ରେଳ ସୁଡ଼ଙ୍ଗ ନିର୍ମାଣ କାର୍ଯ୍ୟ ପରିଦର୍ଶନ କଲେ ଜିଲାପାଳ

ହରଭଙ୍ଗା: ପଶ୍ଚିମ ଓଡ଼ିଶାର ଲାଇଫଲାଇନ୍ କୁହାଯାଉଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଏହା ସହ ୩୭ ବର୍ଷର ସ୍ୱପ୍ନ ଅତିଶୀଘ୍ର ପୂରଣ ହେବାକୁ ଯାଉଛି। ସୋମବାର ବୌଦ୍ଧ ଜିଲାପାଳ ସୁବ୍ରତ ପଣ୍ଡା ମାରଦିଙ୍ଗ ଏବଂ ଅଡ଼େଣିଗଡ଼ସ୍ଥିତ ନିର୍ମାଣାଧୀନ ରେଳ ସୁଡ଼ଙ୍ଗ ପରିଦର୍ଶନ କରିବା ସହ ମାଧପୁରଠାରେ ନିର୍ମାଣାଧୀନ ରେଳ ଲାଇନର ଜମି ଅଧିଗ୍ରହଣ ପାଇଁ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। ଯଥାଶୀଘ୍ର କାର୍ଯ୍ୟ ସରିବା ପାଇଁ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ପ୍ରକାଶ ଯେ, ୧୯୮୪-୮୫ ମସିହାରୁ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ କଥା ଉଠିଥିଲା। ଏହି ରେଳପଥ ନିର୍ମାଣକୁ ନେଇ ବୌଦ୍ଧ-ସୋନପୁର, ନୟାଗଡ଼ ଭଳି ୩ଟି ଜିଲାବାସୀଙ୍କ ସ୍ୱପ୍ନ କେବେ ପୂରଣ ହେବ ବୋଲି ନାନାପ୍ରକାର ଚର୍ଚ୍ଚା ଲାଗିରହିଥିଲା। ଗତ କିଛିଦିନ ତଳେ ନୟାଗଡ଼ ଜିଲା ଦଶପଲ୍ଲା ପର୍ଯ୍ୟନ୍ତ ଏବଂ ସୋନପୁର ଜିଲାକୁ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ସଂଯୋଗ ପରେ ମଝିରେ ରହିଥିବା ବୌଦ୍ଧବାସୀଙ୍କ ରେଳପଥ ସ୍ୱପ୍ନ ପୂରଣ ହେବାରେ ସୁଡ଼ଙ୍ଗ ଅନ୍ତରାୟ ସୃଷ୍ଟି କରିଛି। ବୌଦ୍ଧରୁ ଦଶପଲ୍ଲା ପର୍ଯ୍ୟନ୍ତ ମୋଟ ୦୭ ଗୋଟି ସୁଡ଼ଙ୍ଗ ନିର୍ମାଣ ହେବ। ଆଡେଣିଗଡ଼ଠାରେ ସବୁଠାରୁ ୪.୧୮୫କି.ମି.ର ଦୀର୍ଘତମ ସୁଡ଼ଙ୍ଗ ନିର୍ମାଣ କାର୍ଯ୍ୟ ଚାଲିଛି। ସେହିପରି ତେଇଶିମାଇଲ ନିକଟରେ ୧.୯୭୫କି.ମିର ଦ୍ୱିତୀୟ ବୃହତ୍ତମ ସୁଡ଼ଙ୍ଗ ନିର୍ମାଣାଧୀନ ରହିଛି। ଅନ୍ୟପଟେ ମାର୍ଦ୍ଦୀଙ୍ଗ ନିକଟରେ ଚାଲିଥିବା ଦୁଇଟି ସୁଡ଼ଙ୍ଗ ନିର୍ମାଣାଧୀନ ରହିଛି। ସେଥିରୁ ଗୋଟିଏ ୦.୩୧୭ ଏବଂ ଅନ୍ୟଟି ୦.୩୧୫ ମିଟର ବୋଲି ସୂଚନା ମିଳିଛି। ଆଉ ତିନିଗୋଟି ସୁଡ଼ଙ୍ଗ ମାଧପୁରଠାରୁ ଦଶପଲ୍ଲା ମଧ୍ୟରେ ନିର୍ମାଣାଧୀନ ରହିଛି। ଗତ ନଭେମ୍ବର ମାସରେ ବୌଦ୍ଧ ପର୍ଯ୍ୟନ୍ତ ସି.ଆର.ଏସ କାର୍ଯ୍ୟ ସରିଛି। କେବଳ ବୌଦ୍ଧକୁ ରେଳ ଚଳାଚଳ ବାକିରହିଛି। ଅନ୍ୟପଟେ ପ୍ରଥମଥର ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସୁଡ଼ଙ୍ଗ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଛି। ପରିଦର୍ଶନ ସମୟରେ ଜିଲାପାଳଙ୍କ ସହ ଅତିରିକ୍ତ ଜିଲାପାଳ ଅନିରୁଦ୍ଧ ପ୍ରଧାନ, ହରଭଙ୍ଗା ବିଡିଓ ଶରତ ସେଠୀ, ତହସିଲଦାର ବିଭୁ ପ୍ରସାଦ ସିଂହ ପ୍ରମୁଖ ଯୋଗଦାନ କରିଥିଲେ।

Comments are closed.