www.samajalive.in
Friday, December 5, 2025
23.1 C
Bhubaneswar

୨୫ବର୍ଷର ରେକର୍ଡ ଭାଙ୍ଗିଲା ରାଜଧାନୀ ଶୀତ

ଭୁବନେଶ୍ବର/ଘୁ.ଉଦୟଗିରି: ସାରା ରାଜ୍ୟରେ ହାଡ଼ଭଙ୍ଗା ଜାଡ଼ ଅନୁଭୂତ ହେଉଛି। ପାହାଡ଼ିଆ ଓ ସମତଳ ଅଞ୍ଚଳ ସବୁଠି ପ୍ରଚଣ୍ଡ ଶୀତ ପଡୁଛି। ଅପରାହ୍ଣ ୩ଟା ବାଜିଲେ ବାଘ ପରି ମାଡ଼ି ଆସୁଛି ଶୀତ। ସକାଳେ ଶୀତ ସାଙ୍ଗକୁ ଘନ କୁହୁଡ଼ି ଆହୁରି ଥଣ୍ଡା ପ୍ରକୋପ ବଢ଼ାଉଛି। ରବିବାର ରାତିରେ ଘୁ. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୫.୪ ଡିଗ୍ରୀକୁ ଖସି ଆସିଥିବାବେଳେ ରାଜଧାନୀରେ ଶୀତ ୨୫ ବର୍ଷରେ ସବୁଠୁ ଥଣ୍ଡା ରାତି ରେକର୍ଡ ହୋଇଛି।

ଗ୍ରାମାଞ୍ଚଳରୁ ସହରାଞ୍ଚଳ ସବୁଠି ଶୀତ ପଡ଼ିବା ଦ୍ବାରା ସଞ୍ଜ ହେଲେ ଲୋକେ ବାହାରକୁ ବାହାରିବା କଷ୍ଟକର ହୋଇ ପଡୁଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଉଥିବାବେଳେ ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୧୦ ସହରରେ ରାତି ତାପମାତ୍ରା ୧୦ଡିଗ୍ରୀ କିମ୍ବା ଏହାଠାରୁ କମ୍‌ ରହିଛି। ଝାରସୁଗୁଡ଼ା, କନ୍ଧମାଳ ଏବଂ ଅନୁଗୋଳ ଜିଲାରେ ଭୀଷଣ ଶୀତ ପଡୁଥିବାବେଳେ ଭୁବନେଶ୍ବର ଏବଂ କଟକରେ ଶୀତ ଲହରୀ ଅନୁଭୂତ ହେଉଛି। ସେପଟେ ୧୪ ସହରରେ ପାରଦ ୧୨ଡିଗ୍ରୀ ତଳେ ରହିଥିବାବେଳେ ଭୁବନେଶ୍ବରରେ ଆଜି ରାତି ପାରଦ ୧୨.୯ ଡିଗ୍ରୀକୁ ଖସି ଆସିଛି। ପାଣିପାଗ ବିଭାଗର ପୂର୍ବାନୁମାନ, ଆସନ୍ତା ୨୪ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବା ସମ୍ଭାବନା ନାହିଁ। ପରବର୍ତ୍ତୀ ସମୟରେ ପାରଦ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ଉପରମୁହଁା ହେବା ଦ୍ବାରା ସାମାନ୍ୟ ଶୀତ ପ୍ରକୋପ କମିପାରେ।

- Advertisement -

ଭୁବନେଶ୍ୱରରେ ହାଡ଼ଭଙ୍ଗା ଶୀତ ପଡୁଛି। ଏଠାରେ ସର୍ବନିମ୍ନ ରାତି ତାପମାତ୍ରା ୧୨.୯ ଡିଗ୍ରୀକୁ ଖସି ଆସିଛି। ଗତ ୨୫ବର୍ଷ ତୁଳନାରେ ସବୁଠାରୁ ଥଣ୍ଡା ରାତି ବୋଲି ପାଣିପାଗ ବିଜ୍ଞାନୀ ସ୍ପଷ୍ଟ କରିଛନ୍ତି। ଗତକାଲି ରାତି ତାପମାତ୍ରା ଏଠାରେ ୧୩ ଡିଗ୍ରୀ ଥିଲା। କଟକରେ ରାତି ତାପମାତ୍ରା ୧୩.୨ ଡିଗ୍ରୀକୁ କମି ଆସିଛି। ଭୁବନେଶ୍ବରରେ ସ୍ବାଭାବିକ ରାତି ତାପମାତ୍ରାଠାରୁ ୬.୧ଡିଗ୍ରୀ କମ୍‌ ଥିବାବେଳେ କଟକରେ ସ୍ବାଭାବିକ ରାତି ତାପମାତ୍ରାରୁ ୪.୭ଡିଗ୍ରୀ କମ୍‌ ରହିଛି। କଟକ ଏବଂ ଭୁବନେଶ୍ବର ସମତଳ ଅଞ୍ଚଳରେ ଅବସ୍ଥିତ। ପୁଣି ଗାଡ଼ିମୋଟର ଚଳାଚଳ କରୁଛି। ଏହାସତ୍ତ୍ବେ ଉଭୟ ସହରରେ ପ୍ରଚଣ୍ଡ ଶୀତ ଲହରୀ ଦେଖିବାକୁ ମିଳିଛି।

ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁଯାୟୀ, ଆଜି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଝାରସୁଗୁଡ଼ା, ଖୋର୍ଦ୍ଧା, କନ୍ଧମାଳ ଏବଂ ସୁନ୍ଦରଗଡ଼ ଜିଲାକୁ ଶୀତ ଲହରୀ ପାଇଁ ସତର୍କ ସୂଚନା ଜାରି କରିଛି। ଦାରିଙ୍ଗବାଡ଼ିରେ ପାରଦ ୭ଡିଗ୍ରୀ ଥିବାବେଳେ ସେମିଳିଗୁଡ଼ା ୬.୧, ଝାରସୁଗୁଡ଼ା ୯.୮, ଫୁଲବାଣୀ ୮, ରାଉରକେଲା ୧୦, ଚିପିଲିମା ଓ ଅନୁଗୋଳ ୧୦.୨, କୋରାପୁଟ ୧୦.୮, କିରେଇ, ଭବାନୀପାଟଣା ଓ କେନ୍ଦୁଝର ୧୧, ସୁନ୍ଦରଗଡ଼ ୧୧.୮ ଡିଗ୍ରୀ ପାରଦ ରହିଛି। ଓଡ଼ିଶାର ସବୁଠାରୁ ଥଣ୍ଡା ସହର ଭାବେ କନ୍ଧମାଳ ଜିଲାର ଘୁ. ଉଦୟଗିରିରେ ଚଳିତ ବର୍ଷ ଶୀତ ଅନୁଭୂତ ଚର୍ଚ୍ଚାରେ ରହିଛି। ଗତକାଲି ଘୁ.ଉଦୟଗିରିରେ ପାରଦ ୫.୮ଡିଗ୍ରୀ ଥିବାବେଳେ ଆଜି ୦.୪ଡିଗ୍ରୀ ତଳକୁ ଖସି ୫.୪ଡିଗ୍ରୀ ରେକର୍ଡ କରାଯିବା ସହ ଓଡ଼ିଶାର ସବୁଠାରୁ ଥଣ୍ଡା ସହର ଭାବେ ଜାଡ଼ରେ ଥରୁଛି। ପ୍ରବଳ ଥଣ୍ଡା ସାଙ୍ଗକୁ ସାରା ଅଞ୍ଚଳ କୁହୁଡ଼ିମୟ ହୋଇଛି। ଜଙ୍ଗଲ ପାହାଡ଼ ପର୍ବତଘେରା ଏହି ଅଞ୍ଚଳରେ ଶୀତର ପ୍ରକୋପ ଅଧିକ ଅନୁଭୂତ ହେଉଥିବାବେଳେ ଶୀତ ପଡ଼ିଲେ ପର୍ଯ୍ୟଟକଙ୍କ ଭିଡ଼ ମଧ୍ୟ ବଢ଼ିବାରେ ଲାଗିଛି। ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା। ସହର ଅପେକ୍ଷା ଗ୍ରାମାଞ୍ଚଳ ଓ ପାହାଡ଼ିଆ ଅଞ୍ଚଳରେ ଥଣ୍ଡାର ପ୍ରକୋପ ଆହୁରି ଅଧିକ ରହୁଛି।

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories