ଧିମେଇଲାଣି ନିର୍ମାଣ କାର୍ଯ୍ୟ, କେବେ ମିଳିବ ଲୋକଙ୍କୁ ପାଣି ?

ହରଭଙ୍ଗା: ସରିବାକୁ ବସିଲାଣି ଦ୍ୱୀତିୟ ମିଆଦି, ତଥାପି ବୃହତ୍‌‌ ପାଇପ୍‌‌ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ଆଶା କ୍ଷୀଣ। ପ୍ରକଳ୍ପ ନିର୍ମାଣ ଦାୟିତ୍ୱରେ ଥିବା ଏଲ ଆଣ୍ଡ ଟି ଭଳି ଏକ ନାମୀଦାମୀ ଠିକାସଂସ୍ଥାର ମନମୁଖୀ କାର୍ଯ୍ୟ ଯୋଗୁଁ ବ୍ଲକବାସୀଙ୍କୁ କେବେ ପାଣି ମିଳିବ ତାକୁ ନେଇ ଜନସାଧାରଣଙ୍କ ମନରେ ବଡ ପ୍ରଶ୍ନଚିହ୍ନ ଛିଡା ହୋଇଛି। ସମୟ ଗଡ଼ିବା ସହିତ ନିର୍ମାଣ କାର୍ଯ୍ୟରେ ଏଭଳି ମନ୍ଥରତା ଠିକାସଂସ୍ଥା, ବିଭାଗୀୟ କର୍ତ୍ତୃପକ୍ଷ ଏବଂ ଥାର୍ଡପାର୍ଟି କନସଲଟାଣ୍ଟଙ୍କ ପାରିବା ପଣିଆ ଉପରେ ପ୍ରଶ୍ନଚିହ୍ନ ଛିଡା କରିଛି। ଯାହାଫଳରେ ଅଢେଇବର୍ଷ ହେଲା ଲୋକେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଦେଖି ଦେଖି ଶୋଷ ମେଣ୍ଟାଇବାକୁ ବାଧ୍ୟ ହେଉଛନ୍ତି। ଏହାର ତଦାରଖ ପାଇଁ ଭୁବନେଶ୍ୱରରୁ ପ୍ରତି ମାସରେ ଜଣେ ମେଗା ଏକ୍ସପର୍ଟ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମୀକ୍ଷା ପାଇଁ ଆସୁଛନ୍ତି। ମାତ୍ର ପ୍ରକଳ୍ପକାର୍ଯ୍ୟ ଅଗ୍ରଗତିକୁ ନେଇ ଆଦୌ ସନ୍ତୋଷ ନଥିବା ଜଣାପଡ଼ିଛି। ଏନେଇ ମେଗା ଏକ୍ସପର୍ଟ ନକରାତ୍ମକ ରିପୋର୍ଟ ସରକାରଙ୍କୁ ପ୍ରଦାନ କରୁଥିଲେ ମଧ୍ୟ କମ୍ପାନୀ ଉପରେ ସେଭଳି କୌଣସି ଚାପ ପଡୁନାହିଁ। ଯାହାଫଳରେ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷହେବା ପାଇଁ ଆହୁରି କେତେ ମାସ ସମୟ ଲାଗିବ ତାହାର ଉତ୍ତର ମଧ୍ୟ କାହାପାଖରେ ନଥିବା ଜଣାପଡ଼ିଛି। ଯାହାଫଳରେ ହରଭଙ୍ଗା ବୃହତ୍‌‌ ପାଇପ୍‌‌ ଜଳ ଯୋଗାଣ ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ନେଇ ବ୍ଲକ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ପ୍ରକାଶ ଯେ, ବହୁତ ଦିନର ଦାବି ପରେ ବୌଦ୍ଧ ଜିଲ୍ଲା ହରଭଙ୍ଗାଠାରେ କେନ୍ଦ୍ରସରକାରଙ୍କ ଜଳ ଜୀବନ ମିଶନ ଯୋଜନାରେ ଗତ ୧୫ ନଭେମ୍ବର ୨୦୨୧ରୁ ୧୯୫କୋଟି ୭୦ଲକ୍ଷ ଟଙ୍କା ବ୍ୟୟବରାଦରେ ବୃହତ୍‌‌ ପାଇପ୍‌‌ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ନିର୍ମାଣାଧିନ ରହିଛି। ପ୍ରକଳ୍ପ ନିର୍ମାଣ ମିଆଦି ୨ବର୍ଷ ରହିଥିଲା। ଗତ ନଭେମ୍ବର ମାସ ୨୦୨୩ ପ୍ରକଳ୍ପ ନିର୍ମାଣ ମିଆଦି ସରିଥିଲା। ୨ବର୍ଷ ମିଆଦି ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ୬୦ ପ୍ରତିଶତରୁ କମ୍‌‌ ସରିଥିଲା। ଯାହାଫଳରେ ପ୍ରକଳ୍ପ ନିର୍ମାଣ ସମୟ ସୀମାକୁ ଚଳିତବର୍ଷ ନଭେମ୍ବର ମାସ ପର୍ଯ୍ୟନ୍ତ ଆହୁରି ଏକ ବର୍ଷକୁ ବୃଦ୍ଧି କରାଯାଇଛି। ମାତ୍ର ଆସନ୍ତା ନଭେମ୍ବର ମାସ ସୁଦ୍ଧା ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ଆଶା କ୍ଷୀଣ ଭଳି ମନେହେଉଛି। ଏଯାବତ୍‌‌ ୬୫ ପ୍ରତିଶ୍ରତରୁ କାର୍ଯ୍ୟ ସରିଥିବାବେଳେ ଆହୁରି ୩୫ ପ୍ରତିଶତ କାମ ବାକି ରହିଛି। ବର୍ତମାନ ୨ମାସ ବର୍ଷା ସମୟ ରହିଥିବାରୁ ଏହି ସମୟରେ କାମ ବନ୍ଦ ହେବା ଏକପ୍ରକାର ନିଶ୍ଚିତ ବୋଲି ଜଣାପଡ଼ିଛି, ଯାହାକୁ ନେଇ ଅନେକ ପ୍ରଶ୍ନ ଛିଡ଼ା ହୋଇଛି।

ସୂଚନା ଅନୁସାରେ, ପ୍ରକଳ୍ପ ପାଇଁ ୩୮ଟି ଓଭରହେଡ୍ ଟ୍ୟାଙ୍କ ନିର୍ମାଣ ଆବଶ୍ୟକ ଥିବାବେଳେ ସେଥିରୁ ମାତ୍ର ହାତଗଣତି ୦୫ଗୋଟି ଟ୍ୟାଙ୍କ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ୧୯ଟି ଓଭରହେଡ୍ ଟ୍ୟାଙ୍କ କାର୍ଯ୍ୟ ଚାଲିଥିବାବେଳେ ୧୪ଟି ଟ୍ୟାଙ୍କ କାର୍ଯ୍ୟ ଆଦୌ ଆରମ୍ଭ ହୋଇନାହିଁ। ଏପରିକି ଗୋଟିଏ ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ(ଡବ୍ଲ୍ୟୁଟିପି) କାର୍ଯ୍ୟ ମଧ୍ୟ ଏଯାଏଁ ସମ୍ପୂର୍ଣ୍ଣ ହୋଇପାରିନାହିଁ। ସେହିପରି ଗୋଟିଏ ଇନଟେକ ଓ୍ବେଲ କାର୍ଯ୍ୟ ମଧ୍ୟ ସରିପାରିନାହିଁ। ୭୮୦ମିଟର ପାଇପ୍‌‌ ଲାଇନ ନିର୍ମାଣକାର୍ଯ୍ୟ ରହିଥିଲେ ମଧ୍ୟ ଏଯାବତ୍‌‌ ୭୦ ପ୍ରତିଶ୍ରତ ପାଇପ୍‌‌ ବିଛା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ମାତ୍ର ପାଇପ୍‌‌ ପୋତିବା ପାଇଁ କମ୍ପାନୀ ମାଟି ଖୋଳୁଥିବାବେଳେ ପାଇପ୍‌‌ ପୋତିବା ପରେ ମାଟିକୁ ନ ବିଛାଇ ମନଇଛା କାର୍ଯ୍ୟ ଚଲେଇଛି। ସବୁ ପ୍ରକାର କାର୍ଯ୍ୟ ଅଧପନ୍ତରିଆ ଅବସ୍ଥାରେ ରହିଥିବାବେଳେ ପ୍ରକଳ୍ପ କାର୍ଯ୍ୟରେ ଅହେତୁକ ବିଳମ୍ବ ସମସ୍ତଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ପ୍ରକଳ୍ପ ତଦାରଖ ଦାୟିତ୍ୱରେଥିବା ଓ୍ବାପକସ ନାମକ ଥାର୍ଡପାର୍ଟି କନସଲଟାଣ୍ଟ ପ୍ରକଳ୍ପ କାର୍ଯ୍ୟ ସଠିକ୍‌‌ଭାବେ ତଦାରଖ କରୁନଥିବାରୁ ଏଭଳି ସମସ୍ୟା ଉପୁଜୁଥିବା ଅଭିଯୋଗ ହେଉଛି। ଲୋକଙ୍କ ଟିକସ ଟଙ୍କାରେ ଏତେବଡ ପ୍ରକଳ୍ପର ଭବିଷ୍ୟତକୁ ନେଇ ବ୍ଲକବାସୀ ଅନ୍ଧାରରେ ରହିଥିବାବେଳେ ପ୍ରକଳ୍ପ କାର୍ଯ୍ୟ କେବେ ସରିବ, ଲୋକଙ୍କୁ କେବେ ପାଣି ମିଳିବ ତାହାର ଉତ୍ତରଦାୟିତ୍ୱ ଉପରେ ବୌଦ୍ଧ ଜିଲ୍ଲାପାଳ ସମୀକ୍ଷା କରିବା ସହିତ ବ୍ଲକସ୍ତରୀୟ ଏକ କୋର କମିଟି ଗଠନ କରି ଏହାର ପ୍ରତିମାସରେ ସମୀକ୍ଷା କରିବାର ସମୟ ପହଞ୍ଚିଛି।

ଅନ୍ୟପଟେ ଗ୍ରୀଷ୍ମଦିନେ ମହାନଦୀ ଜଳସ୍ତର ଆଶାଠାରୁ ଅଧିକ ହ୍ରାସ ପାଇବା ସହିତ ଭୂତଳ ଜଳ ହ୍ରାସ ପାଉଛି। ମାତ୍ର ମହାନଦୀର ପାଣିଘରାଠାରେ ନିର୍ମାଣ ହୋଇଥିବା ଇନଟେକ କୂପରୁ ଖରାଦିନ ଭଳି ନିଅଣ୍ଟିଆ ସମୟରେ କିପରି ଏହି ପ୍ରକଳ୍ପରୁ ଆବଶ୍ୟକତା ଅନୁସାରେ ଲୋକଙ୍କୁ ପାଣି ମିଳିବ ସେ ଦିଗରେ ଆଗରୁ ବୈଷୟିକ ଟିମ୍‌ ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି। ନଚେତ ସରକାର କା ମାଲ୍ ଦରିଆ ମେ ଡାଲ୍ ନ୍ୟାୟରେ ଠିକାସଂସ୍ଥା ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରି ମାଲାମାଲ୍ ହେବାବେଳେ ଲୋକେ ଖରାଦିନେ ପାଣି ପାଇଁ କଲବଲ ହେବା ଅବସ୍ଥା ଉପୁଜିବାର ଯଥେଷ୍ଟ ଆଶଙ୍କା ରହିଛି। ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେଲେ ମେଗା ପାଇପ ଜଳ ଯୋଗାଣ ଭଳି ଏକ ଦୀର୍ଘ ମିଆଦି ପ୍ରକଳ୍ପ କାର୍ଯ୍ୟ ସଫଳ ହେବ ଏବଂ ହରଭଙ୍ଗା ବ୍ଲକବାସୀଙ୍କ ଦୀର୍ଘଦିନର ପାଣି ସମସ୍ୟା ଦୂର ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି। ତୁରନ୍ତ ଏ ଦିଗରେ ମେଗା ଏକ୍ସପର୍ଟ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ଉଠୁଛି।

Comments are closed.