ସମ୍ବଲପୁର: ଆସିଲାଣି ପର୍ଯ୍ୟଟନ ଋତୁ। ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ପର୍ଯ୍ୟଟକମାନଙ୍କର ପର୍ଯ୍ୟଟନସ୍ଥଳୀକୁ ସୁଅ ଛୁଟିବ। ଏହି ପରିପ୍ରେକ୍ଷୀରେ ସବୁ ବର୍ଷପରି ଚଳିତ ବର୍ଷ ମଧ୍ୟ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ହୀରାକୁଦ ଇକୋ ରିଟ୍ରିଟ୍ ବ୍ୟବସ୍ଥା କରାଯାଇଛି। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଏହାର ଉଦଘାଟନ କରିଛନ୍ତି। ଏହା ଆଜିଠାରୁ ଜାନୁଆରୀ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଇକୋ ରିଟ୍ରିଟରେ ଷ୍ଟାର ହୋଟେଲର ରହଣି ସୁବିଧା, ସକାଳ ଜଳଖିଆଠାରୁ ଆରମ୍ଭ କରି ରାତ୍ରି ଭୋଜନ ପର୍ଯ୍ୟନ୍ତ ମେନ୍ୟୁରେ ରହିଛି ସୁସ୍ୱାଦ ଖାଦ୍ୟ, ପାନୀୟ, ନାଚ, ଗୀତ ତଥା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଜଳକ୍ରୀଡା, ବୋଟରେ ହୀରାକୁଦ ଜଳରାଶିରେ ବୁଲିବାର ମଜା, ଦୁଃସାହସିକ ଖେଳ ସହ ପ୍ରକୃତି କୋଳଲେ ଅପୂର୍ବ ଅନୁଭୂତି ପର୍ଯ୍ୟଟକମାନେ ସାଉଁଟିବେ। ଏହା ସହିତ ହୀରାକୁଦ ଇକୋ ରିଟ୍ରିଟ ଆସିଥିବା ପର୍ଯ୍ୟଟକମାନେ ସମଲେଶ୍ବରୀ ମନ୍ଦିର, ହୀରାକୁଦ ଡ୍ୟାମ, ଘଣ୍ଟେଶ୍ୱରୀ ମନ୍ଦିର, ଡେବ୍ରିଗଡ଼ ଅଭୟାରଣ୍ୟ ଇତ୍ୟାଦି ବୁଲିବା ସହିତ ଏହାର ମଜା ନେଇପାରିବେ। ଚଳିତ ବର୍ଷ ଇକୋ ରିଟ୍ରିଟରେ ପର୍ଯ୍ୟଟକଙ୍କ ପାଇଁ ୨୫ ଗୋଟି ବିଳାସପୂର୍ଣ୍ଣ କଟେଜ ସହିତ ଷ୍ଟାର ହୋଟେଲ ସୁବିଧା ମିଳିବ। ଆଜି ସକାଳ ୧୧ଟାରେ ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ୍ ଉଦଘାଟନୀ କାର୍ଯ୍ୟକ୍ରମରେ ହୀରାକୁଦ ଇକୋ ରିଟ୍ରିଟ ସାଇଟରେ ରେଙ୍ଗାଲି ବିଧାୟକ ନାଉରି ନାୟକ, ରେଢ଼ାଖୋଲ ବିଧାୟକ ରହିତ ପୂଜାରୀ, କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକ, ଜିଲ୍ଲା ପରିଷଦ ପ୍ରେସିଡେଣ୍ଟ କୁମୁଦିନୀ ନାୟକ, ଉତ୍ତରାଞ୍ଚଳ ରାଜସ୍ବ କମିସନର ଡ଼. ସୁରେଶ ଚନ୍ଦ୍ର ଦଳେଇ, ଜିଲାପାଳ ଅନନ୍ୟା ଦାସ, ଏସପି ମୁକେଶ କୁମାର ଭାମୁ, ସମ୍ବଲପୁର ମହାନଗର ନିଗମ କମିସନର ବେଦ ଭୂଷଣ, ପର୍ଯ୍ୟଟନ ବିଭାଗ ଓଏସଡି ହେମନ୍ତ ପ୍ରଧାନଙ୍କ ସମେତ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି କଟେଜରେ ଗୋଟିଏ ଦିନର ରହଣି(ସୋମବାରରୁ ଶୁକ୍ରବାର) ୮ ହଜାର ଟଙ୍କା ଏବଂ ଶନିବାର ଓ ରବିବାର ପ୍ରତି କଟେଜର ମୂଲ୍ୟ ୯ ହଜାର ଟଙ୍କା ସହିତ ସ୍ଵତନ୍ତ୍ର ଦିବସ ଯଥା ୨୩ ଡିସେମ୍ବରରୁ ୩ ଜାନୁଆରୀ ପାଇଁ ୧୦ ହଜାର ଟଙ୍କା ରହିଛି। ପର୍ଯ୍ୟଟକମାନେ www.odishaecoretreats.com କିମ୍ବା www.bookodisha.comରେ ଓଡ଼ିଶାର ଯେକୌଣସି ଇକୋ ରିଟ୍ରିଟ ପାଇଁ ବୁକିଂ କରିପାରିବେ।
ସୂଚନାଯୋଗ୍ୟ, ଆଜି ମୁଖ୍ୟମନ୍ତ୍ରୀ ହୀରାକୁଦ ସମେତ କଟକ ଜିଲ୍ଲାର ସାତୋକୋଶିଆ, କନ୍ଧମାଳର ଦାରିଙ୍ଗବାଡ଼ି, କୋରାପୁଟର ପୁଟସିଲ ଇକୋ ରିଟ୍ରିଟର ଉଦଘାଟନ କରିଛନ୍ତି।



