www.samajalive.in
Monday, December 15, 2025
16.1 C
Bhubaneswar

ଓଡ଼ିଶାରେ ବନ୍ୟା ବିତ୍ପାତ: ଦୁର୍ଗତଙ୍କୁ ସାହାଯ୍ୟ ଓ ଉଦ୍ଧାର ତ୍ବରାନ୍ବିତ କର

ଏହି ଅଗ୍ରଲେଖ ଲେଖିବାବେଳକୁ ସୋମବାର ଅପରାହ୍ଣ ସୁଦ୍ଧା ରାଜ୍ୟର ପ୍ରମୁଖ ନଦୀଗୁଡ଼ିକର ବନ୍ୟାଜଳ ଉପର ଓ ମଧ୍ୟ ଅବବାହିକାରେ କମିବାରେ ଲାଗିଛି। ଏହା ସତ୍ତ୍ବେ ମହାନଦୀର ତ୍ରିକୋଣ ଭୂମି ଓ ତତ୍‌ସଂଲଗ୍ନ ନିମ୍ନ ଅବବାହିକାରେ ପାଣି ବଢ଼ୁଛି ଏବଂ କ୍ଷୟକ୍ଷତି ଅଧିକ ହେବା ନିଶ୍ଚିତ। ପ୍ରାୟ ଆଠନଅ ବର୍ଷ ପରେ ରାଜ୍ୟରେ ଏକ ବଡ଼ ବନ୍ୟା ବିତ୍ପାତ ସୃଷ୍ଟି ହୋଇଛି। ଏଥିରେ ପଶ୍ଚିମରୁ ପୂର୍ବ ଓ ଉତ୍ତରରୁ ଦକ୍ଷିଣ ଯାଏ ଅଧିକାଂଶ ଜିଲା କ୍ଷତିଗ୍ରସ୍ତ ହୋଇଛି। ମହାନଦୀ ପ୍ରଣାଳୀରେ ବନ୍ୟା ଆସିଲେ ଏକା ରାଜ୍ୟର ଅର୍ଦ୍ଧାଧିକ ଜିଲା ପ୍ରଭାବିତ ହୋଇଥାଏ। ଏହା ସହିତ ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ବଢ଼ି ପରିସ୍ଥିତିକୁ ଅଧିକ ଗୁରୁତର କରିଛି। ସରକାର ଏହାକୁ ଏକ ମଧ୍ୟମଧରଣର ବନ୍ୟା କହୁଥିଲେ ମଧ୍ୟ ଉଭୟ ବ୍ରାହ୍ମଣୀ ଓ ମହାନଦୀରେ ଏହା ଏକ ମହାବନ୍ୟାଠାରୁ କୌଣସି ଗୁଣରେ କମ୍‌ ନୁହେଁ, ଏହା କ୍ଷୟକ୍ଷତିରୁ ପ୍ରମାଣିତ ହୋଇଛି। ଏଯାଏ ୧୪ଲକ୍ଷ ଲୋକ ପ୍ରଭାବିତ ହୋଇଥିବାବେଳେ ୧୭ଜଣଙ୍କର ମୃତ୍ୟୁ ଘଟିଛି। ପ୍ରାୟ ତିନିଲକ୍ଷ ଲୋକ ପାଣିଘେରରେ ରହି ଦୁର୍ଦଶା ଭୋଗୁଛନ୍ତି।

ଧୋୟା ଅଞ୍ଚଳରେ ଲୋକଙ୍କ ଘରେ ବଡ଼ ବଢ଼ି ହେଲେ ପାଣି ପଶେ। ସେମାନେ ସେଥିପାଇଁ ଉଚ୍ଚ ଡିହବାନ୍ଧି ଘର କରିଥାନ୍ତି। ଏହା ସତ୍ତ୍ବେ ଘରେ ପାଣି ପଶିବାର ଅର୍ଥ ବନ୍ୟା ପ୍ରକୋପ ଅଧିକ ଥିଲା। ଏଥର ବନ୍ୟାରେ ଆଉ ଏକ ସରକାରୀ ଦୁର୍ବଳତା ପଦାରେ ପଡ଼ିଲା। ବିଭିନ୍ନ ସ୍ଥାନରେ ନଦୀବନ୍ଧ ଓ ଘେରିବନ୍ଧରେ ଯେଉଁ ସବୁ ଘାଇ ହୋଇଛି ସେସବୁ ଅଧିକାଂଶ ରକ୍ଷଣାବେକ୍ଷଣ ଓ ମରାମତିଜନିତ ତ୍ରୁଟି ପାଇଁ ହୋଇଥିବା ସ୍ପଷ୍ଟ ଜଣାପଡୁଛି। ଏପରି କି କେତେକ ସ୍ଥାନରେ ନୂଆ ତିଆରି ହୋଇଥିବା ବନ୍ଧବାଡ଼ ଓ ସେତୁ ଧୋଇଯିବାର କାରଣ ବନ୍ୟାର ଭୀଷଣତା ନା’ ବିଭାଗୀୟ ତ୍ରୁଟି ତାହା ମଧ୍ୟ ତଦନ୍ତ ସାପେକ୍ଷ। ବନ୍ଧବାଡ଼ ରକ୍ଷଣାବେକ୍ଷଣ ଓ ମରାମତିରେ ଆଜିକାଲି ଦଳୀୟ ରାଜନୀତିର ପ୍ରବେଶ ଅଧିକ। ସରକାରୀ ଚାପରେ ଠିକାଦାର ନିମ୍ନମାନର କାମ କରି ବିଲ୍‌ ମଂଜୁର କରାଇ ନିଅନ୍ତି ଏବଂ ପିସି ଏଥିରେ ବଡ଼ ଭୂମିକା ଗ୍ରହଣ କରିଥାଏ। ଆହୁରି ମଧ୍ୟ ଏଥର ଗୋଟିଏ ଦୁଇଟି ସ୍ଥାନରେ କିଛି ନେତା କାମ ପାଇବା ଆଶାରେ ଜାଣିଶୁଣି ବନ୍ଧ ଭାଙ୍ଗି ଦେଇଥିବାର ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଅମୂଳକ ନୁହେଁ; କାରଣ ବନ୍ୟା ଭଳି ଏକ ବିପତ୍ତି ଅସାଧୁ ନେତା, ମନ୍ତ୍ରୀ-ତନ୍ତ୍ରୀଙ୍କ ପାଇଁ ଏକ ତୃତୀୟ ଫସଲ।

- Advertisement -

ବନ୍ୟା ପ୍ରକୋପ ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ରହେ ଏବଂ କ୍ରମଶଃ ପାଣି ଛାଡ଼ିଯାଏ। ସେହି ସାତଆଠ ଦିନ ବିପନ୍ନଙ୍କ ଦୁର୍ଦଶା ଅକଥନୀୟ ହୋଇପଡ଼େ। ବ୍ୟକ୍ତିଗତ ସମ୍ପତ୍ତି କ୍ଷୟକ୍ଷତି ସହିତ ସେମାନଙ୍କୁ ଭିଟାମାଟି ଛାଡ଼ି ଅତ୍ୟନ୍ତ ପ୍ରତିକୂଳ ସ୍ଥିତିରେ ବଂଚିବାକୁ ହୁଏ। ଏହି ଦୁଃଖ କେବଳ ଅନୁଭବୀ ହିଁ ବୁଝିପାରିବ। ଏତିକିବେଳେ ରିଲିଫ୍‌ ସେମାନଙ୍କ ପାଇଁ ସବୁଠୁ ବଡ଼ ଆବଶ୍ୟକତା। ଏବେ ରିଲିଫର ଅସୁବିଧା ନାହିଁ; କିନ୍ତୁ ସବୁ ବିପନ୍ନଙ୍କ ପାଖରେ ପ୍ରଶାସନ ଓ ସାହାଯ୍ୟକାରୀ ଦଳ ଯୋଗାଯୋଗ ବ୍ୟବସ୍ଥା ଅଭାବରୁ ତୁରନ୍ତ ପହଞ୍ଚିବା ସମ୍ଭବ ହୁଏନାହିଁ। ଏଥିପାଇଁ ପ୍ରଶାସନକୁ ଦୋଷ ଦେବା ଠିକ୍‌ ହେବନାହିଁ। କ୍ଷୟକ୍ଷତିର ବ୍ୟାପକତା ଏବଂ ଯୋଗାଯୋଗ ବ୍ୟବସ୍ଥାର ଅଭାବ ଯୋଗୁଁ ପ୍ରଶାସନ ବା ସରକାର ସବୁଠି ତତ୍କାଳ ଉପଲବ୍ଧ ହୋଇପାରିବେ ନାହିଁ। ଏଭଳି ସ୍ଥିତିରେ ସ୍ଥାନୀୟ ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଅନ୍ୟାନ୍ୟ ଲୋକପ୍ରତିନିଧିଙ୍କ ଜରିଆରେ ତୁରନ୍ତ ପ୍ରତିକାର ବ୍ୟବସ୍ଥା କରିବା ଜରୁରୀ। ଜିଲା ପ୍ରଶାସନ ବନ୍ୟାଞ୍ଚଳରେ ଆଗୁଆ ଯେଉଁ ସବୁ ପଦକ୍ଷେପ ଗ୍ରହଣ କରୁଛନ୍ତି ସେଥିରେ ସ୍ଥାନୀୟ ଭାବେ ତତ୍କାଳ ରିଲିଫ ଯୋଗାଣର ବ୍ୟବସ୍ଥା ଅନିବାର୍ଯ୍ୟ କରିବା ଆବଶ୍ୟକ। ଏଥିରେ ସାମାନ୍ୟତମ ତ୍ରୁଟି ଗ୍ରହଣୀୟ ନୁହେଁ।

ଏବେ କରୋନା ମହାମାରୀର ସଂକ୍ରମଣ ଜାରି ରହିଛି। ବନ୍ୟା ଦୁର୍ଗତଙ୍କ ପାଇଁ ଏହା ଘାତକ ପ୍ରମାଣିତ ହୋଇପାରେ। ସେମାନେ ବର୍ଷା ପାଣି ଯୋଗୁଁ ଥଣ୍ଡାଜ୍ବରରେ ପଡ଼ିବେ ଏବଂ ଖାଦ୍ୟ ଠିକ୍‌ ଭାବେ ଖାଇବାକୁ ନ’ପାଇବାରୁ ସେମାନଙ୍କ ରୋଗ ପ୍ରତିଷେଧକ ଶକ୍ତି କମିବ। ତେଣୁ ସେମାନେ କରୋନା ସଂକ୍ରମିତ ହେବା ସହ ଝାଡ଼ା ଓ ଅନ୍ୟାନ୍ୟ ରୋଗରେ ପଡ଼ିବାର ଆଶଙ୍କା ଅଧିକ। ତେଣୁ ଯଥାଶୀଘ୍ର ସମ୍ଭବ ବନ୍ୟାଞ୍ଚଳରେ ଔଷଧପତ୍ର ଏବଂ ସ୍ବାସ୍ଥ୍ୟସେବା ଯୋଗାଣ ବ୍ୟବସ୍ଥା କରାଯିବା ଉଚିତ। ରାଜ୍ୟ ସରକାର ‘ମୋ ପରିବାର’ ଯୋଜନାରେ ବିଭିନ୍ନ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ବିଧାୟକ ଓ ଲୋକପ୍ରତିନିଧିଙ୍କ ଦାୟିତ୍ବରେ ରଖିଛନ୍ତି। ଏହା ଭଲ କଥା। ସେମାନଙ୍କ ନିଷ୍ଠା ଓ ପରିଶ୍ରମ ଦ୍ବାରା ଦୁର୍ଗତଙ୍କୁ ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇପାରିବ। ରାଜ୍ୟ ରାଜକୋଷ ଏବେ ଭୀଷଣ ଭାବେ ଚାପଗ୍ରସ୍ତ। ଏହା ସତ୍ତ୍ବେ ବନ୍ୟାପୀଡ଼ିତଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସାହାଯ୍ୟ ସହଯୋଗ ଯୋଗାଇବାକୁ ହେବ।

ରାଜ୍ୟ ଜଳସେଚନ ବିଭାଗ ଓ ସ୍ବତନ୍ତ୍ର ରିଲିଫ କମିସନର ବନ୍ୟାର ଆକଳନ ଓ କ୍ଷୟକ୍ଷତି ସମ୍ପର୍କରେ ଯେଉଁ ସୂଚନା ଆଗୁଆ ପ୍ରଦାନ କରନ୍ତି ଏବଂ କରୁଛନ୍ତି; ତାହା ପାରମ୍ପରିକ ତଥା ପୁରୁଣାକାଳିଆ। ସେମାନେ ଯେଉଁ ତଥ୍ୟ ନଦୀର ବନ୍ୟାଜଳ ଧାରଣ କ୍ଷମତା ସମ୍ପର୍କରେ ଦେଉଛନ୍ତି ତାହା ଭୁଲ୍‌ ପ୍ରମାଣିତ ହେଉଛି। ନଦୀଶଯ୍ୟା ପୋତି ହୋଇପଡ଼ିବା ସହ ବନ୍ୟାଜଳ ନିଷ୍କାସନ ପଥ ବିଭିନ୍ନ ନିର୍ମାଣ କାର୍ଯ୍ୟ ଯୋଗୁଁ ସଙ୍କୁଚିତ ହେଉଛି। ନିଷ୍କାସନ ପଥ ସଙ୍କୁଚିତ ହେବାରୁ କ୍ଷୟକ୍ଷତି ବଢ଼ୁଛି। ତେଣୁ ପୁରୁଣା ହିସାବରେ ନଦୀରେ ଯେତିକି ବନ୍ୟାଜଳ ଆସୁଛି ତାହା ତଳମୁଣ୍ଡରେ ଆଗ ଅପେକ୍ଷା ଅଧିକ କ୍ଷୟକ୍ଷତି ଘଟାଉଛି। ସେ ଦୃଷ୍ଟିରୁ ନଦୀ ଶଯ୍ୟା ଖନନ ଓ ବନ୍ୟାଜଳ ନିଷ୍କାସନ ପଥକୁ ଅବରୋଧମୁକ୍ତ କରିବା ପାଇଁ ନୂଆ ମାଷ୍ଟର ପ୍ଲାନ ତଥା ନଦୀଭିତ୍ତିକ ଯୋଜନା କାର୍ଯ୍ୟକାରୀ ହେବାର ଆବଶ୍ୟକତା ରହିଛି। ତା’ନହେଲେ ଏମିତି ଚାଲିଥିବ। ଲୋକେ ହଇରାଣ ହେଉଥିବେ ଓ ରାଜକୋଷରୁ ଅଜସ୍ର ଅର୍ଥ ଖର୍ଚ୍ଚ ଏମିତି ଚାଲିଥିବ। ବନ୍ଧବାଡ଼ର ମରାମତି, ସ୍ଥାୟିତ୍ବ ରକ୍ଷା ଏବଂ ବନ୍ୟାପାଣି ନିଷ୍କାସନ ପଥର ପରିଚାଳନା କେମିତି ଚମତ୍କାର ଭାବେ କରିହୁଏ ବାଂଲାଦେଶ ତାହା କରି ଦେଖାଇଛି। ବିଶ୍ବର ସବୁଠୁ ଅଧିକ ବନ୍ୟାପ୍ରବଣ ଏହି ଦେଶ ଏବେ ବନ୍ୟା ପରିଚାଳନାରେ ବେଶ୍‌ ସଫଳତା ହାସଲ କରିଛି। ଆମେ ତା’ଠାରୁ କିଛି ଶିଖିଲେ ଭଲ ହୁଅନ୍ତା।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories