ନୂଆଦିଲ୍ଲୀ: ଏଫ୍ଆଇଏଚ୍ ମହିଳା ପ୍ରୋ-ଲିଗ୍ ହକି-୨୦୨୨ ଭାରତ ଗସ୍ତରୁ ନେଦରଲାଣ୍ଡସ ମହିଳା ଦଳ ଦଳ ଓହରି ଯାଇଛି।ଫଳରେ ଚଳିତ ଫେବୃଆରୀ ୧୯ ଓ ୨୦ରେ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବାକୁ ଥିବା ଭାରତ ଓ ନେଦରଲାଣ୍ଡ୍ସ ମ୍ୟାଚକୁ ସ୍ଥଗିତ କରିଦିଆଯାଇଛି। ଭାରତରେ କରୋନାର ୩ୟ ଲହରକୁ ଦୃଷ୍ଟିରେ ରଖି ରୟାଲ ଡଚ୍ ହକି ଆସୋସିଏସନ ସ୍ବାସ୍ଥ୍ୟ କମିଟି ଓ ଏନ୍ଓସି ସଦସ୍ୟ ଭାରତ ଗସ୍ତକୁ ବାତିଲ କରି ଦେଇଛନ୍ତି। ଫଳରେ ଭାରତ ଓ ନେଦରଲାଣ୍ଡ୍ସ ମଧ୍ୟରେ ଖେଳାଯିବାକୁ ଥିବା ୨ଟି ମ୍ୟାଚ ଅନିଶ୍ଚିତ। ଉକ୍ତ ଦୁଇ ମ୍ୟାଚକୁ ଅନ୍ୟ ତାରିଖରେ ଆୟୋଜନ କରିବାକୁ ନେଦରଲାଣ୍ଡ୍ସ ହକି ମହାସଂଘ ଏଫ୍ଆଇଏଚ୍କୁ ଅନୁରୋଧ କରିଛି।
ନେଦରଲାଣ୍ଡସ୍ ହକି ସଂଘର ଏଭଳି ନିଷ୍ପତ୍ତିକୁ ନେଇ ହକି ଇଣ୍ଡିଆ ସଭାପତି ଜ୍ଞାନେନ୍ଦ୍ର ନିଗୋମ୍ବାମ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗତବର୍ଷ ଜୁନିୟର ପୁରୁଷ ହକି ବିଶ୍ବକପକୁ ହକି ଇଣ୍ଡିଆ ସଫଳତାର ସହିତ ଭୁବନେଶ୍ବରରେ ଆୟୋଜନ କରିଥିଲା। ଏଫ୍ଆଇଏଚ୍ ନିୟମ ଅନୁଯାୟୀ ଖେଳାଳିଙ୍କ ଲାଗି ଜୈବ ପରିବେଶ ବଳୟ ସୃଷ୍ଟି କରା ଯାଇଥିଲା। ମ୍ୟାଚକୁ କରୋନା ମୁକ୍ତ କରିବା ନେଇ ମଧ୍ୟ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି। ଭାରତରେ କରୋନା ୩ୟ ଲହର ହ୍ରାସ ପାଇଛି ବୋଲି ଜ୍ଞାନେନ୍ଦ୍ର କହିଛନ୍ତି।



