁ ବାଲି ଉଠାଣ ହେଉନଥିବାରୁ ନଦୀ ଶଯ୍ୟାର ଉଚ୍ଚତା ବଢ଼ିବଢ଼ି ଚାଲିଛି। ସୁତରାଂ ଆଗାମୀ ଦିନରେ ଇବ୍‌ ନଦୀ ନିଜ ଅସ୍ତିତ୍ବ ହରାଇବା ସହ ଏକ ବିରାଟ ବାଲିକୁଦରେ ପରିଣତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ତା’ ଛଡ଼ା ବାଲି ଯୋଗୁ ଜଳସ୍ରୋତର ଗତିରୋଧ ହେଲେ ଇବ୍‌ ତାର ଗତିପଥ ପରିବର୍ତ୍ତନ କରିପାରେ ବୋଲି କେହିକେହି ଆଶଙ୍କା ପ୍ରକାଶ କରୁଛନ୍ତି।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories