ଗୋପାଳପୁର: ଗୋପାଳପୁର ପୁଲିସ ବାଇକ ଚୋରି ମାମଲାରେ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତଜଣକ ପୁରୀ ଚନ୍ଦନପୁର ଅଞ୍ଚଳର ପପୁନା ପ୍ରଧାନ ବୋଲି ପୁଲିସ କହିଛି।
ସୂଚନା ପ୍ରକାରେ, ଗୋପାଳପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁରରେ ପି.ପୁରୁଷୋତମ ପାତ୍ରଙ୍କ ଏକ ୱେଲଡ଼ିଙ୍ଗ ସପ୍ ରହିଛି। ସେହି ଦୋକାନରେ ଅଭିଯୁକ୍ତ ପପୁନା କାମ କରି ଆସୁଥିଲା। ମେ’ ୩୦ ତାରିଖ ସନ୍ଧ୍ୟା ୭ଟା ସମୟରେ ଅଭିଯୁକ୍ତ ପପୁନା ସୁଯୋଗ ଦେଖି ଏକ ବୁଲେଟ, ଗୋଟିଏ ମୋବାଇଲ ଏବଂ ନଗଦ ୫୦ ହଜାର ଟଙ୍କା ନେଇ ଓ୍ବେଲଡିଙ୍ଗ ଦୋକାନରୁ ଚମ୍ପଟ ମାରିଥିଲା। ମାଲିକ ବାରମ୍ବାର ଫୋନ କରିବାରୁ ଅଭିଯୁକ୍ତ ଜଣକ ଗାଳିଗୁଲଜ କରିବାସହ ଧମକ ଚମକ ଦେଇଥିଲା। ଏନେଇ ପୁରୁଷୋତ୍ତମ ଗୋପାଳପୁର ଥାନାରେ ଗତ ୫ ତାରିଖରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ ପୁଲିସ କେସ୍ ନମ୍ବର ୧୭୧/୨୫ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମୋବାଇଲ ଟ୍ରାକିଙ୍ଗ କରି ଅଭିଯୁକ୍ତ ପପୁନାର ସୂଚନା ପାଇବା ପରେ ଏକ ଟିମ୍ ଚନ୍ଦନପୁର ଅଂଚଳରୁ ଅଭିଯୁକ୍ତ ପପୁନାକୁ କାବୁ କରିବାସହ ଚୋରି ବୁଲେଟ ଜବତ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ପୁଲିସ କହିଛି।



