ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଏନ୍.ଡି.ଏ. ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ୧୦୦ ଦିନରେ ଦେଶ ବିକାଶ, ବିଶ୍ୱାସ ଓ ବୃହତ୍ ପରିବର୍ତ୍ତନ ଦେଖିଛି। ଏହି ସମୟ ମଧ୍ୟରେ ସରକାର ବ୍ୟାଙ୍କିଙ୍ଗ୍ କ୍ଷେତ୍ର ଏବଂ ଜାତୀୟ ସୁରକ୍ଷା ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ହରିୟାଣାର ରୋହତକ୍ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ ଜନ ଆଶୀର୍ବାଦ ଯାତ୍ରା ପରିପ୍ରେକ୍ଷୀରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ମୋଦୀ କହିଛନ୍ତି, ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହା ଜନସାଧାରଣଙ୍କ ସହଯୋଗଦ୍ୱାରା ସମ୍ଭବପର ହୋଇପାରିବ ବୋଲି ସେ କହିଛନ୍ତି।
ସେ କହିଛନ୍ତି, ସଂସଦର ଚଳିତ ଅଧିବେଶନରେ ବହୁ କାର୍ଯ୍ୟ ସମ୍ପାଦନ ହୋଇଛି, ଯାହାକି ବିଗତ ୬୦ ବର୍ଷ ମଧ୍ୟରେ ହୋଇ ନ ଥିଲା। ଚନ୍ଦ୍ରଯାନ-୨ ସମ୍ପର୍କରେ ସେ କହିଛନ୍ତି, ସମଗ୍ର ଦେଶବାସୀଙ୍କ ଇସ୍ରୋ ପ୍ରତି ସମାନ ମନୋଭାବ ରହିଛି। ଦେଶବାସୀଙ୍କ ମନୋଭାବରେ ପରିବର୍ତ୍ତନ ଏକ ବଡ଼ ପୁଞ୍ଜି ବୋଲି ସେ କହିଛନ୍ତି। ପରିବେଶ ସହଯୋଗୀ ର୍ୟାଲି ସମ୍ପର୍କରେ ସେ କହିଛନ୍ତି, ଏହି ର୍ୟାଲିରେ କୌଣସି ପ୍ଲାଷ୍ଟିକ୍ ସାମଗ୍ରୀ ବ୍ୟବହାର କରାଯାଇ ନ ଥିଲା। ଦଳୀୟ ପତାକା କପଡ଼ାରେ ତିଆରି ହୋଇଥିବାବେଳେ ଜଳ ଦେବାପାଇଁ ମାଟି ପାତ୍ରର ବ୍ୟବହର କରାଯାଇଥିଲା। ପ୍ରଧାନମନ୍ତ୍ରୀ ହରିୟାଣାର ରୋହ୍ତକ୍ଠାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ରୋହ୍ତକ୍ଠାରେ ବିଭିନ୍ନ ସଙ୍କଳ୍ପ ର୍ୟାଲିରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ହରିୟାଣା ସରକାର ବାଳିକା ଶିକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରିଥିବାରୁ ସନ୍ତୋଷ ପ୍ରକାଶ କରିଛନ୍ତି। ହରିଆଣାରେ ବେଟି ବଚାଓ, ବେଟି ପଢ଼ାଓ ଅଭିଯାନ ଫଳପ୍ରଦ ହୋଇଥିବା କହିଥିଲେ। ସେ କହିଛନ୍ତି, କେନ୍ଦ୍ର ସରକାରଙ୍କ ସହଯୋଗରେ ହରିୟାଣାରେ ୨୫ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି।



