ବନ୍ୟା ପାଣିରେ ଭାସି ୨ ଯବାନ ସହିଦ, ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଶାହା
ନୂଆଦିଲ୍ଲୀ : ମୌସୁମୀ ବର୍ଷା ଯୋଗୁଁ ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର-ଭାରତର ବିଭିନ୍ନ ରାଜ୍ୟରେ ବନ୍ୟା, ମାଟି ଅତଡା ଧସିବା, ଘର ଭାଙ୍ଗିବା, ଜଳବନ୍ଦୀ ଓ ଟ୍ରାଫିକ ସମସ୍ୟା ଦେଖାଯାଇଛି। ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା, ରାଜସ୍ଥାନ, ଜାମ୍ମୁ-କାଶ୍ମୀର ଓ ଉତ୍ତରପ୍ରଦେଶରେ ହୋଇଥିବା ବର୍ଷା ବିତ୍ପାତରେ ୨୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଶତାଧିକ ଆହତ ହୋଇଛନ୍ତି। ବନ୍ୟା ଓ ଜଳବନ୍ଦୀ ଯୋଗୁଁ ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଆଗାମୀ ଦିନେ ଓ ଦୁଇଦିନ ଧରି ଉତ୍ତର ଭାରତରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିବା ସହିତ ରେଡ୍ ଆଲର୍ଟ ଜାରି କରିଛି। ରବିବାର ଦିଲ୍ଲୀରେ ହୋଇଥିବା ବର୍ଷା ୪୦ବର୍ଷର ରେକର୍ଡ ଭାଙ୍ଗିଛି। ରବିବାର ସକାଳ ୮ଟା ୩୦ ସୁଦ୍ଧା ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୧୫୨ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ପାଣିପାଗ ବିଭାଗର କହିବା ଅନୁଯାୟୀ ଗୋଟିଏ ଦିନରେ ଦିଲ୍ଲୀରେ ଏତେ ପରିମାଣର ବର୍ଷା ୪୦ବର୍ଷର ରେକର୍ଡ ଭାଙ୍ଗିଛି। ୧୯୮୨ ଜୁଲାଇ ୨୫ ପରଠାରୁ ଗୋଟିଏ ଦିନରେ ଏତେ ପରିମାଣର ବର୍ଷା ହୋଇଥିଲା। ୧୯୮୨ ଜୁଲାଇରେ ଦିଲ୍ଲୀରେ ୧୬୯.୯ ମିମି ବର୍ଷା ହୋଇଥିଲା। ୧୯୫୮ ଜୁଲାଇ ୨୧ରେ ଦିଲ୍ଲୀରେ ସବୁଠାରୁ ଅଧିକ ୨୬୬.୨ ମିମି ବର୍ଷା ହୋଇଥିଲା। ବର୍ଷା ଯୋଗୁଁ ଦିଲ୍ଲୀର ସରକାରୀ ଅଧିକାରୀଙ୍କ ରବିବାର ଛୁଟିକୁ ବାତିଲ କରାଯାଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସରକାରୀ ଅଧିକାରୀ ଓ ମନ୍ତ୍ରୀଙ୍କୁ ଘଟଣାସ୍ଥଳ ପରିଦର୍ଶନ କରିବାକୁ ନିର୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ ପିଡବ୍ଲ୍ୟୁଡି ମନ୍ତ୍ରୀ ଅତିଶୀ ମଧ୍ୟାହ୍ନ ୧୨ଟାରେ ତିଲକ ସେତୁ ଅଞ୍ଚଳ ପରିଦର୍ଶନ କରିଥିଲେ। ସେହିପରି ବର୍ଷା ଯୋଗୁଁ ସୋମବାର ଦିଲ୍ଲୀର ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି।

ବର୍ଷା ଯୋଗୁଁ ହିମାଚଳ ପ୍ରଦେଶରେ ୫ଜଣଙ୍କର ମୃତ୍ୟୁ ହୋଇଛି। ସିମ୍ଲା ଜିଲାର କୋଟଗଡ ଅଞ୍ଚଳରେ ଘର ଭାଙ୍ଗିପଡିବାରୁ ଗୋଟିଏ ପରିବାରର ୩ଜଣଙ୍କର ମୃତ୍ୟୁ ହୋଇଛି। ବିଭିନ୍ନ ସ୍ଥାନରେ ୧୧ଟି ଘର ଭାଙ୍ଗିଯାଇଥିବାବେଳେ ଅନେକ ସ୍ଥାନରେ ସେତୁ ଧୋଇଯାଇଛି। ଚାମ୍ବା ଜିଲାର କାଟିୟାନ ତହସିଲ୍ରେ ମାଟି ଅତଡା ମଧ୍ୟରେ ଜଣେ ପୋତି ହୋଇଯାଇଛନ୍ତି। ଗତ ୩୬ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୩ଟି ସ୍ଥାନରେ ମାଟି ଅତଡା ଧସିବା ଘଟଣା ଘଟିଥିବାବେଳେ ୯ଟି ସ୍ଥାନରେ ବନ୍ୟା ଦେଖାଯାଇଛି। ରାଜ୍ୟ ଜରୁରୀକାଳୀନ କେନ୍ଦ୍ରର କହିବା ଅନୁଯାୟୀ ୭୩୬ଟି ସ୍ଥାନରେ ରାସ୍ତା ବନ୍ଦ ହୋଇଛି। ରାଜ୍ୟ ପାଣିପାଗ ବିଭାଗ ୭ଟି ଜିଲାକୁ ରେଡ୍ ଆଲର୍ଟ ଜାରି କରିଛି। ବର୍ଷା ସମୟରେ ବାହାରକୁ ନ ବାହାରିବା ଲାଗି ପର୍ଯ୍ୟଟକ ଓ ଯାତ୍ରୀମାନଙ୍କୁ ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ଜାମ୍ମୁ-କାଶ୍ମୀରରେ ୨ଜଣ ଯବାନ ସହିଦ ହୋଇଥିବାବେଳେ ଅନ୍ୟ ୨ଜଣ ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଛି। ସେନା ମୁଖପାତ୍ରଙ୍କ କହିବା ଅନୁଯାୟୀ ପୁଞ୍ଚରେ ପାଟ୍ରୋଲିଂ କରିବା ସମୟରେ ଲାନ୍ସ ନାଏକ ତେଲୁ ରାମ ଓ ନାଏବ ସୁବେଦାର କୁଲଦୀପ ସିଂହ ବୁଡି ଯାଇ ପ୍ରାଣ ହରାଇଛନ୍ତି। ତେଲୁ ରାମ ଏକ ନାଳକୁ ପାର ହେବା ସମୟରେ ବନ୍ୟା ପାଣିରେ ଭାସି ଯାଇଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ କୁଲଦୀପ ସିଂହ ମଧ୍ୟ ପାଣିରେ ଭାସି ଯାଇ ପ୍ରାଣ ହରାଇଛନ୍ତି। ସେହିପରି ଭାଙ୍ଗରୁହ-ଗାଣ୍ଡୋହ ରାସ୍ତାରେ ମାଟି ଅତଡା ଧସିବାରୁ ଦୁଇଜଣଙ୍କର ମୃତ୍ୟୁ ହୋଇଛି। ମୃତ ଦୁଇଜଣ ହେଲେ ଅମିର ସୋହୈଲ ଓ ମୁଦାସିର ଅଲି।
ବର୍ଷାଜନିତ ଅଘଟଣରେ ଉତ୍ତରାଖଣ୍ଡରେ ୬ଜଣଙ୍କର ମୃତ୍ୟୁ ହୋଇଛି। ୧୧ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଜିପ୍ ତେହରି ଗରୱାଲ ନିକଟରେ ଗଙ୍ଗାନଦୀକୁ ଖସି ପଡ଼ିବାରୁ ୬ଜଣଙ୍କର ମୃତ୍ୟୁ ହୋଇଛି। ଏସଡିଆରଏଫ୍ ବାହିନୀ ୫ଜଣଙ୍କୁ ଉଦ୍ଧାର କରିଥିବାବେଳେ ୬ଜଣଙ୍କର ମୃତ୍ୟୁ ହୋଇଛି। ମୃତ ୬ଜଣଙ୍କ ମଧ୍ୟରୁ ୩ଜଣ ନିଖୋଜ ଅଛନ୍ତି। ଏହି ତୀର୍ଥଯାତ୍ରୀମାନେ କେଦାରନାଥରୁ ଫେରୁଥିବାବେଳେ ଅଘଟଣ ଘଟିଥିଲା। ଗଙ୍ଗା ସମେତ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଏହା ସହିତ ବିଭିନ୍ନ ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ୧୦୦ଟି ସ୍ଥାନରେ ରାସ୍ତା ବନ୍ଦ ରହିଛି। ମାଟି ଅତଡା ଧସିବାରୁ ବଦ୍ରିନାଥ ଜାତୀୟ ରାଜପଥ ଛିନକା ନିକଟରେ ବନ୍ଦ ରହିଛି। ସେହିପରି ଜାତୀୟ ରାଜପଥ ୯ କୁମାଓଁ ନିକଟରେ ବନ୍ଦ ରହିଛି। ବର୍ଷା ପାଇଁ ରାଜ୍ୟରେ ରେଡ ଆଲର୍ଟ ଜାରି କରାଯାଇଛି। ପରିସ୍ଥିତିକୁ ମୁକାବିଲା କରିବାକୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ସରକାରୀ ଅଧିକାରୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।
ବର୍ଷା ଯୋଗୁଁ ଉତ୍ତରପ୍ରଦେଶରେ ୩ଜଣଙ୍କର ମୃତ୍ୟୁ ହୋଇଛି। ମୁଜାଫରନଗର ଜିଲାର ନିୟାଜୁରା ଗ୍ରାମରେ ଘର ଭାଙ୍ଗି ଜଣେ ମହିଳା ଓ ତାଙ୍କର ୬ବର୍ଷର ଝିଅର ମୃତ୍ୟୁ ହୋଇଥିବା ସରକାରୀ ଅଧିକାରୀ କହିଛନ୍ତି। ସେହିପରି ଗଛ ଡାଳ ଭାଙ୍ଗି ଜଣେ ୧୦ବର୍ଷ ବାଳିକାର ମୃତ୍ୟୁ ହୋଇଛି।
ବର୍ଷା କାରଣରୁ ରାଜସ୍ଥାନରେ ୪ଜଣଙ୍କର ମୃତ୍ୟୁ ହୋଇଛି। ଚିତ୍ତୋରଗଡ ଜିଲାରେ ବଜ୍ରପାତ ଯୋଗୁଁ ଜଣେ ମହିଳାଙ୍କ ସମେତ ୨ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ସାୱାଇ ମାଧପୁର ଅଞ୍ଚଳରେ ଦୁଇଟି ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବର୍ଷା ଯୋଗୁଁ ପଞ୍ଜାବ ଓ ହରିୟାଣାରେ ଟ୍ରାଫିକ ସମସ୍ୟା ଦେଖାଯାଇଛି। ପଞ୍ଚକୁଳା, ଯମୁନାନଗର, ଆମ୍ବାଲା, କର୍ଣ୍ଣଲ, କୁରୁକ୍ଷେତ୍ର, ସୋନିପତରେ ପ୍ରବଳ ବର୍ଷା ହୋଇଛି। ହରିୟାଣାର ହାଥିନି କୁଣ୍ଡ ଜଳ ଭଣ୍ଡାରରୁ ୧ଲକ୍ଷ କ୍ୟୁସେକ ପାଣି ଛଡାଯିବା ପରେ ଦିଲ୍ଲୀରେ ବନ୍ୟା ସତର୍କତା ଜାରି କରାଯାଇଛି। ରବିବାର ଅପରାହ୍ଣରେ ଯମୁନା ନଦୀର ଏହି ଜଳ ଭଣ୍ଡାରରୁ ୧ଲକ୍ଷ ୫ହଜାର ୪୫୩ କ୍ୟୁସେକ ପାଣି ଛଡାଯାଇଛି। ବର୍ଷା ପରିସ୍ଥିତିକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ପଞ୍ଜାବ ଓ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଛନ୍ତି। ପରିସ୍ଥିତିର ମୁକାବିଲା ନିମନ୍ତେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ଶାହା ପ୍ରତିଶ୍ରୁତି ଦେଇଛନ୍ତି।



