ନୂଆଦିଲ୍ଲୀ: ଦେଶରେ ଚାଲିଥିବା କୃଷକ ଆନ୍ଦୋଳନ ସହିତ ଜଡ଼ିତ ୨୫୦ ଟ୍ବିଟ୍ ଏବଂ ଟ୍ବିଟର ଆକାଉଣ୍ଟକୁ କେନ୍ଦ୍ର ସରକାର ସସ୍ପେଣ୍ଡ କରିଦେଇଛନ୍ତି। ଏହି ଆକାଉଣ୍ଟଗୁଡ଼ିକରେ ମିଥ୍ୟା ଏବଂ ଉତ୍ତେଜନା ସୃଷ୍ଟିକାରୀ ଟ୍ବିଟ୍ ଓ ହାସଟ୍ୟାଗ୍ ପୋଷ୍ଟ କରାଯାଉଥିବା ଅଭିଯୋଗରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏହି ପଦକ୍ଷେପ ନେଇଛି। ସରକାରଙ୍କ ପକ୍ଷରୁ ଏ ନେଇ ନୋଟିସ ଜାରି କରାଯିବା ପରେ ଟ୍ବିଟର ପକ୍ଷରୁ ଆକାଉଣ୍ଟଗୁଡ଼ିକୁ ସସପେଣ୍ଡ କରିଦିଆଯାଇଛି। ଏସବୁ ଆକାଉଣ୍ଟରୁ #modiplanningfarmergenocide ନାମରେ ହାସଟ୍ୟାଗ ଥାଇ ଟ୍ବିଟ୍ ପୋଷ୍ଟ କରାଯାଉଥିଲା। ଏହାର ଅର୍ଥ ହେଉଛି ମୋଦୀ ସରକାର କୃଷକମାନଙ୍କର ଜନସଂହାର ପାଇଁ ପ୍ରସ୍ତୁତି କରୁଛି।
ଏଭଳି ଅଭିଯୋଗ ମିଳିବା ପରେ ଗୃହ ମନ୍ତ୍ରଣାଳୟ ଏବଂ ସୁରକ୍ଷା ସଂସ୍ଥାଗୁଡ଼ିକ ଏସବୁ ଆକାଉଣ୍ଟକୁ ସସପେଣ୍ଡ କରିବା ପାଇଁ ସରକାରଙ୍କୁ ଅପିଲ କରିଥିଲେ। ଏହା ପରେ ମନ୍ତ୍ରଣାଳୟ ପକ୍ଷରୁ ଉପରୋକ୍ତ ନିଷ୍ପତ୍ତି ନିଆଯାଇଥିଲା। ଅପିଲରେ କୁହାଯାଇଥିଲା ଯେ ଆନ୍ଦୋଳନ ସମୟରେ ଏହିସବୁ ଟ୍ବିଟ୍ ଏବଂ ହାସଟ୍ୟାଗ୍ ଆକାଉଣ୍ଟ ସମସ୍ୟା ସୃଷ୍ଟି କରିପାରେ। ସସ୍ପେଣ୍ଡ କରାଯାଇଥିବା ଆକାଉଣ୍ଟଗୁଡ଼ିକ ମଧ୍ୟରେ କୃଷକ ଏକତା ମଞ୍ଚ, ଦ କାରୱାନ, ମାନିକ ଗୋୟଲ, ଟ୍ରାକ୍ଟରଟୁଟ୍ବିଟର ଏବଂ ଜାଟ୍_ଜଙ୍କସନ ଭଳି ଆକାଉଣ୍ଟ ଥିଲା।



