ବାଲେଶ୍ବର: ଶେରଗଡ଼ରେ ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଅପରାହ୍ନ ୨ଟା ୪୫ରେ ଏହି ଗୁଳିମାଡ ହୋଇଥିଲା। ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ଶେରଗଡ଼ ଛକରେ ଦୋକାନ କରିଥିବା ବାସୁଦେବ ରାଉତଙ୍କୁ ପ୍ରଥମେ କିଛି ସଉଦା ମାଗିଥିଲେ। ବାସୁଦେବ ସେମାନଙ୍କୁ ସଉଦା ଦେବା ସମୟରେ ଦୁର୍ବୃତ୍ତମାନେ ପ୍ରଥମେ ତାଙ୍କ ଗଳାରୁ ସୁନା ଚେନ ଛିଡ଼ାଇ ନେଇ ପଳାଇବାକୁ ଉଦ୍ୟମ କରିଥିଲେ। ଏହା ଦେଖି ବାସୁଦେବ ସେମାନଙ୍କୁ ଧରିବାକୁ ପଛରେ ଗୋଡାଇ ଯାଇଥିଲେ। ପରେ ଦୁର୍ବୃତ୍ତମାନେ ୫ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲେ। ସେଥି ମଧ୍ୟରୁ ଗୋଟିଏ ଗୁଳି ବାସୁଦେବଙ୍କ ହାତରେ ବାଜିଥିଲା। ଘଟଣାସ୍ଥଳରେ ଡିଏସପି ମନୋଜ ରାଉତ, ଖନ୍ତାପଡା ଥାନା ଅଧିକାରୀ ଶ୍ରୀବଲ୍ଲଭ ସାହୁଙ୍କ ସମେତ ଅନ୍ୟାନ୍ୟ ପୁଲିସ ଅଧିକାରୀ ପହଞ୍ଚି ତନାଘନା ଚଳାଇଛନ୍ତି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଶେରଗଡ଼ ଟୋଲ ଗେଟରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରୁଛି।
ସୂଚନାଯୋଗ୍ୟ, ଶେରଗଡ଼ରେ ଗୁଳିମାଡ ହେବାର ମାତ୍ର ୨୦ ମିନିଟ୍ ପୂର୍ବରୁ ନୀଳଗିରି ବଜାରରେ ଲୁଟ୍ପାଟ ହୋଇଥିବା ସୂଚନା ମିଳିଛି। ଆଡ଼ିଆଖୁଣ୍ଟା ଗ୍ରାମର ସଙ୍କୁରୁ ସିଂ ନାମକ ଜଣେ ବ୍ୟକ୍ତି ଦୁର୍ଗାପୂଜାରେ ଗାଡି କିଣିବା ପାଇଁ ୟୁକୋ ବ୍ୟାଙ୍କରୁ ଟଙ୍କା ଉଠାଇ ଏକ ଦୋକାନରେ ଜଳଖିଆ ଖାଇ ହାତ ଧୋଉଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ଟଙ୍କା ବ୍ୟଗ୍କୁ ଲୁଟି ନେଇ ଏକ ବାଇକରେ ଫେରାର ହୋଇଯାଇଥିଲେ। ସେହି ବ୍ୟାଗରେ ୯୮, ୮୫୦ ଟଙ୍କା ଥିଲା ବୋଲି ସଙ୍କୁରୁ ସିଂ ଥାନାରେ ଅଭିଯୋଗ ହୋଇଛି।



