ହରଭଙ୍ଗା: ସରକାର ଗରିବ ଶ୍ରେଣୀର ଲୋକଙ୍କୁ ଗ୍ରାମୀଣ ଆବାସରେ ଘର ଖଣ୍ଡିଏ ଯୋଗାଇବାର ବ୍ୟବସ୍ଥା କରିଛନ୍ତି। ଏହା ସତ୍ୱେ ସରକାରଙ୍କ ଏହି ମହତ୍ ଯୋଜନାରୁ ବଞ୍ଚିତ ହୋଇ ଜଣେ ଗରିବ ଶ୍ରମିକ ଶ୍ରେଣୀର ପରିବାର ପିଲାଛୁଆଧରି ଭଙ୍ଗାଘରେ ଜୀବନ ବିତାଉଥିବା ଭଳି ଏକ ଅଭାବନୀୟ ଚିତ୍ର ହରଭଙ୍ଗା ବ୍ଲକର ଛତ୍ରଙ୍ଗ ପଞ୍ଚାୟତର ଖରଭୁଇଁ ଗ୍ରାମର ନୂଆସାହିରେ ଦେଖିବାକୁ ମିଳିଛି।
ପ୍ରକାଶ ଯେ, ନୂଆସାହି ବାସିନ୍ଦା ଅରୁଣ ନାଏକ। ପତ୍ନୀ, ଦୁଇ ପୁଅ ଓ ଏକମାତ୍ର ଝିଅକୁ ନେଇ ତାଙ୍କ ସଂସାର। ମୂଲମଜୁରୀ କରି ଦିନ କାଟୁଥିବା ଅରୁଣ ଆବାସ ଯୋଜନାରୁ ବଞ୍ଚିତ ଥିବାବେଳେ ରାସନକାର୍ଡ ନଥିବାରୁ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ରହିଥିବା ଜଣାପଡ଼ିଛି। ବଡପୁଅ ଭିନ୍ନକ୍ଷମ ହୋଇଥିବାବେଳେ ସେ ମଧ୍ୟ ସାମାଜିକ ସୁରକ୍ଷା ଯୋଜନାରୁ ବଞ୍ଚିତ ଥିବା ଜଣାପଡ଼ିଛି। ଗରିବ ଶ୍ରେଣୀର ଏହି ପରିବାର ପ୍ରତି ବ୍ଲକ ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ତାଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇଦେବାକୁ ସମାଜସେବୀ ପ୍ରମିଳ କୁମାର ଦନ୍ତା ଦାବୀ କରିଛନ୍ତି।



