ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ନିର୍ମାଣାଧୀନ ପ୍ରତିମୂର୍ତ୍ତି ଅଗ୍ରଗତି ସଂପର୍କରେ ସମୀକ୍ଷା
ସୁଆଣ୍ଡୋ: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ନିର୍ମାଣାଧୀନ ପ୍ରତିମୂର୍ତ୍ତି କାର୍ଯ୍ୟର ଅଗ୍ରଗତି ସଂପର୍କରେ ପ୍ରତିନିଧି ଦଳ ସମୀକ୍ଷା କରିଛନ୍ତି। ଗୋପବନ୍ଧୁଙ୍କ ଜନ୍ମମାଟି ସୁଆଣ୍ଡୋରେ ସରକାରଙ୍କ ପକ୍ଷରୁ ଐତିହ୍ୟ ପ୍ରକଳ୍ପର ନିର୍ମାଣ ଚାଲିଛି । ନିର୍ମାଣାଧୀନ ସଂଗ୍ରହାଳୟ ପରିସରରେ ଓଡ଼ିଶାର ସର୍ବବୃହତ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ଭୁବନେଶ୍ୱରର ପାତ୍ରପଡା ସ୍ଥିତ ଭାସ୍କର୍ଯ୍ୟ ଶିଳ୍ପୀ ଜୟନ୍ତ ଦାସଙ୍କ କାରଖାନା ପରିସରରେ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ୧୯ ଲକ୍ଷ ୫୦ ହଜାର ଟଙ୍କାର ବ୍ୟୟ ବରାଦ କରାଯାଇଛି । ରାଜ୍ୟ ସଂସ୍କୃତି ବିଭାଗ ଅତିରିକ୍ତ ଶାସନ ସଚିବ ସଞ୍ଜୟ ମିଶ୍ରଙ୍କ ସହିତ ସେତୁ ଓ ନିର୍ମାଣ ନିଗମ ପ୍ରକଳ୍ପ ପରିଚାଳକ ସୁନ୍ଦର ମାଧବ ପାଢ଼ୀ, ଉପଖଣ୍ଡ ଅଧିକାରୀ ଗିରିଜା ଶଙ୍କର ନାୟକ ପ୍ରମୁଖ ପ୍ରତିମୂର୍ତ୍ତି ନିର୍ମାଣର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । ତା ୧୮, ୧, ୨୦୨୨ରେ ଟେଣ୍ଡର କରାଯାଇ ଠିକାଦାର ବବିତା ଦାସ ପ୍ରତିମୂର୍ତ୍ତି ନିର୍ମାଣର ଠିକା ନେଇଛନ୍ତି । ଶ୍ରୀମନ୍ଦିର ମେଘନାଦ ପାଚେରୀ ନିକଟରେ ରହିଥିବା ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଓ ସେହିପରି ସମାଜ କାର୍ଯ୍ୟାଳୟ, ଗୋପବନ୍ଧୁଙ୍କ ଷଠି ଘର ସହିତ ଭୁବନେଶ୍ୱର, ରାଉରକେଲା ଆଦି ସ୍ଥାନଗୁଡିକରେ ଥିବା ପ୍ରତିମୂର୍ତ୍ତିର ନିର୍ମାଣ ଶୈଳୀକୁ ଦୃଷ୍ଟିରେ ରଖି ତିଆରି ଚାଲିଛି ବୋଲି ଶିଳ୍ପୀ ଶ୍ରୀ ଦାସ କହନ୍ତି । ଆସନ୍ତା ଅକ୍ଟୋବର ୯ ତାରିଖ ଗୋପବନ୍ଧୁଙ୍କ ଜୟନ୍ତୀ ପୂର୍ବରୁ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଅତିରିକ୍ତ ଶାସନ ସଚିବ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଜନ୍ମମାଟିରେ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ସର୍ବବୃହତ ୧୫ ଫୁଟ ଉଚ୍ଚତାର ବ୍ରୋଞ୍ଜ ପ୍ରତିମୂର୍ତ୍ତି କରାଯିବାକୁ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ସ୍ଥିର ହୋଇଛି ବୋଲି ଜଣାପଡିଛି ।
Comments are closed.