ପୁରୀ : ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବଙ୍କ ପୂଷ୍ୟାଭିଷେକ ପୌଷପୂର୍ଣ୍ଣିମା ତିଥିରେ ଗୁରୁବାର ଅନୁଷ୍ଠିତ ହୋଇଛି। ସକାଳେ ଗଜପତିଙ୍କୁ ଦେବାର୍ଚ୍ଚନ ଓ ପଇତାଲାଗି କରାଯାଇଥିଲା। ମୁଦିରସ୍ତ ନାରାୟଣ ଶାଢୀ ବନ୍ଧାଇଥିଲେ। ସନ୍ଧ୍ୟାରେ ଶ୍ରୀନଅରରେ ପୂଷ୍ୟାଭିଷେକ ପାଳିତ ହୋଇଛି। ରାମାଭିଷେକ ପଟ୍ଟି, ଶ୍ରୀଜଗନ୍ନାଥ ପଟ୍ଟି, ପଞ୍ଚଦେବତା, ବର୍ଦ୍ଧନୀ କଳସ ଏବଂ ବରୁଣପୂଜା କରାଯାଇଥିଲା। ଗଜପତି ମହାରାଜା ଏବଂ ମହାରାଣୀ ବିଜେ କରିଥିଲେ। ସେମାନଙ୍କୁ ମଙ୍ଗଳାର୍ପଣ ପରେ ଅଭିମନ୍ତ୍ରିତ ଜଳରେ ମହାରାଜା ଏବଂ ମହାରାଣୀଙ୍କୁ ଅଭିଷେକ କରାଯାଇଥିଲା। ସେମାନେ ଗାଦିସୀନ ହୋଇଥିଲେ। ରାଜଗୁରୁଙ୍କ ପତ୍ନୀ ବନ୍ଦାପନା କରିଥିଲେ। ଷୋଳଶାସନ ବ୍ରାହ୍ମଣ ପଇତା ଏବଂ ଶ୍ରୀଫଳ ପ୍ରଦାନ କରିଥିଲେ। ଗଜପତି ମହାରାଜା ସେମାନଙ୍କ ଆଶୀର୍ବାଦ ନେଇଥିଲେ। ଇଷ୍ଟଦେବୀ କନକଦୁର୍ଗାଙ୍କୁ ଗଜପତି ମହାରାଜା ଏବଂ ମହାରାଣୀ ଦର୍ଶନ କରିଥିଲେ। ଦେବୀ ପ୍ରସାଦ ରାଜଗୁରୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜିଲାପାଳ ସମର୍ଥ ବର୍ମା, ଶ୍ରୀମନ୍ଦିର ପ୍ରଶାସକ (ନୀତି) ଜୀତେନ୍ଦ୍ର କୁମାର ସାହୁ ଏବଂ କେତେକ ମଠାଧିଶ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ଗଜପତିଙ୍କ ପୂଷ୍ୟାଭିଷେକ
Popular Categories



