ଭାରତୀୟ ବାୟୁସେନା ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ବିମାନରେ ଅମ୍ଳଜାନ ସିଲିଣ୍ଡର ଓ ଔଷଧ ପହଞ୍ଚାଇବ। ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ କରୋନା ଭାଇରସ୍ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବହୁ ପରିମାଣରେ ବୃଦ୍ଧି ପାଉଥିବାରୁ ଦିଲ୍ଲୀ ଏବଂ ଏନସିଆର ଅଞ୍ଚଳର ଡାକ୍ତରଖାନାଗୁଡ଼ିକରେ ଅମ୍ଳଜାନ ସିଲିଣ୍ଡରର ଅଭାବ ଦେଖାଦେଇଛି। ପ୍ରଶାସନକୁ ସହାୟତା କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଦ୍ୱାରା ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ଏହି ପଦକ୍ଷେପ ନିଆଯାଇଛି। ଏହାଛଡା କରୋନା ମହାମାରୀର ମୁକାବିଲା ପାଇଁ ବାୟୁସେନା ସ୍ୱାସ୍ଥ୍ୟ କର୍ମଚାରୀ, ଡାକ୍ତର ଏବଂ ନର୍ସିଂ କର୍ମଚାରୀଙ୍କୁ ପହଞ୍ଚାଇବ କାର୍ଯ୍ୟ ଆରମ୍ଭ କରିଛି।
ବାୟୁସେନା ଦିଲ୍ଲୀ, ଲକ୍ଷ୍ନୌ, ପାଟନା, ମୁଜାଫରପୁର ଏବଂ ଅନ୍ୟାନ୍ୟ ସ୍ଥାନରେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) କୋଭିଡ ହସ୍ପିଟାଲ ପ୍ରତିଷ୍ଠା ପାଇଁ କୋଚି, ମୁମ୍ବାଇ, ଭାଇଜାଗ ଏବଂ ବେଙ୍ଗାଲୁରୁ ବେସ ହସ୍ପିଟାଲରୁ ଡାକ୍ତର ଏବଂ ନର୍ସିଂ କର୍ମଚାରୀଙ୍କୁ ଆଣି ପହଞ୍ଛାଇଛି। ବାୟୁସେନା ଦିଲ୍ଲୀର କୋଭିଡ ସେଣ୍ଟର ପାଇଁ ବେଙ୍ଗାଲୁରୁରୁ ଅକ୍ସିଜେନ ସିଲିଣ୍ଡର ପରିବହନ କରିଛି। ଅନ୍ୟପକ୍ଷରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜରୁରୀକାଳୀନ ଔଷଧ କ୍ରୟ ପାଇଁ ଅନୁମୋଦନ କରିଛନ୍ତି।
ଇତି ମଧ୍ୟରେ ଡିଆରଡିଓ କୋଭିଡ ହସ୍ପିଟାଲରେ ଆଇସିୟୁ ବେଡ ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। କୋଭିଡ ରୋଗୀଙ୍କ ସହ କାରବାର କରୁଥିବା ବିଭିନ୍ନ ସାମରିକ ଡାକ୍ତରଖାନାରେ ଏହାର ମାନବ ଶକ୍ତି ଏବଂ ଅନ୍ୟାନ୍ୟ ସମ୍ବଳ ସଂଗ୍ରହ କରିବାକୁ ଶ୍ରୀ ସିଂ ଆର୍ମଡ୍ ଫୋର୍ସ ମେଡିକାଲ୍ ସର୍ଭିସେସକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ପଡିଲେ ମାନବ ଶକ୍ତି ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କୁ ସାହାଯ୍ୟ କରିବା ପାଇଁ ଟୀକାକୃତ ଅବସରପ୍ରାପ୍ତ ସଶସ୍ତ୍ର ବାହିନୀର ସେବାକୁ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି।



