ସମ୍ବଲପୁର : ଦେଶର ବିଭିନ୍ନ ସ୍ଥାନକୁ ସମ୍ବଲପୁର ଦେଇ ଗମନାଗମନର ସୁବିଧା ରହିଥିବାରୁ ବେଆଇନ ଭାବରେ ଅବୈଧ ଗଞ୍ଜେଇ ଚାଲାଣ ହେଉଛି। ଏଣୁ ଅବକାରୀ ବିଭାଗ ପକ୍ଷରୁ ନିୟମିତ ଚେକିଂ କରାଯାଇ ଅନେକ ଗଞ୍ଜେଇ ଚାଲାଣକାରୀ ଓ ଗାଡି ଗୁଡିକୁ ଧରି ଗଞ୍ଜେଇ ଜବତ କରାଯାଉଥିବା ବେଳେ ଅବକାରୀ ବିଭାଗକୁ ବିପୁଳ ସଫଳତା ମିଳିଛି। ସମ୍ବଲପୁର ଜିଲା ଅବକାରୀ ଅଧିକ୍ଷକ ଅଶୋକ କୁମାର ସେଟଙ୍କୁ ମିଳିଥିବା ଖବର ଅନୁଯାୟୀ, ସମ୍ବଲପୁର ଅବକାରୀ ଦଳର ମୋବାଇଲ ୟୁନିଟ ଇନିସପେକ୍ଟର ଶଶିକାନ୍ତ ଦତ୍ତଙ୍କ ନେତୃତ୍ୱରେ ସମ୍ବଲପୁରରୁ ଧମା ଜାତୀୟ ରାଜପଥ ସଂଖ୍ୟା ୧୫ ରାସ୍ତା ମଧ୍ୟରେ ଚେକିଂ କରୁଥିବା ବେଳେ ସ୍ଥାନୀୟ ଗୁଣ୍ଡେରପୁର ଛକ ନିକଟରେ ଏକ ସନ୍ଦିଗ୍ଧ କାରକୁ ଅଟକାଇ ଥିଲେ। ସାଧାରଣତଃ ଡାକ୍ତର ମାନେ ଯେଭଳି ନିଜ ଗାଡିରେ ଷ୍ଟିକର ଲଗାଇଥାନ୍ତି ସେହିଭଳିଆ ଏକ ଷ୍ଟିକର ଉକ୍ତ ଦାମୀକିଆ କାରରେ ଲାଗିଥିବା ବେଳେ ଗଞ୍ଜେଇ ଗୁଡିକୁ ଜରି ମଧ୍ୟରେ ଶାଢ଼ୀ ରଖିବା ଭଳି ପ୍ୟାକିଂ କରାଯାଇ ବେଆଇନ ଭାବରେ ଚାଲାଣ କରୁଥିବାର ଅବକାରୀ ଦଳ ଯାଞ୍ଚ ସମୟରେ ଦେଖିଥିଲେ । ଗାଡିର ଡିକି ଓ ପଛ ସିଟର ବସିବା ତଳେ ଏହି ଗଞ୍ଜେଇ ଗୁଡିକୁ ରଖାଯାଇ ଚାଲାଣ କରାଯାଉଥିଲା।
ଅବକାରୀ ଦଳ ଏହି ଗାଡିରୁ ସମୁଦାୟ ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଥିଲେ। ଗଞ୍ଜେଇ ଚାଲାଣ କରୁଥିବା ଉତ୍ତର ପ୍ରଦେଶ ଆଗ୍ରା ନିବାସୀ ଦେବେଶ ଭରଦ୍ୱାଜ (୨୭), ପୱନ କୁମାର (୪୦) ଓ ଅଂଶୁଲ ଶର୍ମା (୨୦) ନାମକ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନେ ସେମଳିଗୁଡା ଅଞ୍ଚଳରୁ ବେଆଇନ ଭାବରେ ଗଞ୍ଜେଇ ଗୁଡିକୁ ଆଣି ଉତ୍ତର ପ୍ରଦେଶ ଦେଇ ରାଜସ୍ଥାନକୁ ଚାଲାଣ କରିବାର ଯୋଜନାରେ ରହିଥିଲେ ବୋଲି ଅବକାରୀ ଅଧିକ୍ଷକ ଶ୍ରୀ ସେଟ କହିଛନ୍ତି । ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରାଯାଇଛି।

ସେହିଭଳି ଦ୍ୱିତୀୟ ଘଟଣାରେ ରେଙ୍ଗାଲି ଅବକାରୀ ୟୁନିଟ ପକ୍ଷରୁ ରେଙ୍ଗାଲି ଛକ ଦେଇ ଚାଲାଣ ହେଉଥିବା ଏକ ଦାମୀକିଆ କାରକୁ ଧରି ୨୫ କିଗ୍ରା ଗଞ୍ଜେଇ ଜବତ କରିବା ସହିତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଯାଞ୍ଚ ସମୟରେ ଲୁକ୍କାୟିତ ଭାବରେ ଦାମୀକିଆ ବିଳାସପୂର୍ଣ୍ଣ କାର ମଧ୍ୟରେ ଗଞ୍ଜେଇ ରଖାଯାଇଥିଲା। ଝାଡ଼ଖଣ୍ଡ ରାଞ୍ଚି ଜିଲାର ମନୋଜ କୁମାର ଅଗ୍ରୱାଲ (୪୯), ତାଙ୍କର ୩ ପୁତ୍ର ରୋହିତ ଅଗ୍ରୱାଲ (୨୨), ରିତିକ ଅଗ୍ରୱାଲ (୨୦) ଓ ଅମନ ଅଗ୍ରୱାଲ (୧୮) ଙ୍କୁ ଗିରଫ କରିଛି । ଏକ ମାମଲା ରୁଜୁ କରି ବାପ ଓ ପୁଅ ମାନଙ୍କୁ ଗିରଫ କରାଯାଇ ଅଦାଲତକୁ ଚାଲାଣ କରାଯାଇଛି । ଅନ୍ୟ ପଟେ ତୃତୀୟ ଘଟଣାରେ ସମ୍ବଲପୁର ୟୁନିଟ ନଂ ୧ ପକ୍ଷରୁ ୨୯ କିଗ୍ରା ଗଞ୍ଜେଇ ଓ ଏକ ଦାମୀକିଆ କାର ଜବତ କରାଯାଇ ୨ ଜଣଙ୍କୁ ଗିରଫ କରାଯାଇଛି । ଚତୁର୍ଥ ଘଟଣାରେ ସଦର ରେଞ୍ଜ ୨ ପକ୍ଷରୁ ଚେକିଂ ସମୟରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ୨୧ କିଗ୍ରା ଗଞ୍ଜେଇ ସହିତ ଏକ ଦାମୀକିଆ କାର ଜବତ କରାଯାଇଛି।



