www.samajalive.in
Sunday, December 7, 2025
16.1 C
Bhubaneswar

ଗୁରୁପ୍ରିୟା ସେତୁ ନିର୍ମାଣ ସତ୍ତ୍ବେ ବିକାଶ ଅପହଞ୍ଚ

ମାଲକାନଗିରି: ସରକାର ସିନା ବଦଳିଛି, ମାତ୍ର ସ୍ବାଭିମାନ ଅଞ୍ଚଳର ବାସ୍ତବ ଚିତ୍ରରେ କୌଣସି ପରିବର୍ତ୍ତନ ଆସିନି। ସମସ୍ୟା ସରୁନି କି ଲୋକଙ୍କ ଜୀବନଧାରଣର ମାନରେ ପରିବର୍ତ୍ତନ ହେଉନି। ଗୁରୁପ୍ରିୟା ସେତୁ ନିର୍ମାଣର ୮ ବର୍ଷ ବିତି ଯାଇଥିଲେ ସୁଦ୍ଧା ଆଜି ବି ଯନ୍ତ୍ରୀ, ଅଣ୍ଡ୍ରାପାଲୀ, ନାକାମାମୁଡି ପଞ୍ଚାୟତର ୪୦ରୁ ଊର୍ଦ୍ଧ୍ବ ଗ୍ରାମକୁ ଭଙ୍ଗା ଦଦରା ଦେଶୀଡଙ୍ଗା ଭରସା ହୋଇଛି। ଆମ୍ବୁଲାନ୍ସ ଲଞ୍ଚ ଗାଁ ଗାଁକୁ ଯାଇ ସ୍ୱାସ୍ଥ୍ୟସେବା ଯୋଗାଉଥିବା ବେଳେ ଜରୁରୀକାଳୀନ ପରିସ୍ଥିତିରେ ଗାଁକୁ ଗାଡ଼ି ଯାଇ ପାରୁନି। ପ୍ରସବ ହେଉ କିମ୍ବା ଅନ୍ୟ କୌଣସି ଅସମୟରେ ରୋଗୀ ମୃତ୍ୟୁମୁଖରେ ପଡୁଛନ୍ତି। ଏହିସବୁ ଅଞ୍ଚଳରେ ଜୀବନ ଜୀବିକା ପାଇଁ ଲୋକ ଆଜି ବି ସଂଘର୍ଷ କରୁଛନ୍ତି।

ଏହିସବୁ ଅଞ୍ଚଳରେ ଉତ୍ପାଦିତ ଅଦା, ହଳଦୀ, ମାଣ୍ଡିଆ ଓ ସୁଅାଁର ପ୍ରକୃତ ବଜାର ମୂଲ୍ୟ ମିଳି ପାରୁନାହିଁ। ବାରମ୍ବାର ଆବେଦନ ନିବେଦନ କରି ଥକିଗଲୁଣି ବୋଲି ଏକଦା ଲାଲବାହିନୀର ବିଶ୍ରାମ ସ୍ଥଳୀ ପାଲଟିଥିବା ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଜଡାମ୍ବ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ମାଲକାନଗିରି ଜିଲାର ଚିତ୍ରକୋଣ୍ଡା ବୁଡ଼ି ଅଞ୍ଚଳକୁ ଯୋଗାଯୋଗ ପାଇଁ ରାଜ୍ୟ ସରକାର ୨୦୧୮ ମସିହାରେ ଶହଶହ କୋଟି ଟଙ୍କା ବ୍ୟୟରେ ଗୁରୁପ୍ରିୟା ସେତୁ ନିର୍ମାଣ କରିଥିଲେ। ଏହାଦ୍ବାରା ୯ ପଞ୍ଚାୟତକୁ ଯୋଗାଯୋଗ ସୁଗମ ହୋଇଥିଲା। ବୁଡ଼ି ଅଞ୍ଚଳରୁ ତତ୍କାଳୀନ ସରକାର ସ୍ବାଭିମାନ ଅଞ୍ଚଳର ମାନ୍ୟତା ପ୍ରଦାନ କରିଥିଲେ। ଏହି ଅଞ୍ଚଳର ବିକାଶ ପାଇଁ ୨୫୦ କୋଟି ଟଙ୍କାର ଅନୁଦାନ ଦେଇଥିଲେ; କିନ୍ତୁ ଆଜି ବି ସ୍ବାଭିମାନ ଅଞ୍ଚଳର ଲୋକଙ୍କ ପାଇଁ ମୌଳିକ ସୁବିଧା ସାତସପନ ହୋଇ ରହିଛି। ଯନ୍ତ୍ରୀ, ପଣସପୁଟ ଭଳି ପଞ୍ଚାୟତକୁ ରାସ୍ତା ନିର୍ମାଣ ହୋଇନି। ଏହି ବ୍ଲକର ଜଡାମ୍ବ ପଞ୍ଚାୟତରେ ଏଭଳି କିଛି ଗ୍ରାମ ରହିଛି ଯେଉଁଠି ସ୍ୱାସ୍ଥ୍ୟ, ପାନୀୟଜଳ ଓ ଜମିକୁ ଜଳସେଚନ ଭଳି ମୌଳିକ ସୁବିଧା ଅପହଞ୍ଚ ହୋଇ ରହିଛି।

- Advertisement -

ବର୍ଷାଦିନେ ଏଠାକାର ସ୍ବାସ୍ଥ୍ୟ କେନ୍ଦ୍ରରେ ଅଣ୍ଟାଏ ପାଣି ଜମି ରହୁଛି। ଏକ ସ୍ବେଚ୍ଛାସେବୀ ସଂଗଠନ ଦ୍ୱାରା ଏହି ସ୍ବାସ୍ଥ୍ୟକେନ୍ଦ୍ର ପରିଚାଳିତ ହେଉଛି। ଜାନବାଇଠାରେ ମଧ୍ୟ ଏକ ଘରୋଇ କମ୍ପାନୀ ଅତ୍ୟାଧୁନିକ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ କରିଥିଲେ ମଧ୍ୟ ନିର୍ମାଣାଧୀନ ଘର ଓ ଯନ୍ତ୍ରପାତି ଗୁଡିକ ଖତ ଖାଉଛି। ଏଭଳି ସ୍ଥିତିରେ ମାଓବାଦୀଙ୍କ ଆତଯାତ ବେଳେ ଆମେ ଭଲରେ ଥିଲୁ ବୋଲି କ୍ଷୋଭର ସହ ପ୍ରକାଶ କରନ୍ତି ଜଡ଼ାମ୍ବ ଗ୍ରାମବାସୀ। ମାଓବାଦୀଙ୍କ ଭୟରେ ପ୍ରଶାସନ ମଧ୍ୟ ଆମ ପ୍ରତି ଅନୁକମ୍ପା ଦେଖାଉଥିଲେ। କିନ୍ତୁ ମାଓବାଦୀ ଅଞ୍ଚଳ ଛାଡ଼ିବା ପରେ ଆମେ ଦୟନୀୟ ଜୀବନ ବିତାଉଛୁ। ଝରଣା ଜଳକୁ ସଂରକ୍ଷିତ ରଖିବା ପାଇଁ ମାଓବାଦୀମାନେ ୧୫ ହଜାର ଟଙ୍କାରେ ନିର୍ମାଣ କରାଇଥିବା ଏକ ପାନୀୟ ଜଳ କୁଣ୍ଡର ସଂରକ୍ଷିତ ଜଳକୁ ଆଜି ଯାଏଁ ଆମେ ବ୍ୟବହାର କରୁଛୁ ବୋଲି ଜଡ଼ାମ୍ବବାସୀ ‘ସମାଜ’କୁ କହିଛନ୍ତି। ପାନୀୟ ଜଳ ପ୍ରକଳ୍ପ ନିମନ୍ତେ ସରକାରଙ୍କ ପକ୍ଷରୁ ଏକ ଟାଙ୍କି ନିର୍ମାଣ ହୋଇଛି; କିନ୍ତୁ ଏଥିରେ ପାଣି ଟୋପାଏ ଆଜି ପର୍ଯ୍ୟନ୍ତ ଗ୍ରାମବାସୀ ପାଇ ନଥିବା ଅଭିଯୋଗ କରିଛନ୍ତି। ଗୌଡ ସମ୍ପ୍ରଦାୟର ବସବାସ କରୁଥିବା ଏହି ଗ୍ରାମର ଜଣେ ମଧ୍ୟ ଆବାସ ଗୃହ ପାଇନାହାନ୍ତି ବୋଲି କହିଛନ୍ତି ପୂର୍ବତନ ମାଓ କମାଣ୍ଡର ଦୟାନିଧି ଗୌଡ। ସେହିପରି ସଂଗଠନ ଛାଡ଼ି ଜାତୀୟ ମୁଖ୍ୟ ସ୍ରୋତରେ ସାମିଲ ହେବା ପରେ ମଧ୍ୟ ତାଙ୍କୁ କୌଣସି ସରକାରୀ ସୁଫଳ ମିଳିନାହିଁ ବୋଲି କହିଛନ୍ତି।

ଜଡାମ୍ବ, ବଡ଼ପଡ଼ା, ବଡ଼ପଦର, ଅଣ୍ଡ୍ରାପାଲ୍ଲୀ, ପଣସପୁଟ, ରାଲେଗେଡ଼ା, ପାପରମେଟଲା, ଗାଜୁଲମାମୁଡି, ଧୁଳିପୁଟ ପଞ୍ଚାୟତରେ ଏକଦା ମାଓବାଦୀଙ୍କ ରାଜ ଚାଲୁଥିଲା। ପୂର୍ବତନ ଜିଲାପାଳ ଭିନିଲ କ୍ରିଷ୍ଣା ଅପହରଣ, ଲଞ୍ଚରେ ଯାଉଥିବା ସମୟରେ ଯବାନଙ୍କ ଉପରେ ଆଲାମପାକା ନିକଟରେ ଆକ୍ରମଣ କରି ୩୪ ଜଣ ଆନ୍ଧ୍ର ଯବାନଙ୍କୁ ହତ୍ୟା, ମାଳିଗୁଡା, ଜାନବାଇ ପୁଲିସ ଶିବିର ଉପରେ ଆକ୍ରମଣ ଭଳି ବହୁ ବଡ଼ବଡ଼ ମାଓ ହିଂସା ସେ ସମୟରେ ସାରା ଦେଶରେ ଆତଙ୍କ ସୃଷ୍ଟି କରିଥିଲା। ପରବର୍ତ୍ତୀ ଅବସ୍ଥାରେ ସୀମା ସୁରକ୍ଷାବାହିନୀ ପକ୍ଷରୁ ବଡପଡ଼ା, ଜାନବାଇ, ହନ୍ତାଳଗୁଡା, ଜଡାମ୍ବ, ପଣସପୁଟ, ଯନ୍ତ୍ରୀଠାରେ ଶିବିର ପ୍ରତିଷ୍ଠା କରାଯାଇ ନକ୍ସଲ ଦମନ କରାଯାଇଥିଲା। ଏହି ସବୁ ଅଞ୍ଚଳରେ ୩୦ ହଜାରରୁ ଊର୍ଦ୍ଧ୍ବ ଆଦିବାସୀ ମାଓବାଦୀଙ୍କ କବଜାରୁ ମୁକ୍ତ ହୋଇଥିଲେ। ତେବେ ଏହି ସବୁ ଅଞ୍ଚଳର ପ୍ରକୃତ ବିକାଶର ଆବଶ୍ୟକତା ରହିଛି। ରାଜ୍ୟ ଓ କେନ୍ଦ୍ର ସରକାର ତୁରନ୍ତ ସ୍ବାଭିମାନ ଅଞ୍ଚଳର ବିକାଶ ପ୍ରତି ଦୃଷ୍ଟି ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories