ଦେଶର ଗରିବ ଲୋକମାନଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଗୁଜରାଟର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ହିତାଧିକାରୀମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଆଜି କଥାବାର୍ତ୍ତା କଲାବେଳେ ଗରିବ ଲୋକମାନଙ୍କର ଦୈନନ୍ଦିନ ଜୀବନରେ ମାଗଣା ଖାଦ୍ୟଶସ୍ୟ ଯୋଗାଣ ଅନେକ ମାତ୍ରାରେ ସାହାଯ୍ୟ କରିଥିବାରୁ ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକାଶ କରିଛନ୍ତି।
ସେ କହିଛନ୍ତି, ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ପୃଥିବୀର ବିଭିନ୍ନ ଦେଶମାନେ ପ୍ରଶଂସା କରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି, କୃଷକମାନଙ୍କର ଆୟ ବୃଦ୍ଧି କରିବା ପାଇଁ ସରକାର ପ୍ରାଥମିକତା ଦେଉଛନ୍ତି। ସରକାରଙ୍କ ବିଭିନ୍ନ କଲ୍ୟାଣ ମୂଳକ ଯୋଜନାର ଉପକାର ପାଇବା ପାଇଁ ଗାଁ ଗଣ୍ଡାର ଲୋକମାନଙ୍କୁ ସଚେତନ କରାଇବା ଲାଗି ସେ ଦେଶବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଗୁଜରାଟର ୫ଟି ଜିଲ୍ଲାର ହିତାଧିକାରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଉପକାର ସଂକ୍ରାନ୍ତରେ ଆଲୋଚନା କରିଛନ୍ତି।
ଏହି ଯୋଜନା ସଂକ୍ରାନ୍ତରେ ଆହୁରି ଜନସଚେତନତା ସୃଷ୍ଟି କରିବା ପାଇଁ କାର୍ଯ୍ୟକ୍ରମ ଗୁଡ଼ିକରେ ଅଂଶଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ବିଭିନ୍ନ କଲ୍ୟାଣ ମୂଳକ ଯୋଜନାର ଲୋକମାନଙ୍କ ପାଖରେ ପହଞ୍ଚାଇବା ବ୍ୟବସ୍ଥାରେ ପରିବର୍ତ୍ତନ ଓ ଉନ୍ନତି ଆଣିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି। ସେ କହିଛନ୍ତି, ଉପଯୁକ୍ତ ହିତାଧିକାରୀମାନଙ୍କୁ ବିଭିନ୍ନ କଲ୍ୟାଣ ମୂଳକ ଯୋଜନାର ପ୍ରକୃତ ଉପକାର ପହଞ୍ଚାଯାଇ ପାରିଲେ ଲୋକମାନଙ୍କର ହିତ ସାଧନ ହୋଇପାରିବ।



