ରାଜ୍ୟ ସରକାର ଇ-ଯାନ କ୍ରୟ ଉପରେ ରିଆତି ଘୋଷଣା କରିଛନ୍ତି। ଏଣିକି ଇ-ଯାନ କିଣିଲେ ଆକର୍ଷଣୀୟ ରିଆତି ମିଳିବ। ସରକାରଙ୍କର ଇ-ଯାନ ନୀତି ପ୍ରଦୂଷଣ ରୋକିବାରେ ସହାୟକ ହେବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ଗତକାଲି ରାଜ୍ୟ କ୍ୟାବିନେଟ, ଇ-ଯାନ ନୀତିକୁ ଅନୁମୋଦନ କରିଛି। ପ୍ରଦୂଷଣ ରୋକିବା ଓ ଇ-ଯାନ ବ୍ୟବହାର ନେଇ ଲୋକମାନଙ୍କ ମଧ୍ୟରେ ସେଚେତନତା ବଢାଇବା ପାଇଁ ରାଜ୍ୟ ସରକାର ଆଜି ଏହି ରିଆତି ଘୋଷଣା କରିଛନ୍ତି।
ଗ୍ରାହକମାନଙ୍କ ଦୁଇ ଚକିଆ ଇ-ଯାନ କିଣିଲେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ରିଆତି ମିଳିବ। ସେହିଭଳି ୩ ଚକିଆ ଇ-ଯାନ ପାଇଁ ୧୦ ହଜାର ଓ ୪ ଚକିଆ ଇ-ଯାନ ଉପରେ ୫୦ ହଜାର ଟଙ୍କାର ରିଆତି ଘୋଷଣା କରାଯାଇଛି। ଏହା ସହିତ ନନ୍ ଏସି ଇ-ବସ୍ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨ ଲକ୍ଷ ଟଙ୍କାର ରିଆତି ଘୋଷଣା କରାଯାଇ ଥିବାବେଳେ ଏସି ଡିଲକ୍ସ ଇ-ବସ୍ ଉପରେ ୪ ଲକ୍ଷ ଟଙ୍କାର ରିଆତି ମିଳିବ।



