www.samajalive.in
Saturday, December 13, 2025
21.1 C
Bhubaneswar

ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ; ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା ଓକିଲ ସଂଘ

ସମ୍ବଲପୁର : ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଜମାଦାରପାଲି ବିମାନ ଅବତରଣ ପଡ଼ିଆରେ ଆଜି ଜିଲା ଓକିଲ ସଂଘର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବିରେ ଚାରି ମାସ ହେଲା ଆନ୍ଦୋଳନ ଚାଲିଥିଲା ବେଳେ ରାଜ୍ୟ ସରକାର ଏ ଦିଗରେ କିଛି ବାସ୍ତବଧର୍ମୀ ପଦକ୍ଷେପ ନେଉ ନ ଥିବାରୁ ଲୋକଙ୍କ ଦାବି ପୂରଣ ହୋଇ ପାରୁନାହିଁ ବୋଲି ଓକିଲ ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ବେଞ୍ଚ ଦାବି ପୂରଣ ଦିଗରେ ରାଜ୍ୟ ସରକାର ଶୀଘ୍ର କିଛି ସକାରାତ୍ମକ ପଦକ୍ଷେପ ନେବାକୁ ଜିଲା ଓକିଲ ସଂଘ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି ଏହି ମର୍ମରେ ଏକ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଦାବି ପୂରଣ ଦିଗରେ ମୁଖ୍ୟମନ୍ତ୍ରୀ ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଜିଲା ଓକିଲ ସଂଘ ସଭାପତି ବିଜିତେନ୍ଦ୍ରୀୟ ପ୍ରଧାନ ସୂଚନା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ଦାବିପତ୍ରରେ ସଂଘ ଉଲ୍ଲେଖ କରିଛି ଯେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର କେନ୍ଦ୍ର ନିକଟକୁ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପଠାଇବା ସହିତ ରାଜ୍ୟର ଏକ ବିଶେଷଜ୍ଞ ଦଳ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରନ୍ତୁ। ମୁଖ୍ୟମନ୍ତ୍ରୀ ଓଡ଼ିଶା ହାଇକୋର୍ଟ ସହ ଯୋଗସୂତ୍ର ରକ୍ଷା କରି ସବିଶେଷ ତଥ୍ୟ କେନ୍ଦ୍ର ନିକଟକୁ ପଠାଇବା ଦିଗରେ ପଦକ୍ଷେପ ନିଅନ୍ତୁ। ଆସନ୍ତା ବଜେଟ ଅଧିବେଶନରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଏକ ବ୍ୟୟବରାଦ ପାରିତ କରାଯାଉ ବୋଲି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି। ଏହି ପ୍ରତିନିଧି ଦଳରେ ଜିଲା ଓକିଲ ସଂଘ ସଭାପତି ବିଜିତେନ୍ଦ୍ରୀୟ ପ୍ରଧାନ, ଉପସଭାପତି ବେଦବ୍ୟାସ ସାଠୁଆ, ଜିଲା ସମ୍ପାଦକ ପ୍ରବୀଣ ସିଂହଦେଓ, ଯୁଗ୍ମ ସମ୍ପାଦକ ଦୀପକ କୁମାର କୁଅଁର, ବରିଷ୍ଠ ଆଇନଜୀବୀ ତଥା ସିଏସି ସଦସ୍ୟା ସୁରେଶ୍ୱର ମିଶ୍ର ଓ ପ୍ରମୋଦ ଦାଶ, ଜିଲା ଓକିଲ ସଂଘ କ୍ରିୟାନୁଷ୍ଠାନ କମିଟିର ଅଧ୍ୟକ୍ଷ ପ୍ରଦୀପ କୁମାର ବହିଦାର ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ମହାନଦୀ ଦ୍ୱିତୀୟ ସେତୁ ଉଦଘାଟନ କଲା ପରେ ବେଞ୍ଚ ଆନ୍ଦୋଳନ ସ୍ଥଳ ଦେଇ ଷ୍ଟାଡିଅମକୁ ଯିବା ବାଟରେ ଓକିଲ ସଂଘକୁ ଭେଟିବେ କି ବୋଲି ସାଧାରଣରେ ଉତ୍ସୁକତା ପ୍ରକାଶ ପାଇଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ କାର ଆନ୍ଦୋଳନ ସ୍ଥଳ ଦେଇ ଯାଇଥିଲେ ମଧ୍ୟ ସେଠାରେ ରହିନଥିଲା। ବରଂ ମୁଖ୍ୟମନ୍ତ୍ରୀ ଜମାଦାରପାଲି ବିମାନ ପଡ଼ିଆରେ ଓକିଲ ସଂଘର ପ୍ରତିନିଧିମାନଙ୍କୁ ଭେଟିଥିଲେ। ଆଗାମୀ ବଜେଟ ଅଧିବେଶନରେ ସରକାର ଏକ ବ୍ୟୟବରାଦ ପାରିତ କଲେ; ପଶ୍ଚିମ ଓଡ଼ିଶା ପ୍ରତି ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ଅଛି ବୋଲି ସ୍ପଷ୍ଟ ଜଣାପଡ଼ିବ ବୋଲି ସଂଘ ସଭାପତି ଶ୍ରୀ ପ୍ରଧାନ କହିଛନ୍ତି।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories