www.samajalive.in
Monday, December 8, 2025
13.1 C
Bhubaneswar

ଓଡ଼ିଶାକୁ ଛାଡ଼ି ସବୁ କେନ୍ଦ୍ରରେ ସାନିଟାଇଜର ପ୍ରସ୍ତୁତ କରୁଛି ଏଫଏଫଡିସି, କର୍ତ୍ତୃପକ୍ଷଙ୍କ ନଜର ପଡ଼ୁନି

ଭୁବନେଶ୍ଵର(ମହେଶ ଶର୍ମା): କରୋନା ଭୂତାଣୁ ସହିତ ଲଢ଼ିବା ପାଇଁ ମାସ୍କ, ହ୍ୟାଣ୍ଡୱାଶ ଏବଂ ସାନିଟାଇଜର ଗୋଟିଏ ଗୋଟିଏ ବଡ଼ ଅସ୍ତ୍ର। ଓଡ଼ିଶାରେ କିନ୍ତୁ ସାନିଟାଇଜର ମିଳୁନାହିଁ। ଯେଉଁଠି ମିଳୁଛି ତାହା ଚଢ଼ା ଦରରେ ବିକ୍ରି ହେଉଛି। ଏପରି କି ଚାହିଦାର ଫାଇଦା ଉଠାଇ ଅସାଧୁ ବ୍ୟବସାୟୀମାନେ ନକଲି ସାନିଟାଇଜର ପ୍ରସ୍ତୁତ କରି ଲୋକଙ୍କୁ ଠକୁଛନ୍ତି। ଏଭଳି ସ୍ଥିତିରେ ଶସ୍ତା ଏବଂ ଉଚ୍ଚମାନର ସାନିଟାଇଜର ପ୍ରସ୍ତୁତ କରି ଲୋକଙ୍କ ନିକଟରେ ପହଞ୍ଚାଉଥିବା ସୁକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ(ଏମଏସଏମଇ) ମନ୍ତ୍ରଣାଳୟ ଅଧୀନରେ ପରିଚାଳିତ ଏଫଏଫଡିସିର ଓଡ଼ିଶା ଶାଖା ନିଷ୍କ୍ରିୟ ଅବସ୍ଥାରେ ପଡ଼ିରହିଛି। ଏଫଏଫଡିସିର କାନପୁର ଶାଖା ତାହାର କାର୍ଯ୍ୟ ସୂଚାରୁରୂପେ କରୁଥିବାବେଳେ ଓଡ଼ିଶାର ବ୍ରହ୍ମପୁରରେ ଥିବା ଶାଖା ଯଦି ସାନିଟାଇଜର ପ୍ରସ୍ତୁତ କାର୍ଯ୍ୟ ଜାରି ରଖିଥାନ୍ତା, ତେବେ ଓଡ଼ିଶାର ଲୋକଙ୍କ ପାଇଁ ଉଚ୍ଚମାନର ସାନିଟାଇଜର ଉପଲବ୍ଧ ହୋଇପାରନ୍ତା। ଏହି ସାନିଟାଇଜର ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ)ର ମାନଦଣ୍ଡ ଅନୁସାରେ ତିଆରି ହେଉଛି। ବାଲେଶ୍ଵରରୁ ନିର୍ବାଚିତ ସାଂସଦ ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ରୀୟ ଏମଏସଏମଇ ରାଷ୍ଟ୍ର ମନ୍ତ୍ରୀ ଥିବାବେଳେ ତାଙ୍କ ରାଜ୍ୟରେ ମନ୍ତ୍ରଣାଳୟର ଏକ ପ୍ରମୁଖ ଶାଖା ଅଚଳ ଅବସ୍ଥାରେ ପଡ଼ିଥିବାରୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି।

ଏଫଏଫଡିସି(ସୁଗନ୍ଧ ଓ ମହକ ବିକାଶ କେନ୍ଦ୍ର)ର ଓଡ଼ିଶାର ଗଞ୍ଜାମ ଜିଲା ଅନ୍ତର୍ଗତ ବ୍ରହ୍ମପୁରସ୍ଥିତ ଶାଖା(ବିସ୍ତାର କେନ୍ଦ୍ର) କ​‌ରୋନା ଭୂତାଣୁ ପ୍ରକୋପ ଯୋଗୁ ବନ୍ଦ ରହିଛି। ମନ୍ତ୍ରଣାଳୟର ଏହି ବିଭାଗ ଚାହିଁଲେ କାନପୁର କେନ୍ଦ୍ର ଭଳି ଓଡ଼ିଶାସ୍ଥିତ କେନ୍ଦ୍ରରେ ବି ସାନିଟାଇଜର ପ୍ରସ୍ତୁତ କରି ଶସ୍ତାରେ ଲୋକମାନଙ୍କୁ ଯୋଗାଇପାରିବ। କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇ ନାହିଁ। ଉତ୍ତରପ୍ରଦେଶର କନୌଜଠାରେ ଥିବା ଏଫଏଫଡିସିର ମୁଖ୍ୟାଳୟ ଚାହିଁଲେ କରୋନା ମହାମାରୀ ସମୟରେ ଓଡ଼ିଶାକୁ ବି ଶସ୍ତା ଏବଂ ଉଚ୍ଚମାନର ସାନିଟାଇଜର ବ୍ରହ୍ମପୁରସ୍ଥିତ ଏଫଏଫଡିସିରେ ପ୍ରସ୍ତୁତ କରି ଦେଇପାରିବ। ମାତ୍ର ଏଫଏଫଡିସି ନିର୍ଦେଶକଙ୍କ ଦୃଷ୍ଟି ବୋଧହୁଏ ଏଯାଏ ତାହା ଉପରେ ପଡ଼ିନାହିଁ। ବର୍ତ୍ତମାନ ସୁଦ୍ଧା ପୂରା ଦେଶରେ ଓଡ଼ିଶା ହିଁ କରୋନା ବିରୋଧରେ ସଫଳତାର ସହିତ ଲଢ଼େଇ ଜାରି ରଖିଛି। ଅନ୍ୟପଟେ ବିଭାଗୀୟ କର୍ମଚାରୀ ବ୍ରହ୍ମପୁରସ୍ଥିତ ଏଫଏଫଡିସିକୁ କଳାପାଣି ସହିତ ତୁଳନା କରିଦେଉଛନ୍ତି। ଏପରି କି କାହାକୁ ଲମ୍ବା ସମୟ ପର୍ଯ୍ୟନ୍ତ କ୍ବାରେଣ୍ଟାଇନରେ ପଠାଇବାର ଅଛି ତ ବ୍ରହ୍ମପୁରରେ ପୋଷ୍ଟିଂ କରିଦିଅ ବୋଲି କହିବାକୁ ପଛାଉ ନାହାନ୍ତି। ବ୍ରହ୍ମପୁରରେ ଥିବା ଏହି କେନ୍ଦ୍ର ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଭଳି ମନେ ହେଉଛି।

- Advertisement -

କରୋନା ଭୂତାଣୁର ପ୍ରକୋପ ଯୋଗୁ ଏବେ ଘରେ ଘରେ ସାନିଟାଇଜର ବ୍ୟବହାର କରାଯାଉଛି। ଏଭଳି ସ୍ଥିତିରେ ମନ୍ତ୍ରଣାଳୟର ଏଫଏଫଡିସି ସାନିଟାଇଜର ପ୍ରସ୍ତୁତ କରିବାରେ ଲାଗିରହିଛି। ଏହି କାର୍ଯ୍ୟ କନୌଜ ଏବଂ କାନପୁରରେ ଭଲ ଭାବରେ କରାଯାଉଛି। କେନ୍ଦ୍ରୀୟ ସୁକ୍ଷ୍ମ, ଲଘୁ ଏବଂ ମଧ୍ୟ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନରେ ପରିଚାଳିତ ଏଫଏଫଡିସିର ନିର୍ଦେଶକ ଶକ୍ତି ବିନୟ ଶୁକ୍ଳା ସୋସିଆଲ ମିଡିଆରେ ଜାରି ହୋଇଥିବା ଭିଡିଓରେ ଦାବି କରିଛନ୍ତି ଯେ, ଏଫଏଫଡିସିର ସାନିଟାଇଜର ସବୁଠାରୁ ପ୍ରଭାବୀ ଏବଂ ଶସ୍ତା। ଏହାର ବଢ଼ୁଥିବା ଚାହିଦାକୁ ଦୃଷ୍ଟିରେ ରଖି ଏଫଏଫଡିସିର ସମସ୍ତ କେନ୍ଦ୍ରରେ ସାନିଟାଇଜର ପ୍ରସ୍ତୁତ କରିବାକୁ ଦାବି ହେଉଛି। ଏଫଏଫଡିସିର ବ୍ରହ୍ମପୁରସ୍ଥିତ ବିସ୍ତାର କେନ୍ଦ୍ରର ପ୍ରଭାରୀ ବି.କେ. ରାମାରାଓ କୁହନ୍ତି, କରୋନା ଯୋଗୁ କାର୍ଯ୍ୟ ବନ୍ଦ ରହିଛି। କିନ୍ତୁ ଏବେ ନିର୍ଦେଶକ ଏଠାରେ ସାନିଟାଇଜର ପ୍ରସ୍ତୁତ କରିବାକୁ କହିଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ସାନିଟାଇଜର ପ୍ରସ୍ତୁତି ପାଇଁ ଇଥାନଲର ଆବଶ୍ୟକତା ପଡ଼ିଥାଏ। ଏହି ସମୟରେ ଇଥାନଲ କିପରି ମିଳିବ, ସେଥିପାଇଁ ଉଦ୍ୟମ ଚାଲିଛି।

ଅନ୍ୟପଟେ ନିର୍ଦେଶକ ଶକ୍ତି ବିନୟ ଶୁକ୍ଳା କୁହନ୍ତି, ବ୍ରହ୍ମପୁରସ୍ଥିତ କେନ୍ଦ୍ରକୁ ଆହୁରି ପ୍ରଭାବୀ କେନ୍ଦ୍ର ରୂପେ ପ୍ରସ୍ତୁତ କରିବା ଲାଗି ଏମଏସଏମଇ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦିଆଯାଇଛି। ସେ କହିଛନ୍ତି, ଯଦି କେହି ବି ସାନିଟାଇଜର ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି, ତେବେ ସେ ତାହାର ଫର୍ମୁଲା ଦେବାକୁ ପ୍ରସ୍ତୁତ ଅଛନ୍ତି।  ବିଶ୍ଵ ସ୍ବାସ୍ଥ୍ୟ ସଂଗଠନର ମାନଦଣ୍ଡ ଅନୁସାରେ ଏଫଏଫଡିସିରେ ପ୍ରସ୍ତୁତ ଏକ ଲିଟର ସାନିଟାଇଜର ମୂଲ୍ୟ ୧୬୦ ଟଙ୍କା। ଯଦି କେହି ୩୫ ଲିଟର କିଣନ୍ତି ତେବେ ୫୬୦୦ ଟଙ୍କା ବଦଳରେ ୫୦୮୫ ଟଙ୍କାରେ ଦିଆଯାଉଛି। ଏହାଠାରୁ ଆଉ ଶସ୍ତା ସାନିଟାଇଜର ମିଳିବ ନାହିଁ ବୋଲି ଦାବି କରାଯାଉଛି। କିନ୍ତୁ ଡିଷ୍ଟଲେରି ପକ୍ଷରୁ ଏକ ଲିଟର ସାନିଟାଇଜର ମୂଲ୍ୟ ୧୨୫ ଟଙ୍କାରେ ଦିଆଯାଉଥିବା କୁହାଯାଇଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories