କଟକ : ଜାତୀୟ ଚେତନା, ଭାଷା, ସଂସ୍କୃତିର ରକ୍ଷା ପାଇଁ ଉତ୍କଳମଣି ଗୋପବନ୍ଧୁ ଦାସ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ମାନବ ଜାତିର ଦୁଃଖ ଲାଘବ କରିବା ହିଁ ଥିଲା ତାଙ୍କ ମୂଳମନ୍ତ୍ର। ଦୁଃଖ, ଦୁର୍ଦଶା, ଦୁର୍ଦିନ ମଧ୍ୟରେ ରହି ମଧ୍ୟ ଗୋପବନ୍ଧୁଙ୍କ ହୃଦୟ ଥିଲା ଓଡ଼ିଆଙ୍କ ପାଇଁ। ଆମେ ସେଇ ମାଟିର ଦାୟାଦ। ତାଙ୍କ ଦ୍ବାରା ପ୍ରଦର୍ଶିତ ମାର୍ଗ ଅନୁଶୀଳନ କଲେ ଭବିଷ୍ୟତ ଉଜ୍ବଳ ହେବ ବୋଲି ଗୋପବନ୍ଧୁ ଭବନରେ ଆୟୋଜିତ ଜୟନ୍ତୀ ସମାରୋହରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି।
ଉତ୍କଳମଣିଙ୍କ ୧୪୬ତମ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମେୟର ସୁବାସ ସିଂହ କହିଲେ, ଆଜିର ପିଲାମାନେ ଅନେକ ସମୟରେ ମାନସିକ ଦୁଶ୍ଚିନ୍ତା ମଧ୍ୟରେ ରହୁଛନ୍ତି। ଏପରିକି ଅନେକ ସମୟରେ ଆତ୍ମହତ୍ୟା ଭଳି ଚରମ ପନ୍ଥା ଆପଣାଉଛନ୍ତି; ଯାହା ନିଶ୍ଚିତ ଭାବେ ଚିନ୍ତାଜନକ ବିଷୟ। ମାତ୍ର ଯୁବପିଢି ମନେ ରଖିବା ଉଚିତ୍ ଏ ମାଟି ଉତ୍କଳମଣି, ନେତାଜୀ ଓ ମଧୁବାବୁଙ୍କ ମାଟି। ଏ ଜାତି ପାଇଁ ସେମାନଙ୍କ ତ୍ୟାଗ, ଉତ୍ସର୍ଗୀକୃତ ସେବା ଓ ବଳିଦାନ ଅବିସ୍ମରଣୀୟ। ଏ ମାଟିର ଇତିହାସ ବହୁ ଶକ୍ତ। ଯୁବପିଢି ସେମାନଙ୍କ ପୂର୍ବଜ ତଥା ମହାପୁରୁଷମାନଙ୍କ ନୀତି ଓ ଆଦର୍ଶକୁ ଆପଣେଇବାର ସମୟ। ପ୍ରତ୍ୟେକ ଘାତ ପ୍ରତିଘାତ ସହ ଲଢି ନିଜର ଆତ୍ମବିଶ୍ବାସ ବଢାଇବା ଆବଶ୍ୟକ ବୋଲି ସେ କହିଥିଲେ। କଟକ ପରି ଜିଲାରେ ଶିଶୁ କନ୍ୟା ଜନ୍ମ ହାର ହ୍ରାସ ପାଉଥିବାରୁ ସେ ଚିନ୍ତା ପ୍ରକଟ କରିବା ସହ ଏଥିପ୍ରତି ସମସ୍ତେ ସଜାଗ ହେବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ।
ମୁଖ୍ୟ ବକ୍ତାଭାବେ ଡ. ମୃତ୍ୟୁଞ୍ଜୟ ରଥ କହିଲେ, ଉତ୍କଳମଣି ଏ ଜାତିକୁ ନୂତନ ପରିଚୟ ପ୍ରଦାନ କରିଥିଲେ। ତାଙ୍କ ଦ୍ବାରା ପ୍ରଦର୍ଶିତ ମାର୍ଗ ଅନୁସରଣୀୟ। ଗୋପବନ୍ଧୁଙ୍କ ପରି ମହାତ୍ମାମାନଙ୍କ ଜୀବନକୁ ଅନୁଶୀଳନ କରିବାର ଅର୍ଥ ସୁନ୍ଦର ବିଶ୍ବ ଗଠନରେ ଭାଗୀଦାର
ହୋଇପାରିବା। ଉତ୍କଳମଣିଙ୍କୁ ଏ ମାଟି ଚିରକାଳ ମନେ ରଖିବ। ଏ ଜାତି ପାଇଁ ସେ ପ୍ରାତଃ ସ୍ମରଣୀୟ ବୋଲି ସେ ମତବ୍ୟକ୍ତ କରିଥିଲେ। ଲୋକସେବକ ମଣ୍ଡଳର ରଷ୍ଟ୍ରୀୟ ସଭାପତି ରାଜକୁମାର ଅଧ୍ୟକ୍ଷତା କରି କହିଲେ, ସ୍ବତନ୍ତ୍ରତା ଆନ୍ଦୋଳନରେ ଗୋପବନ୍ଧୁଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା। ସ୍ବାଧୀନତା ପୂର୍ବରୁ ଓ ପରେ ତାଙ୍କ ପ୍ରତିଷ୍ଠିତ ‘ସମାଜ’ ଓଡ଼ିଶାବାସୀଙ୍କ ମାର୍ଗଦର୍ଶକ ପାଲଟିଛି। ଗୋପବନ୍ଧୁଙ୍କ ପରି ଶକ୍ତି ଓ ଉତ୍ସାହ ନିଜ ଭିତରେ ସୃଷ୍ଟି କରିବା ସହ ତାଙ୍କ ମାର୍ଗଦର୍ଶନରେ ଚାଲିବା ଦରକାର ବୋଲି ସେ କହିଥିଲେ। ଏଥିସହ ଉତ୍କଳମଣିଙ୍କ ଜୟନ୍ତୀକୁ ଧୁମ୍ଧାମ୍ରେ ପାଳନ କରାଯିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ।

ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ଉତ୍କଳମଣିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ସେବା, ଶିକ୍ଷା ଓ ସାମ୍ବାଦିକତା କ୍ଷେତ୍ରରେ ସେ ଥିଲେ ମାଇଲଖୁଣ୍ଟ। ତାଙ୍କ ଦ୍ବାରା ପ୍ରତିଷ୍ଠିତ ‘ସମାଜ’ ଓଡ଼ିଶାବାସୀଙ୍କର । ଯାହା ଲୋକଙ୍କ ବିଶ୍ବାସ ପାଲଟି ପାରିଛି। ତାଙ୍କ ନୀତି, ଆଦର୍ଶ ଓ ସିଦ୍ଧାନ୍ତକୁ ପ୍ରତ୍ୟେକ ବ୍ୟକ୍ତି ଆପଣେଇବା ଉଚିତ୍। ‘ସମାଜ’ର ସମ୍ପାଦକ ଡ. ପ୍ରମୋଦ କୁମାର ମହାପାତ୍ର ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିବା ଅବସରରେ ଗରିବ ଓ ଅସହାୟ ଓଡ଼ିଶାବାସୀଙ୍କ ସେବା କରିବା ଗୋପବନ୍ଧୁଙ୍କ ଏକମାତ୍ର ଲକ୍ଷ୍ୟ ଥିଲା ବୋଲି ମତପ୍ରକାଶ କରିଥିଲେ। ‘ସମାଜ’ର ମହାପ୍ରବନ୍ଧକ ଶିବରାମ ମିଶ୍ର ଧନ୍ୟବାଦ ପ୍ରଦାନ କରିବା ସହ ଉତ୍କଳମଣିଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସହରର ବହୁ ମୁରବି, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ, ‘ସମାଜ’ର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।



