ଭୁବନେଶ୍ୱର : ଖରାରେ ମୁଣ୍ଡ ଝାଇଁ ମାରି ଯାଉଛି। ବର୍ଷାର ଦେଖା ନାହିଁ, ମୁଣ୍ଡ ଉପରେ ରୌଦ୍ର ପ୍ରକୋପ ବଢ଼ି ବଢ଼ି ଚାଲିଛି। ଏବେଠୁଁ ସ୍ଥିତି ଅସମ୍ଭାଳ ହେଲାଣି। ସୋମବାର ରାଜ୍ୟର ୧୨ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ରବିବାର ଅପେକ୍ଷା ଆଜି ତାପମାତ୍ରା ବଢ଼ିଛି। ତାଳଚେର ଆଜି ରାଜ୍ୟର ସବୁଠାରୁ ଉତପ୍ତ ସହର ଭାବେ ୪୩.୮ ଡିଗ୍ରୀରେ ପହଞ୍ଚିଛି । ସେହିପରି ଅନୁଗୋଳରେ ପାରଦ ୪୩.୭ ଡିଗ୍ରୀ ସେଲସିୟସ
ଛୁଇଁଥିବାବେଳେ ତା’ ତଳକୁ ଟିଟିଲାଗଡ଼ରେ ତାତି ୪୩ ଡିଗ୍ରୀ ଥିଲା। ତେବେ ଗୋପାଳପୁର ଓ ପାରାଦ୍ବୀପ ଗରମ ବହୁତ କମ୍ ରହିଥିଲା। ଦୁଇ ସହରରେ ତାପମାତ୍ରା ୩୧.୯ ଡିଗ୍ରୀରେ ଅଟକି ଥିଲା।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ରାଜ୍ୟରେ ଗରମ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଗତ ଚାରିଦିନ ହେଲା ତାତିରେ ୧ରୁ ୧.୫ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ୁଛି। ବର୍ତ୍ତମାନ ସ୍ଥିତିରେ ବର୍ଷାର ସମ୍ଭାବନା ନଥିଲେ ସୁଦ୍ଧା ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ନେଇ ସତର୍କ ସୂଚନା ବଳବତ୍ତର ରହିବ; କିନ୍ତୁ କାଳବୈଶାଖୀ ବର୍ଷାରେ ଅସହ୍ୟ ତାତିରୁ ନିସ୍ତାର ମିଳିବା ସହଜ ନୁହେଁ। ଏପରିସ୍ଥଳେ ରାଜ୍ୟରେ ପାରଦର ଜ୍ବାଳା ଲାଗି ରହିବ। ଆଗାମୀ ୪/୫ ପର୍ଯ୍ୟନ୍ତ ଅଧିକାଂଶ ସହରରେ ତାପମାତ୍ରା ୪୦ଂ ଅତିକ୍ରମ କରିବାର ସମ୍ଭାବନା ରହିଛି। ସୋମବାର ଭୁବନେଶ୍ବର ଓ କଟକରେ ମଧ୍ୟ ତାପମାତ୍ରା କିଛି କମ୍ ନ ଥିଲା। ଦୁଇ ସହରରେ ତାପମାତ୍ରା ଯଥାକ୍ରମେ ୩୯.୬ ଏବଂ ୩୯ ଡିଗ୍ରୀ ରହିଥିଲା। ସେହିପରି ଆଜି ସମ୍ବଲପୁର ଓ ହୀରାକୁଦରେ ୪୧.୧ ଡିଗ୍ରୀ, ଭବାନୀପାଟଣା ଓ ମାଲକାନଗିରିରେ ୪୦.୮, ସୁନ୍ଦରଗଡ଼ରେ ୪୦.୫, କେନ୍ଦୁଝରରେ ୪୦.୧, ସୋନପୁରରେ ୪୦, ଚାନ୍ଦବାଲିରେ ୩୯.୭, ବାରିପଦାରେ ୩୮.୫, କୋରାପୁଟରେ ୩୬ ଏବଂ ପୁରୀରେ ୩୩.୨ ଡିଗ୍ରୀ ରେକର୍ଡ଼ କରାଯାଇଛି।
କେନ୍ଦୁଝରରେ ଜନଜୀବନ ଅସ୍ତବ୍ୟସ୍ତ
କେନ୍ଦୁଝର : କେନ୍ଦୁଝର ସହର ଓ ଆଖପାଖ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇବା ଯୋଗୁଁ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡିଛି। କିଛିଦିନ ହେବ କ୍ରମାଗତ ଭାବେ ତାପମାତ୍ରା ବୃଦ୍ଧି ପାଇ ଚାଲିଥିବାବେଳେ ସୋମବାରର ତାପମାତ୍ରା ୪୦ଡିଗ୍ରୀ ଅତିକ୍ରମ କରିଛି।
ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୧୦ରେ କେନ୍ଦୁଝରର ସର୍ବାଧିକ ତାପମାତ୍ରା ୩୫.୮ଡିଗ୍ରୀ ସେଲସିୟସ ରହିଥିଲା। ସେହିପରି ୧୧ ତାରିଖରେ ୩୭.୩ଡିଗ୍ରୀ ସେଲସିୟସ,୧୨ ତାରିଖରେ ୩୮.୦ଡିଗ୍ରୀ ସେଲସିୟସ,୧୩ ତାରିଖରେ ୩୮.୦ଡିଗ୍ରୀ ସେଲସିୟସ ରହିଥିଲା। ୧୪ ତାରିଖରେ ତାପମାତ୍ରା ବୃଦ୍ଧି ପାଇ ୩୯.୦ଡିଗ୍ରୀ ସେଲସିୟସ ହୋଇଥିବାବେଳେ ୧୫ରେ ତାପମାତ୍ରା ୪୦ଡିଗ୍ରୀ ଅତିକ୍ରମ କରିଛି। ଆଗାମୀ ଦିନରେ ତାପମାତ୍ରା ଆହୁରି ବୃଦ୍ଧି ପାଇବା ସମ୍ଭାବନା ଥିବା ସୂଚନା ମିଳିଛି। ତାପମାତ୍ରା ବୃଦ୍ଧି ଯୋଗୁଁ ଜଳସ୍ତର ନିମ୍ନମାଗୀ ହେଉଥିବା କାରଣରୁ ଲୋକଙ୍କ ପାନୀୟ ଜଳ ସମସ୍ୟା ଦ୍ୱିଗୁଣିତ ହୋଇଛି। କେନ୍ଦୁଝର ଜିଲାର ଯୋଡା,ବଡବିଲ,ଆନନ୍ଦପୁର ଓ ତେଲକୋଇ ଆଦି ଅଞ୍ଚଳରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇଥିବା ଖବର ମିଳିଥିବାବେଳେ ସକାଳ ୧୦ଟା ପରଠାରୁ ଲୋକମାନେ ପଦାକୁ ବାହାରିବା କଷ୍ଟକର ହୋଇପଡୁଛି। ସେହିପରି ପ୍ରଚଣ୍ଡ ତାତି ଯୋଗୁଁ କେନ୍ଦୁଝରରେ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡିଛି। କେନ୍ଦୁଝର ସହର ତାପମାତ୍ରା ଦୁଇଦିନ ଧରି ୪୦ଡିଗ୍ରୀ ପାଖାପାଖି ରହିଛି। ସକାଳ ୧୦ଟାରୁ ହେଉଛି ଅଗ୍ନିବର୍ଷା ଆରମ୍ଭ ହେଉଥିବାବେଳେ ଏହା ଅପରାହ୍ନ ୪ଟା ୩୦ମିନିଟ ପର୍ଯ୍ୟନ୍ତ ଜାରୀ ରହୁଛି। ଅସହ୍ୟ ତାତି ଓ ଗୁଳୁଗୁଳି ଯୋଗୁଁ ଲୋକେ ଘରୁ ବାହାରି ପାରୁନାହାଁନ୍ତି। ଫଳରେ କାମଧନ୍ଦାରେ ଯାଉଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖରାବେଳେ ରାସ୍ତାଘାଟ ଶୂନଶାନ୍ ହୋଇ ଗମନାଗମନରେ ବାଧା ସୃଷ୍ଟି ହୋଇଛି। ବସ୍ ଏବଂ ଅନ୍ୟାନ୍ୟ ଛୋଟ ଗାଡିରେ ଯାତ୍ରୀ ଯିବାକୁ ନିରାପଦ ମଣୁନାହାଁନ୍ତି। ଯାହାଦ୍ୱାରା ବସ୍ ଏବଂ ଅନ୍ୟାନ୍ୟ ଯାତ୍ରୀବାହୀ ଗାଡିରେ ଖୁବ୍ କମ୍ ଲୋକ ଯାତାୟତ କରୁଛନ୍ତି। ଲୋକମାନେ ଛତା,କଳା ଚଷମା,ମୁଣ୍ଡରେ କପଡା ଗୋଡାଇ ନିଜ ନିଜର କାର୍ଯ୍ୟ ନିମନ୍ତେ ଘରୁ ବାହାରୁଥିବା ଲକ୍ଷ୍ୟ କରାଯାଉଛି।



