ଫୁଲବାଣୀ: ବୟସ ଆସି ପହଞ୍ଚିଲାଣି ଅପରାହ୍ନରେ। ତଥାପି ଆଜି ପର୍ଯ୍ୟନ୍ତ ଜଣେ ଶାରୀରିକ ବିକଳାଙ୍ଗ ବୃଦ୍ଧଙ୍କୁ ସରକାରଙ୍କ ଖାଦ୍ୟସୁରକ୍ଷା ଯୋଜନାରେ ସାମିଲ କରାଯାଇନାହିଁ। ଏମିତି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାଶିନିପଦର ପଞ୍ଚାୟତ ମାଝିପଡା ଗ୍ରାମରୁ। ଗ୍ରାମର ସୁଦାମ ଦିଗାଳ(୬୦)। ଜନ୍ମରୁ ବିକଳାଙ୍ଗ। ସରକାରୀ ସହାୟତା କହିଲେ ମିଳିଛି ବିକଳାଙ୍ଗ ଭତ୍ତା ବାବଦକୁ ୫୦୦ ଟଙ୍କା। ତାଙ୍କର ଆଗ ପଛରେ ଆଉ କେହି ନଥିବା ବେଳେ କେବଳ ଏହି ଭତ୍ତାଟଙ୍କାର ସାହାରାରେ ଜୀବନ ବିତାଉଛନ୍ତି। ମାଝିପଡା ଗାଁ ରେ ଏକ ଭଙ୍ଗା ଦଦରା ଝାଟିମାଟି କୁଡିଆରେ ରହିଆସୁଛନ୍ତି ଏହି ବୃଦ୍ଧ ଜଣକ। ପରିତାପର ବିଷୟ ଏହି ବୃଦ୍ଧ ଜଣକ ବହୁବାର ଖାଦ୍ୟସୁରକ୍ଷା ଯୋଜନାରେ ସାମିଲ୍ କରିବା ପାଇଁ ବ୍ଳକ ପ୍ରଶାସନଠାରୁ ଆରମ୍ଭ କରି ପଂଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠି ଆବେଦନ କରିଛନ୍ତି କିନ୍ତୁ ତାଙ୍କୁ ଏପର୍ଯ୍ୟନ୍ତ ଏହି ଖାଦ୍ୟସୁରକ୍ଷା ଯୋଜନାରେ ସାମିଲ କରାଯାଇନାହିଁ। ବାସ୍ତବିକ ଭାବେ ବହୁ ଅଯୋଗ୍ୟ ହିତାଧିକାରୀ ନିଜକୁ ବିଭିନ୍ନ ପ୍ରକାର ଚଞ୍ଚକତା କରି ରାସନକାର୍ଡ଼ ହାତେଇ ନେଇ ସରକାରଙ୍କ ବିଭିନ୍ନ ଯୋଜନାକୁ ଦିନ ଦ୍ୱିପହରରେ ଲୁଟୁଥିବା ବେଳେ ସୁଦାମଙ୍କ ଭଳି ଜଣେ ଯୋଗ୍ୟ ହିତାଧିକାରୀ ଓ ବିକଳାଙ୍ଗ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସାମିଲ୍ ହୋଇ ପାରିନାହାନ୍ତି ଖାଦ୍ୟ ସୁରକ୍ଷା ଯୋଜନାରେ। ଯାହାକି ବିଭାଗୀୟ କର୍ମକର୍ତ୍ତାଙ୍କ କାର୍ଯ୍ୟକଳାପ ନିଶ୍ଚିତ ଭାବେ ସନ୍ଦେହ ଘେରରେ। ବାରମ୍ବାର ଦୌଡିଥିଲେ ମଧ୍ୟ ରାସନ କାର୍ଡ ଖଣ୍ଡେ ମଧ୍ୟ ଦିଆଯାଇ ପାରିନାହିଁ।
ଅନ୍ୟପଟେ ଏହି କାଶିନିପଦର ପଚାଂୟତରେ ଅନେକ ଧନିକ ଶ୍ରେଣୀର ବ୍ୟକ୍ତି ରାସନକାର୍ଡ଼ ପାଇପାରିଛନ୍ତି। ଯାହାକି ତଦନ୍ତ ସାପେକ୍ଷ। ହେଲେ ବିକଳାଙ୍ଗ ପାଇଁ କାହାର ମଧ୍ୟ ଆହା ପଦେ ନାହିଁ। କନ୍ଧମାଳ ଜିଲ୍ଲାର ଏହି ଫିରିଙ୍ଗିଆ ବ୍ଲକରେ ଯୋଗାଣ ବିଭାଗ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରି ବିଭିନ୍ନ ବର୍ଗର ଲୋକଙ୍କୁ ରାସନକାର୍ଡ ପ୍ରଦାନ କରୁଛନ୍ତି। କିନ୍ତୁ ସୁଦାମ ଦିଗାଳଙ୍କ କ୍ଷେତ୍ରରେ ଯୋଗାଣ ବିଭାଗର ଏକି ଅବିଚାର ବୋଲି ସ୍ଥାନୀୟ ଜନସାଧାରଣ ମତ ଦେଇଛନ୍ତି। ଅଭିଯୋଗ ପ୍ରକାରେ, କାଶିନିପଦର ପଚାଂତୟରେ କାର୍ଯ୍ୟରତ ଯୋଗାଣ ସାହାୟକ ପ୍ରିୟାପ୍ରୀତି ପୋଷଣ କରି ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ଯୋଗ୍ୟ ଭାବେ ସାମିଲ୍ କରିବାରେ ସଫଳ ହୋଇଥିଲେ ମଧ୍ୟ ଯୋଗ୍ୟ ଭାବେ ହାତଗୁଞ୍ଜା ଦେଇ ପାରୁ ନ ଥିବା ଯୋଗୁଁ ସେମାନେ ଯୋଗ୍ୟ ଥାଇ ମଧ୍ୟ ଅଯୋଗ୍ୟ ପାଲଟିଛନ୍ତି। ଯାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଜନ୍ମରୁ ବିକଳାଙ୍ଗ ସୁଦାମ। ପଂଚାୟତରେ ଯୋଗାଣ ସହାୟକଙ୍କ ମନମୁଖୀ କାର୍ଯ୍ୟକଳାପକୁ ଅଭିଯୋଗ କରି ଅନେକ ସମୟରେ ଅଭିଯୋଗ ହେଉଥିଲେ ମଧ୍ୟ ବ୍ଳକ ପ୍ରଶାସନ କିମ୍ବା ଜିଲା ପ୍ରଶାସନ କେହି ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାହାସ କରିପାରୁ ନ ଥିବା ପଛରେ କଣ କାରଣ ରହିଛି ତାହା ମଧ୍ୟ ତଦନ୍ତ ସାପେକ୍ଷ। ଅନ୍ୟପଟେ ଆଜି ପର୍ଯ୍ୟନ୍ତ କାହିିଁକି ଏହି ଶାରୀରିକ ବିକଳାଙ୍ଗ ବୃଦ୍ଧ ଜଣକୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ୍ କରାଯାଇ ପାରିନାହିଁ ତାହାର ବିଧିବଦ୍ଧ ଭାବେ ତଦନ୍ତ କରିବା ସହିତ ଅସହାୟଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।



