ଭୁବନେଶ୍ବର/କଟକ: ସେ ମଞ୍ଚରେ ଚଢ଼ିଲେ ମତୁଆଲା ହେଉଥିଲେ ଶ୍ରୋତା। କେତେବେଳେ ସଙ୍ଗୀତରେ ପ୍ରେମ ଭରୁଥିଲେ ଆଉ କେତେବେଳେ ବିରହ ବେଦନା ଦେଉଥିଲେ। ପୁଣି ଭକ୍ତିସଙ୍ଗୀତରେ ଶ୍ରୋତାଙ୍କୁ ବାନ୍ଧି ରଖିଥିଲେ। ଆଲବମ ହେଉ ଅବା ଚଳଚ୍ଚିତ୍ର ସବୁଥିରେ ସେ ପ୍ରଶଂସା ସାଉଁଟି ଶ୍ରୋତାଙ୍କ ହୃଦୟରେ ରହିଥିଲେ। ଶେଷରେ ଜୀବନଯୁଦ୍ଧରେ ହାରିଗଲେ ଉଦୀୟମାନ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ସୋମବାର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ତାଙ୍କୁ ୩୬ ବର୍ଷ ହୋଇଥିଲା। ମୃତ୍ୟୁଶଯ୍ୟା ନିକଟରେ ମା’, ପତ୍ନୀ ଉପସ୍ଥିତ ଥିବାବେଳେ ଅନେକ ଶୁଭେଚ୍ଛୁ ଶେଷ ଦର୍ଶନ କରିବା ସହିତ ପରିବାରବର୍ଗଙ୍କୁ ସମବେଦନା ଜଣାଛନ୍ତି।
ହ୍ୟୁମାନଙ୍କ ବୃକକ୍, ଶ୍ବାସକ୍ରିୟା ଓ ଯକୃତଜନିତ ସମସ୍ୟା ସାଙ୍ଗକୁ ସେ ନିମୋନିଆରେ ପୀଡ଼ିତ ଥିଲେ। ଗତ ୧୪ ତାରିଖରୁ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଥିବାବେଳେ ସୋମବାର ରାତି ୯ଟା ୮ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ପରଲୋକ ଖବର ପ୍ରସାରିତ ହେବା ପରେ କେବଳ ସଙ୍ଗୀତ ଦୁନିଆ ନୁହେଁ ଓଲିଉଡରେ ମଧ୍ୟ ଶୋକର ଛାୟା ଖେଳିଯାଇଛି। ଖବର ପାଇ ରାଜନେତାଙ୍କଠାରୁ ଆରମ୍ଭ କରି ଅଭିନେତା, ଶୁଭେଚ୍ଛୁ ଏବଂ ସଙ୍ଗୀତ ଜଗତ ସହିତ ଜଡ଼ିତ ବ୍ୟକ୍ତିବିଶେଷ ହସ୍ପିଟାଲରେ ପହଞ୍ଚି ଶେଷଦର୍ଶନ କରିବା ସହିତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ସେ କିଛିବର୍ଷ ହେଲା କଟକ ମର୍କତନଗର ୯ନମ୍ବର ସେକ୍ଟର ଭଡ଼ାଘେର ରହୁଥିଲେ। ଅସୁସ୍ଥ ହେବା ପରେ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଅବସ୍ଥା ଅତି ଗୁରୁତର ହେବାରୁ ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତରଙ୍କ ଶତଚେଷ୍ଟା ଏବଂ କଳାକାର ତଥା ଶୁଭେଚ୍ଛୁଙ୍କ ପ୍ରାର୍ଥନା ପରେ ବି ଆରୋଗ୍ୟ ସମ୍ଭବ ହୋଇପାରିନଥିଲା। ପ୍ରାୟ ଦଶନ୍ଧି ଧରି ସେ ଓଡ଼ିଆ ସଙ୍ଗୀତଜଗତେର ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିଥିଲେ। ୨୦୧୫ରୁ ୨୦୨୫ ମଧ୍ୟରେ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ।
ତରଙ୍ଗ ଟିଭି ଦ୍ୱାରା ଆୟୋଜିତ ୨୦୧୨ରେ ‘ଭଏସ୍ ଅଫ୍ ଓଡ଼ିଶା ସିଜନ୍-୨’ର ବିଜେତା ହୋଇ ସେ ଲୋକଲୋଚନକୁ ଆସିବା ପରେ ୨୦୧୪ରେ ସିନେମା ଜଗତରେ ପ୍ରବେଶ କରିଥିଲେ। ଅନୁଭବ ମହାନ୍ତିଙ୍କ ଅଭିନୀତ ଓଡ଼ିଆ ସିନେମା ‘ସମ୍ଥିଙ୍ଗ ସମ୍ଥିଙ୍ଗ-୨’ ପାଇଁ ଗୀତ ଗାଇ ସେ ଓଡ଼ିଆ ସଙ୍ଗୀତ ଦୁନିଆରେ ବେଶ୍ ଚର୍ଚ୍ଚିତ ହୋଇଥିଲେ। ସଂଯୋଗବଶତଃ ତାଙ୍କ େଶଷ ସିନେମା ୨୦୨୫ର ଅନୁଭବ ମହାନ୍ତିଙ୍କ ଅଭିନୀତ ‘ଚାରିଧାମ’ ଥିଲା। ଅନ୍ୟ ଏକ ସଂଯୋଗ ହେଲା, ନଭେମ୍ବର ୨୫ ତାରିଖରେ ହିଁ ହ୍ୟୁମାନ ଜନ୍ମ ହୋଇଥିଲେ ଏବଂ ଚଳିତ ମାସ ୨୫ ତାରିଖ ଦିନ ତାହା ପାଳନ ହୋଇଥାଆନ୍ତା। ସମସ୍ତପ୍ରକାର ଗୀତ ଗାଇବାର ଦକ୍ଷତା ସେ ରଖୁଥିଲେ। ତାଙ୍କ ଗୀତ- ଭିଜେଇ ଦେଇ ଯାଆ ଥରେ ପ୍ରିୟା ତୋ ପ୍ରେମ ବର୍ଷାରେ… ହେଉ ଅବା ଗଜଲ୍ ଗଜଲ୍…। ହିନ୍ଦୀ ଆଲବମ୍ ‘ମେରା ୟେ ଜାହାଁ’ ରେ ମଧ୍ୟ ସେ କଣ୍ଠଦାନ କରିଛନ୍ତି। ନିଃଶ୍ୱାସ, ବେଖୁଦି, ଚେହେରା, ତୁମ ଓଠ ତଳେ ଆଦି ବହୁ ଓଡ଼ିଆ ଆଲବମ୍ ତାଙ୍କର ରହିଛି। ସଙ୍ଗୀତରେ ରୁଚି ରଖୁଥିବା ପରିବାରରେ ସେ ଜନ୍ମ ହୋଇଥିଲେ। ତାଙ୍କ ବାପା ଓ ମାଆ ଥିଲେ କଣ୍ଠଶିଳ୍ପୀ ଏବଂ ଜେଜେବାପା ଥିଲେ ମ୍ୟୁଜିକ୍ କମ୍ପୋଜର୍। ରାଜ୍ୟ ଚଳଚ୍ଚିତ୍ର ଓ ଚଳଚ୍ଚିତ୍ର ଜଗତ ପକ୍ଷରୁ ଏକାଧିକବାର ପ୍ରଚ୍ଛଦପଟ କଣ୍ଠଶିଳ୍ପୀଭାବେ ସେ ପୁରସ୍କାର ହାତେଇଛନ୍ତି। ତାଙ୍କ ବିୟୋଗ ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ମତପ୍ରକାଶ ପାଇଛି।



