ଫୁଲବାଣୀ/ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ପଂଚାୟତ ଅର୍ନ୍ତଗତ ଡାହୁ ଗ୍ରାମର ୨ବର୍ଷର ଝିଅ ସାଲୁନିକା ପ୍ରଧାନ। ଜନ୍ମ ହେବାର ୧୩ଦିନ ପରଠାରୁ ଝିଅକୁ କେହି ଧରିଲେ ଦେହର ହାଡ଼ ଗୁଡ଼ିକ ଭାଙ୍ଗିଯାଉଛି। ସେଥିପାଇଁ ୨ବର୍ଷର ଝିଅ ର ହାତ, ଗୋଡ଼ ସମେତ ଶରୀରର ବିଭିନ୍ନ ଅଙ୍ଗରେ ୨୮ଟି ବ୍ୟାଣ୍ଡେଜ ପଡିଛି। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସାଲୁନିକାର ସମସ୍ତ ଚିକିତ୍ସା ମାଗଣାରେ କରିବା ପାଇଁ କଟକ ଜିଲ୍ଲା ଓଲଟପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁର୍ନବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥା(ନିରତାର୍) ନିଜ ତରଫରୁ ଏନେଇ କନ୍ଧମାଳ ଜିଲ୍ଲା ପ୍ରଶାସନକୁ ଚିଠି ଲେଖିଛନ୍ତି। ନିରତାର୍ର ନିର୍ଦ୍ଦେଶକ ଡାକ୍ତର ଶକ୍ତି ପ୍ରସାଦ ଦାସ ସାଲୁନିକାର ଏଭଳି ବିରଳ ରୋଗ ସମ୍ପର୍କରେ ଖବରକାଗଜରୁ ପଢ଼ିବାପରେ ସଂସ୍ଥାର ବୈଷୟିକ ନିର୍ଦ୍ଦେଶକ କିଶୋର ଚନ୍ଦ୍ର ମହାପାତ୍ରଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ସେ ଫୁଲବାଣୀ ଜିଲ୍ଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ର(ଡିଡିଆରସି)ର ଅଧିକ୍ଷକ ଅକ୍ଷୟ କୁମାର ପଣ୍ଡାଙ୍କ ସହିତ ଯୋଗାଯୋଗ କରି ସାଲୁନିକାକୁ ଓଲଟପୁରକୁ ପଠାଇବାର ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ। ପରେ ସେ କନ୍ଧମାଳ ଜିଲ୍ଲାପାଳଙ୍କୁ ମଧ୍ୟ ଏକ ଚିଠି ଲେଖି ପୀଡ଼ିତା ଝିଅକୁ ସଂସ୍ଥାକୁ ପଠାଇଲେ ତାହାର ଚିକିତ୍ସା ସଂସ୍ଥା ତରଫରୁ ସମ୍ପୂର୍ଣ୍ଣ ମାଗଣାରେ କରାଯିବ ବୋଲି କହିଛନ୍ତି। ସଂସ୍ଥା ଠାରୁ ଚିଠି ପାଇବା ପରେ ଜିଲ୍ଲାପାଳ ମଧ୍ୟ ତୁରନ୍ତ ତତ୍ପରତା ପ୍ରକାଶ କରି ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଜରିଆରେ ଖୁବ ଶୀଘ୍ର ପୀଡ଼ିତା ଝିଅ ସାଲୁନିକାକୁ ଓଲଟପୁର ସ୍ଥିତ ନିରତାର୍ କୁ ପଠାଇବା ବ୍ୟବସ୍ଥା କରୁଥିବା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ରାଜଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି। ଏଭଳି ସ୍ଥଳେ ଆସନ୍ତା ମଙ୍ଗଳବାର ଦିନ ଏକ ସ୍ୱତନ୍ତ୍ର ଗାଡ଼ିରେ ସାଲୁନିକାକୁ କଟକ ସ୍ଥିତ ଓଲଟପୁରକୁ ନିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୁଚନା ପ୍ରକାରେ ଡାହୁ ଗ୍ରାମର ଉତ୍ସବ ପ୍ରଧାନ ଏବଂ ରଚନା ପ୍ରଧାନଙ୍କ ସାନ ଝିଅ ଗତ ୨୦୧୮ ମସିହା ମାର୍ଚ୍ଚ ମାସ ୨ତାରିଖରେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜନ୍ମ ଗ୍ରହଣ କରିଥିଲେ। ତେବେ ଝିଅ ଜନ୍ମ ହେବାର ୧୩ଦିନ ପରେ ଝିଅଟିକୁ ଧରିବା ମାତ୍ରେ ଝିଅଟିର ଶରୀରର ହାଡ଼ ଗୁଡ଼ିକ ଭାଙ୍ଗିଯାଉଛି। ଯାହାଫଳରେ ବର୍ତ୍ତମାନ ଶିଶୁକନ୍ୟାଟିର ଶରୀର, ହାତ ଓ ଗୋଡ଼ରେ ୨୮ଥର ବ୍ୟାଣ୍ଡେଜ ପଡ଼ିଛି। ଝିଅଟିର ଏହିଭଳି ଅବସ୍ଥା ଦେଖି ବାପା ଓ ମା ଗତ ଜାନୁୟାରୀ ମାସରେ ଝିଅକୁ ଫୁଲବାଣୀ ଜିଲ୍ଲା ମୁଖ୍ୟାଳୟକୁ ଚିକିତ୍ସା ପାଇଁ ନେଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଂଚିବା ପରେ ଝିଅଟିର ଏକ୍ସ-ରେ ରିପୋର୍ଟ ଆସିବା ପରେ ଡାକ୍ତରଜଣକ କୁନିଝିଅଟିର ଶରୀରର ଅନେକ ହାଡ଼ ଭାଙ୍ଗିଯାଇଥିବା ଜାଣିବାକୁ ପାଇଥିଲେ। ସାତ ଦିନର ଚିକିତ୍ସା ପରେ ଶିଶୁକନ୍ୟାଟିର ଅଧିକା ଚିକିତ୍ସା ପାଇଁ ସେଠାରୁ କଟକ ଶିଶୁ ଭବନକୁ ନେବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ବାପା-ମାଙ୍କ ପାଖରେ ଶିଶୁ ଭବନ ନେବା ପାଇଁ ଅର୍ଥାଭାବ ଥିବାରୁ ଝିଅକୁ ନିଜ ଘରକୁ ନେଇ ଫେରିଆସିଥିଲେ। ଘରକୁ ଫେରିବା ପରେ ଗ୍ରାମରେ ଘରୋଇ ଚିକିତ୍ସା ଦ୍ୱାରା ଝିଅ ସାଲୁନିକାର ଶରୀର, ହାତ ଓ ଗୋଡ଼ରେ ବର୍ତ୍ତମାନ ୨୮ଟି ବ୍ୟାଣ୍ଡେଜ ପକାଇଥିଲେ।। ପରିବାର ଲୋକଙ୍କ ପାଖରେ ଅର୍ଥର ଅଭାବ ରହିଥିବାରୁ ଶିଶୁକନ୍ୟାଟିର ଚିକିତ୍ସା କରିପାରୁନଥିବା ବେଳେ ଶିଶୁକନ୍ୟାଟିର ଅବସ୍ଥା ଦିନକୁ ଦିନ ବିଗିଡ଼ିବାକୁ ଲାଗିଥିବା ନେଇ ଖବର ପ୍ରକାଶ ହେବାପରେ ସାଲୁନିକାକୁ ସହାୟତାର ହାତ ବଢ଼ାଇଛନ୍ତି ନିରତାର୍ ସଂସ୍ଥା।



