ଗୁଜରାଟ : ଗୁଜରାଟରେ ବୁଧବାର ଏକ ବଡ ଅଘଟଣ ଘଟିଛି । ବଦୋଦରାରେ ଏକ ପୋଲ ହଠାତ୍ ଦୁଇ ଫାଳ ହୋଇ ଏକାଧିକ ଗାଡି ନଦୀକୁ ଖସି ପଡିବାରୁ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ବଦୋଦରା ଓ ଆନନ୍ଦକୁ ଯୋଡୁଥିବା ମହୀସାଗରନଦୀରେ ତିଆରି ହୋଇଥିବା ପୋଲ ଖସି ପଡିଛି । ଖବର ପାଇବା ମାତ୍ରେ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିବା ସହ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ପୋଲ ଦୁଇ ଫାଳ ହେବା ସମୟରେ ଅନେକ ଗାଡି ସେହି ସମୟରେ ଯାତାୟତ କରୁଥିଲା । ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ପୋଲର ଗୋଟିଏ ପଟରେ ଟ୍ରକ ଫସି ରହିଥିବା ଦେଖାଯାଉଛି । ବିଶେଷଜ୍ଞଙ୍କ ଏକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି ।ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
#WATCH | Vadodara, Gujarat | The Gambhira bridge on the Mahisagar river, connecting Vadodara and Anand, collapses in Padra; local administration present at the spot. pic.twitter.com/7JlI2PQJJk
— ANI (@ANI) July 9, 2025
ବଦୋଦରା ଜିଲ୍ଲାପାଳ ଅନିଲ ଧାମେଲିଆ କହିଛନ୍ତି ଆଜି ସକାଳେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ସ୍ଥାନୀୟ ଲୋକ, ଡଙ୍ଗା ଏବଂ ନଗର ନିଗମ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପୁଲିସ ଟିମ୍ ସହିତ ଜରୁରୀକାଳୀନ ସେବା, ଏନ୍ଡିଆରଏଫ ଦଳ ଏବଂ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନେ ଏଠାରେ ଉପସ୍ଥିତ ଅଛନ୍ତି। ଉଦ୍ଧାର କାର୍ଯ୍ୟ ଚାଲିଛି।



