ଆର୍‌ଏସ୍‌ପିରେ ଗ୍ୟାସ ଲିକ୍‌ ଘଟଣା: ତଦନ୍ତ କରିବେ ଶ୍ରମ ବିଭାଗ ପ୍ରମୁଖ ସଚିବ

ରାଉରକେଲା : ରାଉରକେଲା ଇସ୍ପାତ କାରଖାନା ୫ ନମ୍ବର ବ୍ଲାଷ୍ଟ ଫର୍ଣ୍ଣେସରେ ସୋମବାର ସକାଳ ପ୍ରାୟ ୧୦ଟା୩୦ରେ ମରାମତି କାର୍ଯ୍ୟ ଚାଲିଥିବାବେଳେ ରାସାୟନିକ ଗ୍ୟାସ ଲିକ୍‌ ହୋଇ ୮ଜଣ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ଇସ୍ପାତ ଜେନେରାଲ ହସ୍ପିଟାଲ(ଆଇଜିଏଚ)ରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ୩ଜଣ ଆରଏସପି କର୍ମଚାରୀ ଥିବାବେଳେ ଅନ୍ୟ ୫ଜଣ କାରଖାନାରେ ଏକ ଠିକା ସଂସ୍ଥା ଅଧୀନରେ କାର୍ଯ୍ୟ କରୁଥିଲେ। ଏହି କର୍ମଚାରୀଙ୍କ ମଧ୍ୟରେ ସିନିୟର ମ୍ୟାନେଜର ଜୟରାମ ବାରିକ ରହିଛନ୍ତି। ଅନ୍ୟ ୨କର୍ମଚାରୀ ହେଲେ ଦୁଃଖିଶ୍ୟାମ ଦାଶ ଏବଂ ସିନିୟର ଅପରେଟର ପ୍ରଦୀପ କୁମାର ସାହୁ। ସେହିପରି ଗୌଡ ଠିକାସଂସ୍ଥା ଅଧୀନରେ କାର୍ଯ୍ୟ କରୁଥିବା ଆହତ କର୍ମଚାରୀ ହେଲେ ଲକ୍ଷ୍ମୀ ସିଂ, ଟିପିଏଲ ଠିକା ସଂସ୍ଥା ଅଧୀନରେ କାର୍ଯ୍ୟକରୁଥିବା ଆହତ ଠିକା ଶ୍ରମିକ ହେଲେ ଟିମ୍ବର କଲୋନୀର ରାଜୁ ମାଇତି, କୋଏଲନଗରର ପ୍ରଦୀପ କୁମାର କୁଜୁର, ସେକ୍ଟର-୪ର ସଞ୍ଜୟ ଛତ୍ରୀ, ସେକ୍ଟର-୧୩ର ଶାନ୍ତନୁ ନାୟକ ଏବଂ ପାନ୍ନୋ ସୋରେନ। ଏମାନଙ୍କ ମଧ୍ୟରେ ଥିବା ମହିଳା ଠିକା କର୍ମଚାରୀ ପାନ୍ନା ଓରାମଙ୍କୁ ପ୍ଲାଣ୍ଟ ପରିସରରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଚିକିତ୍ସା କରାଯାଇଥିବାବେଳେ ଅନ୍ୟ ଗୁରୁତର ୮ଜଣଙ୍କୁ ଆଇଜିଏଚର ଆଇସିୟୁରେ ଚିକିତ୍ସା କରାଯାଉଛି। ଆରଏସପି ଭାରପ୍ରାପ୍ତ ନିର୍ଦେଶକ ଅତନୁ ଭୌମିକ ଆଇଜିଏଚରେ ପହଞ୍ଚି ସମସ୍ତ ଆହତଙ୍କୁ ଭେଟି ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଚିକିତ୍ସା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ନିର୍ଦେଶ ଦେଇଥିଲେ। ଦୁର୍ଘଟଣା କେଉଁ କାରଣରୁ ଘଟିଲା, ତା’ର ଅନୁଧ୍ୟାନ ପାଇଁ ୩ଜଣିଆ ବରିଷ୍ଠ କାର୍ଯ୍ୟନିର୍ବାହୀମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ଅନ୍ୟପକ୍ଷରେ ଏ ନେଇ ଆରଏସ୍‌ପି ପକ୍ଷରୁ ସଫେଇ ଦିଆଯାଇଛି। ଆଜି ପୂର୍ବାହ୍ଣ ୧୦ଟା ୪୦ରେ ମରାମତି ିକାର୍ଯ୍ୟ ବେଳେ ଉପସ୍ଥିତ ୯ଜଣ ଅସୁସ୍ଥ ଅନୁଭବ କରିଥିଲେ। ତୁରନ୍ତ ସେମାନଙ୍କ ମଧ୍ୟରୁ ୮ଜଣଙ୍କୁ ଆଇଜିଏଚ ସ୍ଥାନାନ୍ତର କରାଯାଇଥିଲା। ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିଲେ ମଧ୍ୟ କେବଳ ନିରୀକ୍ଷଣ ପାଇଁ ସେମାନଙ୍କୁ ରଖାଯାଇଛି। ୮ଜଣଙ୍କ ମଧ୍ୟରୁ ତିନିଜଣ ଆରଏସ୍‌ପି କର୍ମଚାରୀ ହୋଇଥିବାବେଳେ ୫ଜଣ ଠିକା ସଂସ୍ଥା ଅଧୀନରେ କାର୍ଯ୍ୟ କରୁଥିଲେ। ଜଣେ ମହିଳା ଠିକା କର୍ମଚାରୀ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଚିକିତ୍ସା ପ୍ରଦାନ କରାଯିବା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଆରଏସ୍‌ପି ଦର୍ଶାଇଛି। ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ।  ପ୍ଲାଣ୍ଟ କାର୍ଯ୍ୟ ସୁରୁଖୁରୁରେ ଚାଲିଥିଲେ ହେଁ ଦୁର୍ଘଟଣାକୁ ଗୁରୁତର ସହ ନିଆଯାଇ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆରଏସ୍‌ପି ପକ୍ଷରୁ କୁହାଯାଇଛି।
ଏହି ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ଶ୍ରମମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ। ଶ୍ରମ ବିଭାଗର ପ୍ରମୁଖ ଶାସନ ସଚିବ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ନିର୍ଦେଶ ଦେଇଛନ୍ତି। ରିପୋର୍ଟ ଆସିବା ପରେ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଷ୍ଟିଲ ପ୍ଲାଣ୍ଟର ୫ନମ୍ବର ବ୍ଲାଷ୍ଟ ଫର୍ଣ୍ଣେସରେ ସୋମବାର ପୂର୍ବାହ୍ଣରେ ହଠାତ ଗ୍ୟାସ ନିର୍ଗତ ହେବାରୁ ୯ଜଣ ଶ୍ରମିକ ଗୁରୁତର ହୋଇପଡିଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଷ୍ଟିଲ ପ୍ଲାଣ୍ଟ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

Comments are closed.