ଗୁରୁଗ୍ରାମ: ଦିଲ୍ଲୀ ଗୁରୁଗ୍ରାମରେ ଏକ ଖଟ ବକ୍ସ ମଧ୍ୟରୁ ଜଣେ ମହିଳାଙ୍କ ଗଳିତ ଶବ ଉଦ୍ଧାର ହୋଇଛି । ୫ ଦିନ ଧରି ଘର ମାଲିକ ମୃତଦେହ ସହ ରହି ଆସୁଥିଲେ ମଧ୍ୟ ଏହାର କୌଣସି ସୁରାଗ ପାଇ ନଥିଲେ । ଗୁରୁଗ୍ରାମ ସେକ୍ଟର୍ ୪୬ରେ ଥିବା ଜଳ ବିହାର କଲୋନୀରେ ଏହି ଅଘଟଣା ଘଟିଛି ।
ଦିନେଶ ନାମକ ଜଣେ ବ୍ୟକ୍ତି ଶନିବାର ସକାଳେ ପୁଲିସ ନିକଟରେ ପହଞ୍ଚି ସୂଚନା ଦେଇଥିଲେ ଯେ, ତାଙ୍କ ବେଡ ବକ୍ସରେ ଜଣେ ମହିଳାଙ୍କ ମୃତଦେହ ମିଳିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଖଟ ବକ୍ସ ମଧ୍ୟରୁ ମହିଳାଙ୍କ ଗଳିତ ଶବ ଉଦ୍ଧାର କରିଥିଲା । ଉକ୍ତ ମହିଳା ଜଣଙ୍କ ୩୦ ବର୍ଷୀୟ ବବିତା ବୋଲି ଚିହ୍ନଟ ହୋଇଥିଲା । ପୁଲିସ ସୂଚନା ଅନୁଯାୟୀ, ଚା ଦୋକାନୀ ଦିନେଶଙ୍କ ଘରୁ ମହିଳା ଗଳିତ ଶବ ଉଦ୍ଧାର ହୋଇଛି । ଦୀନେଶଙ୍କ ଏକ ଟ୍ୟାକ୍ସି ଗାଡିକୁ ରାଜେଶ ନାମକ ଜଣେ ବ୍ୟକ୍ତି ଚଳାନ୍ତି । ମୃତ ବବିତା ରାଜେଶଙ୍କ ପତ୍ନୀ ବୋଲି ଜଣାପଡିଛି । ରାଜେଶ ବବିତାଙ୍କୁ ହତ୍ୟା କରି ଦୀନେଶଙ୍କ ବେଡ ବକ୍ସରେ ମୃତଦେହ ଲୁଚାଇ ଫେରାର ହୋଇ ଯାଇଥିବା ପୁଲିସ ସନ୍ଦେହ କରୁଛି ।
ପ୍ରାୟ ଦୁଇ ମାସ ହେବ ରାଜେଶ ଦୀନେଶଙ୍କ ଟ୍ୟାକ୍ସି ଚଳାଉଥିଲେ । ଦୀନେଶ ରାଜେଶକୁ ବିଶ୍ବାସ କରି ଘର ଚାବି ମଧ୍ୟ ଦେଇଥିଲେ । କିଛି ଦିନ ହେବ ଦୀନେଶ ଗାଁକୁ ଯାଇଥିଲେ । ଗାଁରୁ ଫେରି ଦୀନେଶ ରାଜେଶକୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାର କୌଣସି ପତ୍ତା ମିଳିନଥିଲା । ଅନ୍ୟ ଏକ ଚାବିରେ ଘର କବାଟ ଖୋଲି ପ୍ରାୟ ୫ ଦିନ ରହିବା ପରେ ଶନିବାର ଘର ମଧ୍ୟରୁ ଭୀଷଣ ଦୁର୍ଗନ୍ଧ ଆସିଥିଲା । ମୂଷା ମରି ପଡିଥିବ ଭାବି ଘର ସାରା ଖୋଜାଖୋଜି କରିବା ପରେ ବେଡ ବକ୍ସ ମଧ୍ୟରୁ ଜଣେ ମହିଳା ଶବ ଦେଖି ଦୀନେଶ ଚମକି ପଡିଥିଲେ । ପରେ ସେ ପୁଲିସକୁ ସୂଚନା ଦେଇଥିଲେ ।
ବବିତାଙ୍କ ପରିବାରଲୋକଙ୍କ ସୂଚନା ଅନୁଯାୟୀ, ଛଅ ମାସ ପୂର୍ବରୁ ରାଜେଶ ବବିତାଙ୍କୁ ବିବାହ କରିଥିଲେ । ବବିତା ପୂର୍ବରୁ ବିବାହିତ ଥିବା ବେଳେ ତାଙ୍କର ୫ଟି ପିଲା ରହିଛନ୍ତି । ଉଭୟଙ୍କ ମଧ୍ୟରେ ପ୍ରତିଦିନ ଝଗଡା ହେଉଥିଲା । ରବିବାର ରାଜେଶ ବବିତାଙ୍କ ମଧ୍ୟରେ ଝଗଡା ହୋଇଥିଲା ଏବଂ ବବିତାଙ୍କୁ ଜୀବନରୁ ମାରି ଦେବ ବୋଲି ରାଜେଶ ଧମକ ମଧ୍ୟ ଦେଇଥିଲା। ପରେ ଉଭୟ ସୋମବାର ସକାଳେ ଘରୁ ବାହାରି ଯାଇଥିଲେ ଓ ପରେ କେହି ଘରକୁ ଫେରି ନଥିଲେ ବୋଲି ବବିତାଙ୍କ ୧୨ ବର୍ଷୀୟ ଝିଅ ପୁଲିସକୁ କହିଛି ।



