ନୂଆଦିଲ୍ଲୀ:କେନ୍ଦ୍ର ସରକାର ୧ଡିସେମ୍ବରରୁ ଦେଶର ୫ଟି ବଡ଼ ନିୟମରେ ପରିବର୍ତ୍ତନ କରିଛନ୍ତି। ଏହି ନିୟମର ପ୍ରଭାବ ସିଧାସଳଖ ଜନସାଧାରଣଙ୍କ ଉପରେ ପଡ଼ିବ। ତେଣୁ ସେଗୁଡ଼ିକ ସମ୍ପର୍କରେ ଜାଣି ରଖିବାର ଆବଶ୍ୟକତା ରହିଛି।
୧) ଅନଲାଇନ ବ୍ୟାଙ୍କିଙ୍ଗ ସେବା ହେବ ବାଧାପ୍ରାପ୍ତ: ଯେଉଁ ଉପଭୋକ୍ତା ସେମାନଙ୍କ ମୋବାଇଲ ନମ୍ବରକୁ ବ୍ୟାଙ୍କ ଆକାଉଣ୍ଟ ସହ ସଂଯୋଗ କରି ନାହାନ୍ତି ସେମାନଙ୍କ ଅନଲାଇନ ବ୍ୟାଙ୍କିଙ୍ଗ୍ ସେବାକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ମୋବାଇଲ ନମ୍ବର ବ୍ୟାଙ୍କ ଆକାଉଣ୍ଟ ସହ ସଂଯୋଗ କରିବାର ଶେଷ ତାରିଖ ୩୦ନଭେମ୍ବର ଥିଲା। ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଦ୍ୱାରା ଏଭଳି ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ଯଦି ଆପଣ ଡିସେମ୍ବର ୧ପରଠାରୁ ଅନଲାଇନ ବ୍ୟାଙ୍କିଙ୍ଗ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ ତୁରନ୍ତ ବ୍ୟାଙ୍କ ସହ ଯୋଗାଯୋଗ କରିବା ଉଚିତ।
୨) ପେନସନଧାରୀଙ୍କ ପାଇଁ ଲାଇଫ ପ୍ରମାଣ ପତ୍ର: ଯେଉଁ ବ୍ୟକ୍ତିମାନେ ଅବସରକାଳୀନ ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା ପରି ସୁବିଧା ପାଉଛନ୍ତି ସେମାନେ ୩୦ନଭେମ୍ବର ସୁଦ୍ଧା ଲାଇଫ ସାର୍ଟିଫିକେଟ ଜମା କରିବାର ଶେଷ ତାରିଖ ଧାର୍ଯ୍ୟ କରାଯାଇ ଥିଲା। ନଚେତ ଉକ୍ତ ଖାତାକୁ ଅଚଳ କରିଦେବାକୁ ଆରବିଆଇ ପକ୍ଷରୁ ନିର୍ଦେଶ ଜାରି କରାଯାଇ ଥିଲା।
୩) ଏସବିଆଇ ବଡ଼ିରୁ କାଢ଼ି ହବନି ଟଙ୍କା: ଯେଉଁ ମୋବାଇଲ ଉପଭୋକ୍ତା ଏସବିଆଇ ବଡ଼ି ଆପ୍ ବ୍ୟବହାର କରୁଛନ୍ତି ସେମାନେ ଡିସେମ୍ବର ୧ପରଠାରୁ ଏହାକୁ ବ୍ୟବହାର କରି ପାରିବେ ନାହିଁ। ଏସବିଆଇ ବଡି ଆପ ବଦଳରେ ଏସବିଆଇ ୟୋନୋ ଆପ ଏବେ କାର୍ଯ୍ୟକ୍ଷମ ହେବ।
୪) ଋଣ ଉପରେ ଲାଗିବ ପ୍ରୋସେସିଂ ଫି: ଏସ୍ବିଆଇ ଶାଖାର ୭୬ବର୍ଷ ଆୟୁ ବର୍ଗ ମଧ୍ୟରେ ଥିବା କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ପ୍ରତିରକ୍ଷା ବିଭାଗ କର୍ମଚାରୀଙ୍କ ପେନସନ ଋଣ ଉପରେ ୧ଡିସେମ୍ବରରୁ ପ୍ରସେସିଂ ଫି ଲାଗୁ ହେବ। ଅବଶ୍ୟ ଏସବିଆଇ ଫେଷ୍ଟିଭ ଅଫର ପାଇଁ ୩୦ଡିସେମ୍ବର ପର୍ଯ୍ୟନ୍ତ ପ୍ରସେସିଂ ଫି ଛାଡ଼ କରିବାକୁ ଘୋଷଣା କରିଛି। ତେବେ ଋଣ ନେବା ପୂର୍ବରୁ ଗ୍ରାହକ ଏହି ନିୟମ ସମ୍ପର୍କରେ ବ୍ୟାଙ୍କ ଅଧିକାରୀଙ୍କୁ ପଚାରି ନେବା ଉଚିତ।
୫) ଡ୍ରୋନ ଉଡ଼ାଇବା ଆଇନ ସମ୍ମତ: ୧ଡିସେମ୍ବରରୁ ଡ୍ରୋନ ଉଡ଼ାଇବାକୁ ମାନ୍ୟତା ମିଳିଛି। ନାଗରିକ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏହି ନିୟମକୁ ୧ଡିସେମ୍ବରରୁ ଲାଗୁ କରାଯାଇଛି। ଅବଶ୍ୟ ଡ୍ରୋନର ମାଲିକ ଓ ପାଇଲଟ ଉଭୟଙ୍କୁ ଏଥି ନିମନ୍ତେ ପଞ୍ଜିକରଣ କରିବାକୁ ପଡ଼ିବ ଓ ଉଡ଼ାଣ ପୂର୍ବରୁ ଅନୁମତି ନେବାକୁ ପଡ଼ିବ। ଏଥିପାଇଁ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ଆପ ପ୍ରସ୍ତୁତ କରାଯାଇଛି।
୧ଡିସେମ୍ବରରୁ ବଦଳିଗଲା ଦେଶର ୫ ନିୟମ
Popular Categories



