www.samajalive.in
Friday, December 12, 2025
23.1 C
Bhubaneswar

୪୦୦ମି. ​‌‌​‌‌ଦୌଡ଼ରେ ହିମା ଓ ଅନାସ୍‍ଙ୍କୁ ରୌପ୍ୟ

ଜାକର୍ତ୍ତା : ଚଳିତ ଏସୀୟ କ୍ରୀଡ଼ାରେ ୪୦୦ ମିଟର ଦୌଡ଼ରେ ଭାରତକୁ ଉଭୟ ପୁରୁଷ ଓ ମହିଳା ବିଭାଗରେ ରୌପ୍ୟପଦକରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି। ଉଭୟ ଫାଇନାଲରେ ଭାରତର ମହମ୍ମଦ ଅନାସ୍‍ ୟାହିୟା ଓ ହିମା ଦାସ ଫେଭରିଟ୍‍ ଥିଲେ ହେଁ ବାହାରେନ୍‍ ଓ କାତାରର ସ୍ପ୍ରିଣ୍ଟର ଉଭୟ ବିଭାଗରେ ସ୍ୱର୍ଣ୍ଣପଦକ ଜିତିଛନ୍ତି ଏବଂ ଅନାସ୍‍ ଓ ହିମାଙ୍କୁ ରୌପ୍ୟପଦକରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି।
ପୁରୁଷ ୪୦୦ ମିଟର ଦୌଡ଼ ଫାଇନାଲରେ ଭାରତର ମହମ୍ମଦ ଅନାସ୍‍ ୟାହିୟା ୨ୟ ସ୍ଥାନରେ ରହି ରୌପ୍ୟପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ସ୍ୱର୍ଣ୍ଣପଦକ ଜିତିଛନ୍ତି କାତାରର ଆବ୍‍ଦେଲେଲା ହାସନ୍‍। ସେମିଫାଇନାଲରେ ମହମ୍ମଦ ଅନାସ୍‍ ୪୫.୩୦ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନରେ ରହିଥିଲେ; ଯାହା ୮ ଜଣ ଫାଇନାଲିଷ୍ଟଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ଥିଲା। ସେମିଫାଇନାଲରେ ୪୫.୮୧ ସମୟ ନେଇଥିଲେ। ତେଣୁ ସ୍ୱାଭାବିକ ଭାବେ ଫାଇନାଲରେ ଭାରତର ଅନାସ୍‍ ଫେଭରିଟ୍‍ ଥିଲେ। ତେବେ ରବିବାର ସନ୍ଧ୍ୟାରେ ହୋଇଥିବା ଫାଇନାଲରେ କାତାରି ସ୍ପ୍ରିଣ୍ଟର ଆବ୍‍ଦେଲେଲା ହାସନ୍‍ ତାଙ୍କ ପ୍ରଦର୍ଶନର ସ୍ତରକୁ ବହୁତ ଉପରକୁ ନେଇ ଯାଇଥିଲେ। ୪୪.୮୯ ସେକେଣ୍ଡରେ ଫିନିସ୍‍ ଲାଇନ ପାରକରି ଆବ୍‍ଦେଲେଲା ହାସନ୍‍ ସ୍ୱର୍ଣ୍ଣପଦକ ନିଶ୍ଚିତ କରିଥିଲେ। ମହମ୍ମଦ୍‍ ଅନାସ୍‍ ୪୫.୬୯ ସେକେଣ୍ଡ ସମୟ ନେଇ ୨ୟ ସ୍ଥାନରେ ରହିଥିଲେ। ବାହାରେନ୍‍ର ଖାମିସ୍‍ ଅଲୀ ୪୫.୭୦ ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ୍‍ପଦକ ଜିତିଥିଲେ। ଏହି ଫାଇନାଲରେ ଭାଗ ନେଇଥିବା ରାଜୀବ ଆରୋକିଆ ଅଳ୍ପକେ ପଦକରୁ ବଞ୍ଚିତ ହୋଇଛନ୍ତି। ରାଜୀବ ୪୫.୮୪ ସେକେଣ୍ଡ ସମୟ ନେଇ ୪ର୍ଥ ସ୍ଥାନରେ ରହିଥିଲେ। ଏହି ଫାଇନାଲ ପରେ ତାଙ୍କ ରୌପ୍ୟପଦକ ଯୋଗୁଁ ସେ ଖୁସି ବୋଲି ମହମ୍ମଦ ଅନାସ୍‍ କହିଥିଲେ ହେଁ ଝିପିଝିପି ବର୍ଷା ଯୋଗୁଁ ସେ ସ୍ୱାଭାବିକ ଭାବେ ଦୌଡ଼ି ପାରିନଥିଲେ ବୋଲି କହିଛନ୍ତି। ସୂଚନାଯୋଗ୍ୟ; ୧୯୫୮ରେ ମିଲ୍‍ଖା ସିଂହଙ୍କ ପରେ ଅନାସ୍‍ ଓ ରାଜୀବ ଏସୀୟ କ୍ରୀଡ଼ାର ୪୦୦ ମିଟର ଦୌଡ଼ର ଫାଇନାଲରେ ପହଞ୍ଚିଥିଲେ ଏବଂ ଅନାସ୍‍ ରୌପ୍ୟପଦକ ଜିତି ପାରିଛନ୍ତି।
ମହିଳା ୪୦୦ ମିଟର ଦୌଡ଼ରେ ଭାରତର ହିମା ଦାସ ମଧ୍ୟ ରୌପ୍ୟପଦକ ଜିତିଛନ୍ତି। ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ଫାଇନାଲରେ ହିମା ୫୦.୭୯ ସେକେଣ୍ଡ ସମୟ ନେଇ ୨ୟ ସ୍ଥାନରେ ରହିଥିଲେ। ଶନିବାର ଅନୁଷ୍ଠିତ ଯୋଗ୍ୟତା ରାଉଣ୍ଡରେ ହିମା ୫୧.୦୦ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନରେ ରହିଥିଲେ। ଫାଇନାଲରେ ହିମା ତାଙ୍କ ଟାଇମିଂରେ ଉନ୍ନତି କରିଥିଲେ ହେଁ ସ୍ୱର୍ଣ୍ଣରୁ ବଞ୍ଚିତ ହୋଇଥିଲେ। ବାହାରେନ୍‍ର ସାଲ୍‍ୱା ନାସେର ୫୦.୦୯ ସେକେଣ୍ଡ ସମୟ ନେଇ ସ୍ୱର୍ଣ୍ଣପଦକ ଜିତିଛନ୍ତି। ନାଇଜେରିଆରେ ଜନ୍ମଗ୍ରହଣ କରିଥିବା ନାସେର ହେଉଛନ୍ତି ପୂର୍ବତନ ଜୁନିୟର ବିଶ୍ୱ ଚମ୍ପିଆନ୍‍। ଫାଇନାଲରେ ହିମା ଦାସଙ୍କ ୫୦.୭୯ ସେକେଣ୍ଡ ହେଉଛି ନୂତନ ଜାତୀୟ ରେକର୍ଡ। ମାସକ ତଳେ ୧୮ ବର୍ଷ ବୟସ୍କା ହିମା ଦାସ ପ୍ରଥମ ଭାରତୀୟ ଧାବିକା ଭାବେ ୨୦ ବର୍ଷରୁ କମ୍‍ ବିଶ୍ୱ ଦୌଡ଼କୁଦ ଚମ୍ପିଆନ୍‍ସିପ୍‍ରେ ସ୍ୱର୍ଣ୍ଣପଦକ ଜିତିଥିଲେ। ଗତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ହିମା ୬ଷ୍ଠ ସ୍ଥାନରେ ରହିଥିଲେ। ତେବେ ମହିଳା ୪୦୦ ମିଟର ଦୌଡ଼ରେ ଏସିଆର ଶ୍ରେଷ୍ଠ ସାଲ୍‍ୱା ନାସେର ତାଙ୍କ ଖ୍ୟାତି ଅନୁସାରେ ପ୍ରଦର୍ଶନ କରି ସ୍ୱର୍ଣ୍ଣପଦକ ଜିତି ପାରିଛନ୍ତି। ଆସାମର ଜଣେ କୃଷକଙ୍କ କନ୍ୟା ହିମା ମାତ୍ର ବର୍ଷକ ମଧ୍ୟରେ ନିଜକୁ ଜଣେ ବିଶ୍ୱସ୍ତରୀୟ ଧାବିକା ଭାବେ ପ୍ରମାଣିତ କରି ପାରିଛନ୍ତି। ଆଗକୁ ହିମା ୪୦୦ ମିଟର ଦୌଡ଼ ଏବଂ ୪ ଗୁଣା ୪୦୦ ମିଟର ରିଲେରେ ଭାଗନେବେ। ପୁରୁଷ ଫାଇନାଲ ପରି ମହିଳା ଫାଇନାଲରେ ମଧ୍ୟ ଅନ୍ୟ ଜଣେ ଭାରତୀୟ ଅଳ୍ପକେ ପଦକରୁ ବଞ୍ଚିତ ହୋଇଛନ୍ତି। ଭାରତର ନିର୍ମଳା ସେଓରାଁ ୫୨.୯୬ ସେକେଣ୍ଡ ସମୟ ନେଇ ୪ର୍ଥ ସ୍ଥାନରେ ରହିଛନ୍ତି।

Hot this week

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

ଜାପାନରେ ୬.୭ ତୀବ୍ରତାର ଭୂକମ୍ପ : ସୁନାମି ସତର୍କତା ଜାରି

ଟୋକିଓ : ଆଜି ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ...

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

Related Articles

Popular Categories